ସମାଜସେବୀଙ୍କ ସ୍ମୃତିରେ ବସ୍ତ୍ର ବଣ୍ଟନ
ତିହିଡ଼ି : ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଅଧୀନ ପିରହାଟର ଅଗ୍ରଣୀ ସାମାଜିକ ସଂଗଠନ ପ୍ରଦେଶ ସେବା ସଙ୍ଗଠନର ବରିଷ୍ଠ ଉପଦେଷ୍ଟା ବିଶ୍ୱଜିତ ସେନାପତିଙ୍କ ପିତା ସ୍ୱର୍ଗତ ବିଭୂତି ଭୂଷଣ ସେନାପତିଙ୍କ ସ୍ମୃତିରେ ବସ୍ତ୍ର ବଣ୍ଟନ କରାଯାଇଛି । ସମାଜର ତଳସ୍ତରରେ ରହୁଥିବା ବାସ୍ତବ ଅସହାୟ ନିସ୍ୱଙ୍କୁ ଆଜିର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସର୍ବଦା ପ୍ରୟାସ ଜାରି ରଖି ଅସହାୟ ମାନଙ୍କର ଆଶା ବାଡ଼ି ସାଜିଥିବା ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ପ୍ରଦେଶ ସେବା ସଂଗଠନ ପକ୍ଷରୁ ରବିବାର ଏକ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ପିରହାଟ ପାଢ଼ୀସାହି ଠାରେ ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ସେନାପତି ସଦାସର୍ବଦା ଦୀନଦୁଃଖିମାନଙ୍କର ସାଥି ଥିଲେ । ଜୀବନରେ କୌଣସି ଅଭାବୀ ଲୋକଟିଏ କେବେ ତା'ର ଅସୁବିଧା ସମାଧାନ ପାଇଁ ଆସି ତାଙ୍କ ଠାରୁ ନିରାଶ ହୋଇ ଫେରିନାହିଁ । ଏପରି ମହାନ ବ୍ୟକ୍ତିଙ୍କ ସ୍ମୃତିକୁ ଉଜ୍ଜୀବିତ କରି ରଖିବା ପାଇଁ ସଙ୍ଗଠନ ଏଭଳି ଏକ ନିଆରା କାର୍ଯ୍ୟକ୍ରମ ହାତକୁ ନେଇଛି । ସର୍ବୋପରି ସେ ଥିଲେ ଜଣେ ଦରଦୀ ମଣିଷ । ଏହି କାର୍ଯ୍ୟକ୍ରମରେ ୬୭ ଜଣ ଅସହାୟ ମାଆମାନଙ୍କୁ ବସ୍ତ୍ର ପ୍ରଦାନ କରାଯାଇଥିଲା । ସଙ୍ଗଠନର ସଭାପତି ରଞ୍ଜନ ମିଶ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ସଂଗଠନର କୋଷାଧ୍ୟକ୍ଷ ଆର୍ତ୍ତବଲ୍ଲଭ ବାରିକ, ଅକ୍ଷୟ ରଣା, ପ୍ରହଲ୍ଲାଦ ପାଣିଗ୍ରାହୀ, ସମୀର ଓଝା, ବିଶ୍ୱଜିତ ସେନାପତି, ନରେନ୍ଦ୍ର ମହାନ୍ତି ଓ ଧୀରେନ୍ଦ୍ର ବାରିକ ପ୍ରମୁଖ ପରିଚାଳନା କରିଥିଲେ । ସ୍ୱର୍ଗତ ସେନାପତିଙ୍କ ସାନପୁଅ ବ୍ରଜକିଶୋର ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ ।