ବୈତରଣୀ ବାଲିଘାଟରେ ବାଲି ଖନନ

ଆନନ୍ଦପୁର : କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଅଧିନ ବିଭିନ୍ନ ତହସିଲ ଅଧୀନରେ ଥିବା ବାଲିଘାଟରୁ ବାଲି ବୋଝଇ ଗାଡ଼ି ଗୁଡିକରୁ ଦୈନିକ ଶହଶହ ଟ୍ରିପ ବାଲି ବେଆଇନ ଭାବେ ଉତୋଳନ ହେଉଥିବା ଅଭିଯୋଗ ହୋଇଛି । ବୈତରଣୀ ନଦୀ ଝାଡ଼େଶ୍ୱର ମନ୍ଦିର ନିକଟରେ ଥିବା ବାଲିଘାଟରୁ ପ୍ରତିଦିନ ଶହଶହ ଟ୍ରିପ ବାଲି ରାଜ୍ୟ ଏବଂ ରାଜ୍ୟ ବାହାରକୁ ଚାଲାଣ ହେଉଛି । ତେବେ ପ୍ରଶାସନର ଧରପଗଡ଼ ଅଭାବ ଏବଂ ଆବଶ୍ୟକୀୟ କାଗଜପତ୍ର ଯାଞ୍ଚ ହେଉନଥିବାରୁ ଏହି ବେଆଇନ କାରବାର ଅନାୟାସରେ ଚାଲିଛି । ଲଘୁ ଖଣିଜ ପରିବହନ ସମ୍ପର୍କିତ ଯାଞ୍ଚ ଓ ଧରପଗଡ଼ ଖଣି ବିଭାଗ ଅଧୀନକୁ ହସ୍ତାନ୍ତର ହେବା ପରେ ଆନନ୍ଦପୁରରେ ଏହି ବେଆଇନ କାରବାର ଖୁଲୁମ ଖୁଲା ଚାଲିଥିବା ଅଭିଯୋଗ ହୋଇଛି. କେନ୍ଦୁଝରରୁ ଖଣି ବିଭଗର ଅଧିକାରୀ ମାନେ ଦୈନିକ ଆସି ଆନନ୍ଦପୁରରେ ଯାଞ୍ଚ ଏବଂ ଧରପଗଡ଼ କରିବା ଅସମ୍ଭବ ହୋଇପଡୁଛି । ଏଭଳି ଅବସ୍ଥା ଆନନ୍ଦପୁର ବୈତରଣୀ ବାଲି ଘାଟରେ ମଧ୍ୟ ଦେଖିବାକୁ ମିଳିଛି । ଏନେଇ ସ୍ଥାନୀୟ ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, ସଚେତନ ନାଗରିକ ଏବଂ ଜନସାଧାରଣ କ୍ଷୋଭ ପ୍ରକାଶ କରିଛନ୍ତି । ଅଭିଯୋଗ ଅନୁଯାୟୀ ଲିଜଧାରୀ ଅନୁମତି ନଥିବା ସ୍ଥାନରେ ବାଲି ଖନନ କରୁଥିବା ବେଳେ ଅଧିକାଂଶ ଟ୍ରକ ବିନା ଟ୍ରାଞ୍ଜିଷ୍ଟ ପରମିସନରେ ବାଲି ପରିବହନ କରୁଛନ୍ତି । ସେହିପରି ଦୁର୍ବଳ ନଦୀବନ୍ଧ ଉପରେ ୧୦ ରୁ ୧୨ଚକିଆ ହାଇୱା ଫୁଲ ଲୋଡ଼ ହୋଇ ଯାଉଥିବା ବେଳେ ଏହାର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନ ଉଠିଛି । ସେହିପରି ଆନନ୍ଦପୁରର ପୁରୁଣାବ୍ରିଜ ବାରମ୍ବାର ବେରିଂଖସୁଥିବାରୁ ଏହା ଦୁର୍ବଳ ହେଉଥିବା ବେଳେ ଅନ୍ୟପଟେ ବ୍ୟାରେଜ ଉପରେ ଭାରୀଯାନ ଯାତାୟତ କରିବା ଦ୍ୱାରା ଏହାର ସ୍ଥାୟିତ୍ୱ ପ୍ରତି ପ୍ରଶ୍ନ ସୃଷ୍ଟି ହୋଇଛି । ସେହିପରି ବାଲି ଲୋଡିଂ ପାଇଁ୫୩ ନମ୍ବର ରାଜ୍ୟ ରାଜପଥ ଉପରେ ହାଇୱା ଗୁଡିକ ଲାଇନ ଲଗାଇ ଛିଡା ହେବାଦ୍ୱାରା ରାଜ୍ୟରାଜପଥ ଅଧିକାଂଶ ସମୟ ଜାମ ରହୁଛି । ତେଣୁ ଆଗକୁ ବର୍ଷା ଋତୁ ଆସୁଥିବାରୁ ବନ୍ୟା ଦାଉରୁ ଆନନ୍ଦପୁରକୁ ସୁରକ୍ଷା ଦେଉଥିବା ଦୁର୍ବଳ ନଦୀବନ୍ଧ ବିପଦକୁ ଚାଲି ନଯାଉ । ଏହାର ସ୍ଥାୟୀ ସମାଧାନ ପାଇଁ ଜିଲାପାଳ ଏବଂ ରାଜ୍ୟପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ସ୍ଥାନୀୟ ଅଞ୍ଚଳବାସୀ ଏପରିକି ଏହାର ସମାଧାନ ଲାଗି ଯଦି ପ୍ରଶାସନ କିଛି ବ୍ୟବସ୍ଥା ଗ୍ରହଣନକରେ ତେବେ ୨୪ ଘଣ୍ଟା ପରେ ବ୍ୟାରେଜ,ବ୍ରିଜ ଏବଂ ରିଙ୍ଗ ରୋଡ଼ର ସୁରକ୍ଷା ପାଇଁ ଧାରଣାରେ ବସିବେ ବୋଲି ସୂଚନା ଦେଇଛନ୍ତି । ଏନେଇ ବରିଷ୍ଠ ବିଜେପି ନେତା ତଥା ଆଇନଜୀବୀ ବିଚିତ୍ର ଚକ୍ର, ବରିଷ୍ଠ ନେତା ଦେବରଞ୍ଜନ ସାହୁ, ସମାଜସେବୀ ତଥା ରାଷ୍ଟ୍ରୀୟ ଗୌରବ ରବିନାରାୟଣ ହୋତା, ରଞ୍ଜନ ଜେନା, ସୁବ୍ରମନୁ୍ୟ ଦଳେଇ, ରାମଚନ୍ଦ୍ର ପାତ୍ର, ବିଶ୍ୱଜିତ ମହାନ୍ତ, ବିପିନ ବିହାରୀ ମିଶ୍ର, ଦୀପକ ନାଥ, କେଶବ ବାରିକ, ଅଜୟ କୁମାର ହୋତା, ଅକ୍ଷୟ ସାମଲ, ଦୀପକ ସାହୁ, ସତ୍ୟବ୍ରତ ଜେନା, ଜୟନାରାୟଣ ସାହୁ, ସୁଦର୍ଶନ ସାହୁ, ରବୀନ୍ଦ୍ର ପାତ୍ର, ବିରକିଶୋର ସାହୁଙ୍କ ସମେତ ବହୁ ସ୍ଥାନୀୟ ବାସିନ୍ଦା ରାଜ୍ୟପାଳ ଏବଂ ଜିଲାପାଳ ଏହା ଉପରେ ସୁବିଚାର କରିବାକୁ ଅନୁରୋଧ କରିଛନ୍ତି ।