ରାସ୍ତା ବେହାଲ୍, ଅଟକିଲା ଆମ୍ବୁଲାନ୍ସ ଭାରରେ ଆସିଲେ ରୋଗୀ
ଯାଜପୁର: ଅପହଁଚ ଇଲାକାରେ ହେଲିକପ୍ଟର ଯୋଗେ ମିଳୁଛି ସ୍ୱାସ୍ଥ୍ୟସେବା । ପୂର୍ବ ସରକାର ହୁଅନ୍ତୁ ଅବା ଏବେକାର ସରକାର, ସମସ୍ତେ ବାହାସ୍ଫୋଟ ମାରିବାରେ ହେଳା କରୁନାହାନ୍ତି । ହେଲେ ଉପକୂଳ ଓଡ଼ିଶାର ଅନେକ ଅଞ୍ଚଳରେ ଏବେବି ସବୁଦିନିଆ ରାସ୍ତା ନଥିବାରୁ ବାଟରେ ଅଟକି ଯାଉଛି ଆମ୍ବୁଲାନ୍ସ । ଯେଉଁଥିପାଇଁ ଜଣେ ବୃଦ୍ଧ ରୋଗୀଙ୍କୁ ଭାରରେ ବୋହିବୋହି ନେବାକୁ ପଡ଼ିଥିଲା । ଏମିତି ଏକ ଘଟଣା ଖାଲି ଯାଜପୁର କାହିଁକି ସାରା ଓଡ଼ିଶାରେ ବି ଆଲୋଡ଼ନ ସୃଷ୍ଟି କରିଛି ।
ଏମିତି ଏକ ଦୃଶ୍ୟ ଖଣି ସମୃଦ୍ଧ ତଥା ବିକଶିତ ଯାଜପୁର ଜିଲାର କୋରେଇ ନିର୍ବାଚନ ମଣ୍ଡଳୀ ଫେରୁଦାବାଦ ଗ୍ରାମରେ ଦେଖିବାକୁ ମିଳିଛି । ଯେଉଁ ଗ୍ରାମର ଲୋକେ ବର୍ଷାଦିନେ ଯନ୍ତ୍ରଣା ଭୋଗନ୍ତି । ପାଣି କାଦୁଅ ରାସ୍ତାରେ ପଶି କାମଦାମକୁ ଯାଇଥାନ୍ତି ଏବଂ ଗାଁକୁ ଫେରିଥାନ୍ତି । ବର୍ଷାଦିନେ ଯଦି କେହି ବୟସ୍କ କି ମହିଳା ରୋଗୀୂ ଅସୁସ୍ଥ ହୋଇପଡ଼ନ୍ତି ତେବେ କଥା ସରିଲା । ସ୍ୱାଧୀନତାର ୭୮ ବର୍ଷ ପରେ ଏଭଳି ଚିତ୍ର କୋରେଇ ନିର୍ବାଚନ ମଣ୍ଡଳୀ ତଣ୍ଡରା ପଂଚାୟତରେ ଦେଖିବାକୁ ମିଳିଥିବା ବେଳେ ସରକାରୀସ୍ତରରେ କୌଣସି ପ୍ରତିକାର କରାନଯିବା ବିକାଶ ନାରାକୁ ଉପହାସ କରିବା ପରି ହୋଇଛି ।
ଫେରୁଦାବାଦ ଗାଁ ତଣ୍ଡରା ପଂଚାୟତର ୯ ନମ୍ବର ୱାର୍ଡ଼ରେ ଆସୁଥିବା ବେଳେ ଏହା ଖରସ୍ରୋତା ନଦୀ କୂଳେ ଅବସ୍ଥିତ । ସାଧାରଣତଃ କୈବର୍ତ୍ତ ଶ୍ରେଣୀୟ ଏକାଧିକ ପରିବାର ଏଠାରେ ବସବାସ କରନ୍ତି । କିନ୍ତୁ ଗାଁକୁ ନାହିଁ ଭଲ ରାସ୍ତାଟିଏ । ଖରାଦିନେ ବିଲକୁ ରାସ୍ତା ଭାବେ ବ୍ୟବହାର କରାଯାଏ । ହେଲେ ବର୍ଷା ଦିନ ଆସିଲେ ଗାଁ ଲୋକ ଜଳବନ୍ଦୀ ଅବସ୍ଥାରେ ରୁହନ୍ତି । କାମଦାମକୁ ବାହାରିଲେ ବିଲ ମଝି ପାଣିରେ ପଶି ଆସିଥାନ୍ତି । ଭିଟାମାଟି ଛାଡିକି ଯିବାକୁ ଚାହିଁଲେ ବି ସେମାନେ ଯାଇ ପାରନ୍ତିନି । ତେବେ କେହି ରୋଗରେ ପଡ଼ିଲେ ଭାରା କରି କେନାଲ ବନ୍ଧକୁ ଆଣିବା ପରେ ସେଠାରୁ ଗାଡ଼ିରେ ନେଇକରି ଯାଇଥାନ୍ତି । ଆଜି ଗାଁର ଗୟାଧର ବେହେରା (୮୨) ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ମେଡ଼ିକାଲକୁ ନେବାକୁ ବାହାରିଥିଲେ ପରିବାର ଲୋକେ । ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ ହେଁ ତାହା କେନାଲ ବନ୍ଧରେ ଅଟକି ରହିଥିଲା । ପରିବାର ଏବଂ ଗାଁ ଲୋକେ ବୃଦ୍ଧଙ୍କୁ ଭାରା କରି ପାଣି କାଦୁଅ ରାସ୍ତାରେ କେନାଲ ପର୍ଯ୍ୟନ୍ତ ଆଣିବା ପରେ ସେଠାରୁ ଆମ୍ବୁଲାନ୍ସରେ ଯାଜପୁର ରୋଡ଼ ମେଡ଼ିକାଲରେ ପହଁଚିଥିଲେ । ବୃଦ୍ଧ ଜଣକ ଗୋଡ଼ରେ ଯନ୍ତ୍ରଣା କାରଣରୁ ସେ ଚାଲିବାକୁ ସକ୍ଷମ ହୋଇନଥିଲେ । ପ୍ରଶାସନର କେବେ ଏହି ଗାଁ ଉପରେ ସୁନଜର ପଡ଼ୁଛି ତାହା ଦେଖିବାର ଅଛି ।