ସରସ୍ୱତୀ ଶିଶୁ ମନ୍ଦିରର ବାର୍ଷିକୋତ୍ସବ
ବାଲେଶ୍ୱର: ବାଲିଆ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଦ୍ୱାବିଂଶତିତମ୍ ବାର୍ଷିକ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବକୁ ରେମୁଣା ବିଧାୟକ ତଥା ସରକାରୀ ଦଳ ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ ଯୋଗ ଦେଇ ଉଦ୍ଘାଟନ କରିଥିଲେ । ବିଦ୍ୟାଳୟ ପରିଚାଳନା ସମିତିର ସଭାପତି କାଞ୍ଚନବାଳା ପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ ଯୋଗ ଦେଇ ସମୟାନୁବର୍ତ୍ତିତା ଶୃଙ୍ଖଳା ଓ ଦେଶ ସେବା ଜଣେ ଛାତ୍ରକୁ ଆଦର୍ଶ କରି ଗଢି ତୋଳେ ବୋଲି ମାର୍ଗଦର୍ଶନ କରିଥିଲେ । ମୁଖ୍ୟବକ୍ତା ଭାବେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ରବିନାରାୟଣ ଶତପଥୀ, ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟର ଯୁଗ୍ମ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ବେହେରା ଯୋଗ ଦେଇଥିବାବେଳେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ନରେନ୍ଦ୍ର କୁମାର ମହାନ୍ତି ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ପ୍ରାଚୀର ପତ୍ରିକା "ଶାମୁକା’ ଓ ବାର୍ଷିକ ମୁଖପତ୍ର "ସମର୍ପଣ’କୁ ମୁଖ୍ୟ ଅତିଥି ଉନ୍ମୋଚନ କରିଥିଲେ । ଏହି ଉପଲକ୍ଷେ ବିଭିନ୍ନ କ୍ଷେତ୍ରରେ କୃତି ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କାର କରିଥିଲେ । ପରେ ପିଲାମାନଙ୍କର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।