ସରକାରୀ ଅର୍ଥ ତୋଷରପାତ ମାମଲା : ୫ ପୂର୍ବତନ ସରପଞ୍ଚଙ୍କୁ ଜେଲ ଦଣ୍ଡାଦେଶ
ବାରିପଦା: ସରକାରୀ ଅର୍ଥ ହଡପ ମାମଲାରେ ୫ ଜଣ ପୂର୍ବତନ ସରପଞ୍ଚଙ୍କ ସହ ମୋଟ ୬ଜଣଙ୍କୁ ୩ ବର୍ଷ ଜେଲ ଦଣ୍ଡ ହୋଇଛି । ଏଥିସହିତ ୧୨ ହଜାର ଟଙ୍କା ଲେଖାଏଁ ଜରିମାନା ଏବଂ ଅନାଦେୟ ଅଧିକ ୬ ମାସ ଜେଲ ଦଣ୍ଡ ଶୁଣାଇଛନ୍ତି କୋର୍ଟ । ଏହି ରାୟ ଶୁଣାଇଛନ୍ତି ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟର ବିଚାରପତି ପୂର୍ଣ୍ଣିମା ଜେନା । ଅଭିଯୁକ୍ତମାନେ ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ରାଢୋ ପଞ୍ଚାୟତର ସରପଞ୍ଚ ବାସେନ ମାରାଣ୍ଡି, ବଡସିଂଗାରିଆ ସରପଞ୍ଚ ଯତିନ୍ଦ୍ର ସିଂ, ଶ୍ରୀଦାମଚନ୍ଦ୍ରପୁର ସରପଞ୍ଚ ମହାଦେବ ଟୁଡୁ, କୁଣ୍ଡାବାଇ ସରପଞ୍ଚ ବୁଦ୍ଧିରାମ ସିଂ, ଖଲାଡି ସରପଞ୍ଚ ସୀତା ବାସ୍କେ । ଏହାସହ ଇଲେକ୍ଟ୍ରିକାଲ ସପ୍ଲାୟର ସଞ୍ଜୟ କୁମାର ଦାସକୁ ମଧ୍ୟ ଦଣ୍ଡାଦେଶ ହୋଇଛି । ଏକାଦଶ ଅର୍ଥ କମିଶନଙ୍କ ପକ୍ଷରୁ ବିଭିନ୍ନ ଅଞ୍ଚଳରେ ଆଲୋକୀକରଣ (ସୋଡିୟମ ଭେପର ଲାଇଟ) ପାଇଁ ଆସିଥିବା ଅର୍ଥରୁ ୧ଲକ୍ଷ ୪୪ ହଜାର ୬୭୧ ଟଙ୍କା ଅଧିକ ପୈଠ କରି ହଡପ କରିଥିବା ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିଲେ ସମସ୍ତ ଅଭିଯୁକ୍ତ । ଏହି ଘଟଣାର ତଦନ୍ତ ରିପୋର୍ଟ ଓ ଅନ୍ୟାନ୍ୟ ପ୍ରମାଣକୁ ଭିତ୍ତିକରି ଆଜି ରାୟ ଶୁଣାଇଛନ୍ତି କୋର୍ଟ ।