ସରକାରୀ ଏସି ବସରେ ଚଢା ଦର ବଢୁଛି ଜନଅସନ୍ତୋଷ
ନରସିଂହପୁର : ନରସିଂହପୁରରୁ କଟକ ଯାଉଥିବା ଯାତାୟାତ କରୁଥିବା ଓଏସ୍ଆର୍ଟିସି ସରକାରୀ ଏସି ବସ୍ ଦର ବୃଦ୍ଧିକୁ ନେଇ ବଢୁଛି ଅସନ୍ତୋଷ । ସରକାରଙ୍କ ପରିଚାଳନା ଗତ ତ୍ରୁଟି କାରଣରୁ ଏଭଳି ସମସ୍ୟା ଦେଖିବାକୁ ମିଳିଛି । ଘୋଡା ଛଅ କୁ ଦାନା ନଅ ଭଳି ଏହି ଗାଡି ଚାଲୁଛି । ଏହା ଦ୍ୱାରା ନା ଲୋକେ ଉପକୃତ ହେଉଛନ୍ତି ନାଁ ସରକାରଙ୍କ ରାଜସ୍ୱ ବଢୁଛି ।
ସୂଚନାରୁ ପ୍ରକାଶ ଯେ, ପୂର୍ବ ସରକାର ଅମଳରେ ଗତବର୍ଷ ନରସିଂହପୁରରୁ କଟକକୁ ଓଏସ୍ଆର୍ଟିସି ର ଗୋଟିଏ ବସ୍ ଯାତାୟାତ କରୁଥିଲା । ନରସିଂହପୁରରୁ କଟକ ୧୨୦ କିମି ଦୂର ବାଟ ପାଇଁ ମାତ୍ର ୧୦ ଟଙ୍କା ଦର ରହିଥିଲା । କିନ୍ତୁ ଏହାର ରୁଟ୍ ପରିମିଟ୍ ନ ଥିବାରୁ ବେସରକାରୀ ଗାଡି ମାଲିକ ସଙ୍ଘ ଏହାକୁ ବିରୋଧ କରିବାରୁ ମାତ୍ର ଗୋଟିଏ ଦିନ ଏହି ଗାଡି ଚାଲିବା ପରେ ଏହାକୁ ବନ୍ଦ କରି ଦିଆଯାଇଥିଲା । ନୂଆ ସରକାର ଆସିବା ପରେ ଚଳିତ ମେ ମାସ ୩ ତାରିଖରୁ ନରସିଂହପୁର ରୁ କଟକକୁ ଓଏସ୍ଆର୍ଟିସି ର ଗୋଟିଏ ଏସି ବସ୍ ଯାତାୟାତ କରୁଛି । ମାତ୍ର ଯାତ୍ରୀ ଭଡ଼ା ଧାର୍ଯ୍ୟ ମୂଲ୍ୟ ଠାରୁ ଢେର ଅଧିକ ହୋଇଥିବାରୁ ମାତ୍ର ହାତ ଗଣତି କେତେଜଣ ଯାଉଛନ୍ତି । ନରସିଂହପୁର ରୁ କଟକ ୧୨୦ କିଲୋମିଟର ପାଇଁ ବେସରକାରୀ ଏସି ବସ୍ ୧୨୦ ରୁ ୧୩୦ ଟଙ୍କା ଯାତ୍ରୀ ଭଡା ନେଉଥିବା ବେଳେ ଓଏସ୍ଆର୍ଟିସି ବସ୍ରେ ୧୯୩ ଟଙ୍କା ମାନେ ପ୍ରାୟ ୬୦ ରୁ ୭୦ ଟଙ୍କା ଅଧିକ ଭଡା ପଡୁଛି ଯାହାଫଳରେ ଲୋକମାନେ ଯିବାକୁ ନାରାଜ ହେଉଛନ୍ତି । ଲକ୍ଷ୍ମୀ ଓ ଅନ୍ୟ ସରକାରୀ ଏକ୍ସପ୍ରେସ ବସ୍ରେ ମହିଳାଙ୍କ ପାଇଁ ଅଧା ବସ୍ ଭଡା ରହିଥିବା ବେଳେ, ଏହି ଗାଡ଼ିରେ ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ସମାନ ଦର ରହିଛି । ଏହି ବସରେ ନରସିଂହପୁରରୁ ବଡମ୍ବା ୫୨ ଟଙ୍କା, ତିଗିରିଆ ୮୪ ଟଙ୍କା, ଆଠଗଡ଼ ୧୧୨ ଟଙ୍କା, କଟକ ୧୯୩ ଟଙ୍କା ଦର ରହିଛି । ଷ୍ଟାଣ୍ଡାର୍ଡ ଏସି ବଦଳରେ ଡିଲକ୍ସ ଏସି ଭଡା ନେଉଥିବାରୁ ସାଧାରଣରେ ବଢୁଛି ଅସନ୍ତୋଷ । ଦର ବୃଦ୍ଧି ପାଇଁ ୫୦ ସିଟ୍ ବିଶିଷ୍ଟ ଏହି ଏସି ବସ୍ରେ ମାତ୍ର ୫ ରୁ ୧୦ ଜଣ ଯାଉଥିବା ବେଳେ, ଅଧିକାଂଶ ସିଟ୍ ଫାଙ୍କା ପଡୁଛି । ଯାହାଫଳରେ ସରକାର କ୍ଷତି ସହୁଥିବା ବେଳେ, ଲୋକେ ମଧ୍ୟ ଉପକୃତ ହୋଇ ପାରୁ ନାହାନ୍ତି । ସରକାର ବର୍ଦ୍ଧିତ ଦରରେ ପୁନଃବିଚାର କରି ନିର୍ଦ୍ଧିଷ୍ଟ ଦର ଲାଗୁ କରିବା ପାଇଁ ଦାବି ହୋଇଛି ।