କିମ୍ସରେ ବିରଳ ଅସ୍ତ୍ରୋପ୍ରଚାର : ହିଟ୍-କୋଲ୍ଡ ବ୍ରୋଙ୍କୋସ୍କୋପିକ୍ ପଦ୍ଧତିରେ ଫୁସ୍ଫୁସ୍ରୁ ବାହାରିଲା ଟୁ୍ୟମର୍
ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ କିମ୍ସର ଡାକ୍ତରମାନେ ଏକ ଅଭିନବ ପ୍ରଣାଳୀରେ ଜଣେ ରୋଗୀଙ୍କ ଫୁସ୍ଫୁସ୍ରୁ ଏକ ଟୁ୍ୟମର ବାହାର କରିବାରେ ସଫଳ ହୋଇଛନ୍ତି । ଜଣେ ୪୦ ବର୍ଷୀୟ ମହିଳାଙ୍କଠାରେ କାର୍ସିନଏଡ୍ ଟୁ୍ୟମର ଭଳି ଏକ ବିରଳ ପ୍ରକାରର ଫୁସଫୁସ ଟୁ୍ୟମର ଚିହ୍ନଟ ହେବା ପରେ ରୋଗୀ ଜଣକ ୨୦୨୩ ମସିହାରେ ରେଡିଏସନ୍ ଥେରାପି ନେଇଥିଲେ । ରୋଗୀ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବା ସହ ତାଙ୍କୁ ନିରନ୍ତର କାଶ ହେଉଥିଲା । ତେବେ ମହିଳାଙ୍କ ଶ୍ୱାସନଳୀର ଅଧାରୁ ଅଧିକ ଅଂଶ ଏକ ମାଂସ ପିଣ୍ଡ ଭଳି କିଛି ଅବରୋଧ କରୁଥିବା ଜୁନ୍ ୨୦୨୫ ରେ ତାଙ୍କଠାରେ ପୁନର୍ବାର କରାଯାଇଥିବା ସ୍କାନରୁ ଜଣାପଡିଥିଲା । କିମ୍ସର ଇଣ୍ଟରଭେନସନାଲ ପଲମୋନୋଲୋଜି ବିଶେଷଜ୍ଞ ଦଳ ଏହି ଚ୍ୟାଲେଞ୍ଜର ମୁକାବିଲା କରିବା ପାଇଁ ଏକ ଅଭିନବ ଉପାୟ ଅବଲମ୍ବନ କରିଥିଲେ । କାର୍ଡିଓଥୋରାସିକ୍ ଅପରେଟିଂ ଥିଏଟରରେ ସାଧାରଣ ଆନାସ୍ଥସିଆ ଦେଇ ସେମାନେ ରୋଗୀଙ୍କଠାରେ ଏକ ନମନୀୟ ବ୍ରୋଙ୍କୋସ୍କୋପିକ୍ ପ୍ରବେଶ କରାଇଥିଲେ । ପରେ ହିଟ୍ ଆଣ୍ଡ କୋଲ୍ଡ ପଦ୍ଧତି ଜରିଆରେ ଉତ୍ତାପ ନିୟନ୍ତ୍ରଣ ପ୍ରକ୍ରିୟା ବ୍ୟବହାର କରି ଟୁ୍ୟମରର ସଫଳ ଅସ୍ତ୍ରୋପ୍ରଚାର କରାଯାଇଥିଲା । ଏନେଇ କିମ୍ସ ଇଣ୍ଟରଭେନସନାଲ ପଲମୋନୋଲୋଜି ବିଭାଗର ଡା ଦେବାଶିଷ ବେହେରା, ଡା ସ୍ୱଦୀପ ମିଶ୍ର ଏବଂ ଡା ସୁଶାନ୍ତ ମିଶ୍ର ଏହି ଜଟିଳ ଅସ୍ତ୍ରୋପ୍ରଚାରର ନେତୃତ୍ୱ ନେଇଥିଲେ । ଡା ଅଶୋକ କୁମାର ବଡମାଳି, ଡା ଜ୍ଞାନ ରଞ୍ଜନ ମିଶ୍ରଙ୍କ କାର୍ଡିଆକ୍ ଆନାସ୍ଥସିଆ ଦଳ ଏଥିରେ ସଂପୂର୍ଣ୍ଣ ସହଯୋଗ କରିଥିଲେ ।