ସମାଜର ଆକାଂକ୍ଷା ପୂରଣରେ ଭାରତ ଅଗ୍ରସର

 ନୂଆଦିଲ୍ଲୀ/ଭୁବନେଶ୍ୱର : ବୁଧବାର ଆଇଆଇଟି ଦିଲ୍ଲୀରେ ଆୟୋଜିତ ହୋଇଛି  "ଭବିଷ୍ୟତରେ ପ୍ରସ୍ତୁତ ଶକ୍ତି ଶିକ୍ଷା: ସୁଯୋଗ ଏବଂ ଚ୍ୟାଲେଞ୍ଜ’ ଶୀର୍ଷକ ଜାତୀୟ କର୍ମଶାଳା । ଏଥିରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ସମାଜର ଆକାଂକ୍ଷା ଏବଂ ଉର୍ଜା ଆବଶ୍ୟକତା ପୂରଣ କରିବା ଦିଗରେ ଭାରତ ଅଗ୍ରସର ହେଉଛି ବୋଲି କହିଛନ୍ତି । ଏହାସହ ଆମକୁ ଏକ ସ୍ମାର୍ଟ ରଣନୀତି ପ୍ରସ୍ତୁତ କରିବାକୁ ପଡିବ, ଯାହା ଜ୍ଞାନର ସମନ୍ୱୟରେ ସାମାଜ ପାଇଁ ଲାଭଦାୟକ ହେବ ବୋଲି କହିଛନ୍ତି । ଆଇଆଇଟି ଦିଲ୍ଲୀ ଉର୍ଜା ଶିକ୍ଷା ପାଇଁ ଭବିଷ୍ୟତର ପଥ ସୃଷ୍ଟି କରିବା ପାଇଁ  ଏକ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଛି, ଯାହା ପ୍ରଶଂସନୀୟ ।
ଏହାବ୍ୟତୀତ ଆଉ ଏକ ପୃଥକ କାର୍ଯ୍ୟକ୍ରମ ଅନୁଯାୟୀ, ଗୁଜରାଟର କେଭାଡିଆରେ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଜୁଲାଇ ୧୦ରୁ ୧୧ ପର୍ଯ୍ୟନ୍ତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଗୁଡ଼ିକର ଦୁଇଦିନିଆ କୁଳପତି ସମ୍ମିଳନୀ ଅନୁଷ୍ଠିତ ହେବ ।  ଏଥିରେ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଡକ୍ଟର ସୁକାନ୍ତ ମଜୁମଦାର ଏବଂ ଶିକ୍ଷା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସେହିପରି ୨୯ ଜୁଲାଇ ୨୦୨୫ରେ ଜାତୀୟ ଶିକ୍ଷା ନୀତି ୨୦୨୦ କ୍ରିୟାନ୍ୱୟନର ପାଞ୍ଚ ବର୍ଷ ପୂର୍ତ୍ତି ହେବାକୁ ଥିବା ବେଳେ ଏହାର ଅଂଶବିଶେଷ ଭାବରେ ଆୟୋଜିତ ହେବାକୁ ଥିବା ସମ୍ମିଳନୀରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଗୁଡ଼ିକର ଶୀର୍ଷ ନେତୃତ୍ୱମାନଙ୍କୁ ନେଇ ସାଂଗଠନିକ ପ୍ରଗତି ସମୀକ୍ଷା କରାଯିବ । ସାଂଗଠନିକ ନବସୃଜନ, ସକ୍ଷମ ପରିବେଶ ଏବଂ ମିଳିତ ଆହ୍ୱାନ ଉପରେ ସମକକ୍ଷ ଶିକ୍ଷା ଏବଂ ଜ୍ଞାନର ଆଦାନପ୍ରଦାନ ଉପରେ ଶିକ୍ଷାବିତଙ୍କ ମଧ୍ୟରେ ଆଲୋଚନାକୁ ପ୍ରୋସôାହିତ କରାଯିବ । ପିଏମ ବିଦ୍ୟା ଲକ୍ଷ୍ମୀ, ୱାନ୍ ନେସନ, ୱାନ ସବସ୍କ୍ରିପସନ, ଭାରତୀୟ ଭାଷା ଏବଂ ଭାରତୀୟ ଜ୍ଞାନ ପ୍ରଣାଳୀରେ ଶିକ୍ଷା, ଭାରତୀୟ ଭାଷା ପୁସ୍ତକ ଯୋଜନା ଭଳି ବିଭିନ୍ନ ଯୋଜନା ବିଷୟରେ ଆଲୋଚନା ହେବ ବୋଲି ଧର୍ମେନ୍ଦ୍ର କହିଛନ୍ତି ।