ଡମ୍ଫରକୁ ଧକ୍କା ଦେଲା ଆମ୍ବୁଲାନ୍ସ ଜଣେ ମୃତ, ୩ ଗୁରୁତର
ଧର୍ମଶାଳା: ଗୁରୁବାର ଭୋର ସମୟରେ ପଶ୍ଚିମବଙ୍ଗରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ଆମ୍ବୁଲାନ୍ସ ୧୬ନଂ ଜତୀୟ ରାଜପଥର ଚଣ୍ଡିଖୋଲ ନିକଟ ନେଉଳପୁର ରେଲୱେ ଓଭରବ୍ରିଜ ନିକଟରେ ଡମ୍ଫରକୁ ଧକ୍କା ଦେଇଥିଲା । ଧକ୍କାରେ ଆମ୍ବୁଲାନ୍ସଟି ଚୁରମାର ହୋଇଯାଇଥିଲା । ଆମ୍ବୁଲାନ୍ସ ଭିତରେ ଥିବା ୪ଜଣଙ୍କ ମଧ୍ୟରୁ ଘଟଣା ସ୍ତଳରେ ଜଣଙ୍କ ମୃତୁ୍ୟ ଘଟିଥିବା ବେଳେ ୩ଜଣ ଗୁରୁତର ହୋଇଥିଲେ । ସୂଚନାମତେ ପଶ୍ଚିମବଙ୍ଗ ମେଦନାପୁରରୁ ରୋଗୀ ଧରି ଡବ୍ଲୁବି୩୦ଡି-୯୨୭୪ଆମ୍ବୁଲାନ୍ସ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଛିଡା ହୋଇଥିବା ଏକ ଡମ୍ଫକୁ ଧକ୍କା ଦେଇଥିଲା । ଯାହା ଫଳରେ ଜଣକ ମୃତୁ୍ୟ ଘଟିଥିଲା ଏବଂ ୩ଜଣ ଗୁରୁତର ହୋଇଥିଲେ । ମୃତକ ମେଦନାପୁର ଅଂଚଳର ସେକ ସମଦ ଆଜାଦ (୨୨) ହୋଇଥିବା ବେଳେ ଆହତ ସେହି ମେଦନାପୁର ଅଂଚଲର ଆରତି ବିବି (୭୩),ମନୱରୀ ବେଗମ (୫୦) ଓ ଅମ୍ବୁଲାନ୍ସ ଡ୍ରାଇଭର ସାଇକନ ଦେ (୫୪) ବୋଲି ଜଣାପଡିଛି । ଖବର ପାଇ ଘଟଣା ସ୍ଥଳରେ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ପହଁଚି କଟର ମେସିନ ସାହାଯ୍ୟରେ ଚାପି ହୋଇ ଯାଇଥିବା ଗୁରୁତରଙ୍କୁ ଉଦ୍ଧାର କରି ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟରେ ଭର୍ତି କରିଥିଲେ । ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ଆମ୍ବୁଲାନ୍ସ ଡ୍ରାଇଭରର ଆଖି ଲାଗି ଯିବାରୁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ଘଟଣା ସ୍ଥଳରେ ଜାତୀୟ ରାଜପଥ ପୁଲିସ ପାଟ୍ରୋଲିଙ୍ଗ୍ ଅଫିସର ପୁଲିସ ସୁଶୀଲ କୁମାର ପାଣିଗ୍ରାହୀ ଏବଂ ଧର୍ମଶାଳା ପୁଲିସ ପହଁଚି ଆମ୍ବୁଲାନ୍ସଟିକୁ ଜବତ୍ କରିଥିଲେ ହେଁ ଡମ୍ଫରଟି ଘଟଣା ସ୍ଥଳୁ ଚମ୍ପଟ ମାରିଥିଲା ଏନେଇ ଧର୍ମଶାଳା ଥାନା ପୁଲିସ ୮୩୪/୨୪ ରେ ଏକ ମାମଲା ରୁଜୁ କରି ମୃତଦେହକୁ ଜବତ କରି ବ୍ୟବଛେଦଲାଗି ଧର୍ମଶାଳା ମେଡିକାଲ ପଠାଇ ଘଟଣାର ତଦନ୍ତ ଚଳାଇଛି ବୋଲି ଭାରପ୍ରାପ୍ତ ଅଧିକାରୀ ଜହର ଆବେଦିନ ସୂଚନ ଦେଇଛନ୍ତି ।