ଠିକାଦାରଙ୍କୁ ମାଡ଼ ଘଟଣାରେ ୩ ଗିରଫ
କେନ୍ଦୁଝର : ଠିକାଦାରଙ୍କୁ ମାଡ଼ ଘଟଣାରେ ପୁଲିସ ୩ଜଣଙ୍କୁ ଗିରଫ କରିଛି । ବଡଡୁମୁରିଆ ଗ୍ରାମର ବିପ୍ରଭାନୁ ସାହୁ, ଛାଲୁ ମୁଣ୍ଡା ଓ ଦିଲ୍ଲୀପ ମୁଣ୍ଡାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଘଟଣାର ତଦନ୍ତ ଚାଲୁ ରହିଛି ଓ ଅନ୍ୟ ଅଭିଯୁକ୍ତ ଯଦି ସମ୍ପୃକ୍ତ ଥାଆନ୍ତି ତେବେ ଗିରଫ କରାଯିବ ବୋଲି ବାରିଆ ଥାନା ଇନ୍ସପେକ୍ଟର ରଞ୍ଜୁ ହାସିନୀ କୁଲୁ ପ୍ରକାଶ କରିଛନ୍ତି । ଠିକାଦାରଙ୍କ ଭାଇଙ୍କୁ ମାଡ଼ ପ୍ରତିବାଦରେ ଜିଲ୍ଲା ଠିକାଦାର ସଙ୍ଘ ଆରକ୍ଷୀ ଅଧିକ୍ଷକଙ୍କୁ ଗତ ୨୩ ତାରିଖରେ ଲିଖିତ ସୂଚନା ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଥିଲା ।
ସୂଚନାଯୋଗ୍ୟ ଯେ କେନ୍ଦୁଝର ଗ୍ରାମ୍ୟ ଉନ୍ନୟନ ବିଭାଜନ-୨ ତରଫରୁ ବଡଡୁମୁରିଆରୁ ରାସ୍ତା କାମ ସଚ୍ଚିଦାନନ୍ଦ ଖିଲାରଙ୍କ ନାମରେ ରହିଛି । ଏହି ରାସ୍ତାର ଏକ ବକ୍ସ ସେଲ ପୋଲର ଛାତ କାମ ଚାଲିଥିବା ବେଳେ ସଚ୍ଚିଦାନନ୍ଦଙ୍କ ଭାଇ ଶିବାନନ୍ଦ କାମ କରୁଥିବାବେଳେ ଏହି ବ୍ୟକ୍ତିମାନେ ତାଙ୍କୁ ଆସି ଚାନ୍ଦା ମାଗିଥିଲେ । ଟଙ୍କା ଦେବାକୁ ଶିବାନନ୍ଦ ମନା କରିଥିବାବେଳେ ତାଙ୍କ ସାର୍ଟ କଲରକୁ ଧରି ମାରିବା ସହ ମୁଣ୍ଡ ଫଟାଇ ମାରଣାନ୍ତକ ଆକ୍ରମଣ କରିଥିଲେ । ଏହି ସମୟରେ ଗ୍ରାମ୍ୟ ଉନ୍ନୟନ ବିଭାଜନର କନିଷ୍ଠ ଯନ୍ତ୍ରୀ ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ । ଶିବାନନ୍ଦଙ୍କୁ ସୁରକ୍ଷା ଦେବାକୁ ଯାଇ ଅନ୍ୟ କର୍ମଚାରୀମାନେ ମଧ୍ୟ ଆହତ ହୋଇଥିଲେ । ଏ ସମ୍ପର୍କରେ ବାରିଆ ଥାନାରେ ଏତଲା ଦିଆଯାଇଥିବାବେଳେ ଗତ ୨୧ତାରିଖ ରାତିରେ ଏହି ଘଟଣା ଘଟିଥିବା ବେଳେ ୨୩ ତାରିଖରେ ଜିଲ୍ଲା ଠିକାଦାର ସଂଘ ଏସପିଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲା ଠିକାଦାର ସଂଘ ଅନୁରୋଧ କରିଥିଲା ।