ସମ୍ପର୍କୀୟ ଭାଇ-ଭଉଣୀ ବାହାହେଲେ ବୋଲି... ଗାଁ ଦାଣ୍ଡରେ ହଳ ବୁଲିଲେ
ରାୟଗଡ଼ା ଜିଲ୍ଲା କଞ୍ଜମଯୋଡ଼ିର ‘ବଳଦ ଦଣ୍ଡ’ ଘଟଣା ମନରୁ ଲିଭି ନଥିବାବେଳେ ପୁଣି ସେଇ ସମାନ ଘଟଣା କୋରାପୁଟ ଜିଲ୍ଲାର ନାରାୟଣପାଟଣାରେ ପୁନରାବୃତ୍ତି ହୋଇଛି । ସମ୍ପର୍କୀୟ ଭାଇଭଉଣୀ ଭଲପାଇ ଗାଁ ଛାଡ଼ି ପଳାଇଥିଲେ । ପରେ ସେମାନଙ୍କୁ ବନ୍ଧୁବାନ୍ଧବ ଡକାଇ ଗାଁ ଦାଣ୍ଡରେ ହଳ ବୁଲାଇଛନ୍ତି । ଯାହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ୍ ହୋଇଥିବାବେଳେ ଲୋକମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ରାୟଗଡ଼ା ଘଟଣାରେ ଯଦି ପ୍ରଶାସନ ଠୋସ୍ ପଦକ୍ଷେପ ନେଇଥା’ନ୍ତେ ତେବେ ଆଜି ଏଭଳି ଘଟଣା ଦେଖିବାକୁ ମିଳିନଥା’ନ୍ତା ବୋଲି କୁହାଯାଉଛି ।
କୋରାପୁଟ ଜିଲ୍ଲାର ନାରାୟଣପାଟଣା ବ୍ଲକ ବରିଗି ପଞ୍ଚାୟତର ପେଦାଇଟିଗି ଗାଆଁରେ ଏମିତି ‘ବଳଦ ଦଣ୍ଡ’ ଦେଖିବାକୁ ମିଳିଛି । ପ୍ରେମୀଯୁଗଳଙ୍କ ଗାଁ ଦାଣ୍ଡରେ ହଳ କରିବାକୁ ବାଧ୍ୟ କରାଯାଇଛି । ପୁଅ ଓ ଝିଅ ଗୋଟିଏ ବଂଶର ହୋଇ ବାହା ହୋଇଥିବାରୁ ପାପ ଶୁଦ୍ଧି ପାଇଁ କଙ୍ଗାରୁକୋର୍ଟରେ ଏମିତି ନିଷ୍ପତ୍ତି ନିଆଯାଇଛି । ପେଦାଇଟିଗୀ ଗାଆଁରେ ଗ୍ରାମଦେବୀଙ୍କ ପାଖରେ ପୂଜାପାଠ କରିବା ପରେ ବଳଦ ସ୍ଥାନରେ ଉଭୟ ପୁଅ ଓ ଝିଅକୁ କାନ୍ଧରେ ଜୁଆଳି ପକେଇ ଚାଷ କରିବାକୁ ବାଧ୍ୟ କରାଯାଇଛି । ଗାଁ ଦାଣ୍ଡରେ ଶହ ଶହ ଲୋକଙ୍କ ଉପସ୍ଥିତିରେ ଏଭଳି ଦଣ୍ଡ ଦିଆଯାଇଥିଲା । ଆଦିବାସୀ ପରମ୍ପରା ଅନୁଯାୟୀ ଗୋଟିଏ ବଂଶର ହୋଇଥିଲେ ବିବାହ ବନ୍ଧନରେ ଆବଦ୍ଧ ହୋଇପାରିବେ ନାହିଁ । କାରଣ ସେମାନେ ଭାଇଭଉଣୀ ହୋଇଥା’ନ୍ତି । ସେମାନେ ଦୋଷ ବା ପାପ କରିଛନ୍ତି ବୋଲି ଧରି ନିଆଯାଏ । ସେମାନଙ୍କୁ କି ଦଣ୍ଡ ଦିଆଯିବ ବୋଲି କଙ୍ଗାରୁ କୋର୍ଟ ବସିଥିଲା । ବଳଦ ଦଣ୍ଡ ଦିଆଯିବା ପରେ ସେମାନଙ୍କ ମୁଣ୍ଡରେ ପୂଜା ହୋଇଥିବା ପାଣି ଢଳାଯାଇଥିଲା । ପେଦାଇଟିଗି ଗାଁର ପୁଅ ନରି ପଡ଼ିକା ଓ ଝିଅ ଆସ ପଡ଼ିକା ଏମିତି ଦଣ୍ଡ ଭୋଗିଛନ୍ତି । ସେମାନେ ଦୀର୍ଘଦିନ ଧରି ଭଲ ପାଉଥିଲେ । ପରେ ଗାଁ ଛାଡ଼ିଦେବା ସହ ବାହାହୋଇ ରହିଥିଲେ । ସେମାନଙ୍କ ଖୋଜ ଖବର ପାଇବା ପରେ ବନ୍ଧୁବାନ୍ଧବମାନେ ସେମାନଙ୍କୁ ଗାଁକୁ ଡାକିଥିଲେ । ଗାଁରେ ସେମାନେ ପହଁଚିବା ପରେ କଙ୍ଗାରୁ କୋର୍ଟରେ ଏମିତି ଶାସ୍ତି ଦିଆଯାଇଥିଲା ।