ଶ୍ରମିକ ସହାୟତାରାଶି ପ୍ରଦାନରେ ବିଳମ୍ବ
ବାଲେଶ୍ୱର : ଜିଲ୍ଲା ନିର୍ମାଣ ଶ୍ରମିକ ସଂଘ ସମୂହ ସମନ୍ୱୟ ସମିତି ପକ୍ଷରୁ ଏକ ଜରୁରୀ ବୈଠକ ରଉଠାଜଳସେଚନ କର୍ମଚାରୀ ଭବନରେ ଅନୁଷ୍ଠିତ ହୋଇଛି । କାର୍ଯ୍ୟକାରୀ ସଭାପତି ପୀତାମ୍ବର ମାଝିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସମ୍ପାଦକ ବିଜୟ ପାତ୍ର ନିର୍ମାଣ ଶ୍ରମିକଙ୍କ ପଞ୍ଜିକରଣ ଓ ସହାୟତାରାଶି ପ୍ରଦାନରେ ଅହେତୁକ ବିଳମ୍ବ ହେଉଥିବାର ଜଣାଇଥିଲେ । ଶ୍ରମିକ ଦିବସ ପାଳନ ଅବସରରେ ଜିଲ୍ଲାଶ୍ରମ ଦପ୍ତର ପକ୍ଷରୁ ବାଲେଶ୍ୱରର କୌଣସି ଶ୍ରମିକ ନେତାଙ୍କୁ ଆନୁଷ୍ଠାନିକଭାବେ ନିମନ୍ତ୍ରଣକରି ନ ଥିବାର ସେ ଦର୍ଶାଇଥିଲେ । ଉପରୋକ୍ତ ବିଷୟ ଉପରେ ଆଲୋଚନାରେ ଅଂଶଗ୍ରହଣ କରି ବରିଷ୍ଠ ଉପଦେଷ୍ଠା ଗୌରାଙ୍ଗ ପାଣିଗ୍ରାହୀ ଓ ଶାନ୍ତନୁ ଦାସ ପ୍ରମୁଖ ଉଦ୍ବେଗ ପ୍ରକାଶକରିଥିଲେ । ଦୀର୍ଘମାସ ଓ ବର୍ଷ ଧରି ପଞ୍ଜିକରଣ ପାଇଁ ଆବେଦନ କରିଥିବା ଯୋଗ୍ୟ ନିର୍ମାଣ ଶ୍ରମିକମାନଙ୍କର ପଞ୍ଜିକରଣ ଓ କନ୍ୟାବିବାହ, ପୁଅ, ଝିଅଙ୍କ ପାଠପଢ଼ା, ମୃତୁ୍ୟକାଳିନ ବାବଦକୁ ସହାୟତା ରାଶି ପ୍ରଦାନ କରାଯାଉ ନ ଥିବା ସମ୍ପର୍କରେ କେତେକ ସଂଘ କର୍ମକର୍ତ୍ତା ଅଭିଯୋଗ କରିଥିଲେ । ସେହିପରି ନବୀକରଣ ପାଇଁ ମଧ୍ୟ ବିଳମ୍ବ ହେଉଥିବାର ଅଭିଯୋଗ ହୋଇଥିଲା । ଆସନ୍ତା ସପ୍ତାହରେ ଡିଭିଜନାଲ୍ ଶ୍ରମ ଆୟୁକ୍ତ ଓ ଜିଲ୍ଲାଶ୍ରମ ଅଧିକାରୀଙ୍କୁ ସାକ୍ଷାତକରି ଏହି ସବୁ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଅବଗତ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏହିସାକ୍ଷାତକାର ପାଇଁ ଏକ ପ୍ରତିନିଧି ଦଳ ମନୋନୟ କରାଯାଇଛି । ଏହି ଆଲୋଚନାରେ ସଂଜୟ ସାମଲ, ବେଣୁଧର ମହାନ୍ତି, ହରିଶଚନ୍ଦ୍ର ପାତ୍ର, ମୃତୁ୍ୟଞ୍ଜୟ ରାଉତ, କୃଷ୍ଣ ଚରଣଜେନା, ପ୍ରଦୀପ ବେହେରା, ମିନତୀ ବେହେରା ଓ କୃଷ୍ଣ ଚନ୍ଦ୍ରଜେନା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପୂର୍ଣ୍ଣଚନ୍ଦ୍ର ପାତ୍ର ଧନ୍ୟବାଦ ଦେଇଥିଲେ ।