ସରକାରୀ ଦୋକାନରୁ ବୁହା ହେଉଛି ମଦ

ଯାଜପୁର ସଦର : ଜିଲା ଅବକାରୀ ହେଡ଼କ୍ୱାଟର ଯାଜପୁରରେ ଚୋରା ନିଶା କାରବାର ବଢିବାରେ ଲାଗିଛି । ସରକାରୀ ମଦଦୋକାନରୁ ଚୋରା କାରବାରର ଚେର ଛକ ବଜାର, ଗାଁ ଗହଳିଯାଏ ବ୍ୟାପିବାରେ ଲାଗିଛି । ସରକାରୀ ମଦ ଦୋକାନରୁ ପେଟଇ ପେଟି ମଦ ବେପାରୀ ବୋହି ନେଇ ଛକ ବଜାର, ଗାଁ ଗହଳିରେ ଖୋଲିଥିବା ଦୋକାନ, ଢାବା, ହୋଟେଲ ମାନଙ୍କରେ ବେଫିକର ବିକ୍ରି କରୁଛନ୍ତି । ପେଟି ପେଟି ମଦ ବିକ୍ରି କରିବାର ଅନୁମତି ନଥିଲେ ବି ଅବକାରୀ ବିଭାଗର ପ୍ରୋସôାହନ କାରଣରୁ ଏହା ସମ୍ଭବ ହେଉଛି । ଚୋରା କାରବାର ଉପରେ ଅଙ୍କୁଶ ଲଗାଇବାକୁ ଅବସ୍ଥାପିତ ହୋଇଥିବା ଅବକାରୀ ବିଭାଗ ନିଦାବିଷ୍ଣୁ ସାଜିଥିବାରୁ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାକୁ ଲାଗୁଛି । ଏଥିପାଇଁ ସାଧାରଣରେ କୁହାଯାଉଛି ଚୋରା ନିଶାଦ୍ରବ୍ୟ ଓ ମଦ କାରବାର ସୁରକ୍ଷା ସ୍ତଳ ଯାଜପୁର ପାଲଟିଛି । ସହର ମଧ୍ୟରେ ଥିବା ସରକାରୀ ମଦ ଦୋକାନରୁ ପେଟି ପେଟି ମଦ ବୁହାହେଉଥିବାର ଫଟୋ ଚିତ୍ର ଘୁରିବୁଲୁଥିବା ବେଳେ ଅବକାରୀ ବିଭାଗ ଦୃଷ୍ଟିକୁ ଆସୁନି କିପରି ତାହା ସାଧାରଣଙ୍କୁ ସନେ୍ଦହରେ ପକାଇଛି । ଥାନା ଓ ଅବକାରୀ ବିଭାଗକୁ ମାସିକିଆ ଦେଇ ଲୋକଙ୍କ ଜୀବନ ସହ ଖେଳ ଖେଳୁଛନ୍ତି ଚୋରା ମଦ ବେପାରୀ । ବର୍ଷ ଶେଷରେ ମଦ ବେପାରୀଙ୍କୁ ଗୋଟେ ଦି’ଟା ମାମଲା କରି ନିଜ ଦୋଷ ଉପରେ ଚାଦର ଢାଙ୍କୁଛି ବିଭାଗ । କିଛିଦିନ ପୂର୍ବେ ଯାଜପୁର ଟାଉନ ଥାନାଅଧିକାରୀ ଶରତ ଚନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ସହରର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ଅଭିଯୁକ୍ତ ସହିତ ଚୋରା ମଦ ଜବତ କରୁଥିଲେ ହେଁ ଅବକାରୀ ବିଭାଗ କିନ୍ତୁ ହାତବାନ୍ଧି ବସୁଛି । ଦିନ ଦ୍ୱିପ୍ରହରରେ ମଦୁଆ ଗରିଆପୁର, କୁସୁମା, କଲେଜଛକ ଖେଳପଡିଆ, ବୈତରଣୀ ନଦୀ କୂଳରେ, ବାରୁଣୀ ପଡିଆରେ, ବରାହ ନୃସିଂହ ମନ୍ଦିରର ପଛ, ଖେଳପଡିଆ ଭଳି ସର୍ବସାଧାରଣ ସ୍ଥାନକୁ ନିଜର ଆଡ୍ଡା ବାଛିନେଇଛନ୍ତି । ସାଧାରଣ ଲୋକ ଓ ମହିଳା ନିଜକୁ ସୁରକ୍ଷିତ ଭାବୁ ନାହାନ୍ତି । ସ୍ଥାନୀୟ  କାଉଣ୍ଟରରୁ ବେପାରୀ ମଦ ଆଣି ବିକ୍ରି କରିବା ସହ ଅଧିକ ଲାଭ ଆଶାରେ ସ୍ଥାନୀୟ ଅପମିଶ୍ରିତ ଚୋରା ମଦ ଆଣି ବିକ୍ରି କରୁଛନ୍ତି । ବିଭିନ୍ନ ପାନ, ଜଳଖିଆ, ହୋଟେଲରେ ଖାଦ୍ୟ ଓ ସାମଗ୍ରୀ ବିକ୍ରି କରିବା ବାହାନାରେ କେବିନ ଏବଂ ନିଜ ଘରେ ମଦରଖି ବିପୁଳ ପରିମାଣର ମଦ ବେପାର କରୁଥିବା ଅଭିଯୋଗ ହେଉଛି । ଅବକାରୀ ବିଭାଗ ଚୋରା ମଦ କାରବାର ଉପରେ ଅଙ୍କୁଶ ଲଗାଇବାକୁ ବୁଦ୍ଧିଜୀବୀ ମହଲରୁ ଦାବି କରାଯାଇଛି ।