ରାମନବମୀ  ପାଇଁ ଶାନ୍ତି କମିଟି ବୈଠକ 

 ବାଲେଶ୍ୱର : ଆସନ୍ତା ଏପ୍ରିଲ ୫ ଓ ୬ ତାରିଖରେ ପାଳନ ହେବାକୁ ଥିବା ରାମ ନବମୀ ଓ ୧୪ ତାରିଖରେ ପାଳନ ହେବାକୁ ଥିବା ହନୁମାନ ଜୟନ୍ତୀ ଉତ୍ସବକୁ ଦୃଷ୍ଟିରେ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି  । ଏହି ବୈଠକରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଅଧ୍ୟକ୍ଷତା କରିଥିବାବେଳେ ଜିଲ୍ଲାପରିଷଦ ଅଧ୍ୟକ୍ଷ ନାରାୟଣ ପ୍ରଧାନ, ବାଲେଶ୍ୱର ପୌରପାଳିକା ଅଧ୍ୟକ୍ଷା ସବିତା ସାହୁ, ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ, ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ, ଭାରପ୍ରାପ୍ତ ଉପଜିଲ୍ଲାପାଳ ଡ. ମଧୁସ୍ମିତା ସାମନ୍ତରାୟ, ଅତିରିକ୍ତ ଏସପି ଦେବଜ୍ୟୋତି ଦାସ ଓ ଆଇପିଏସ ପ୍ରୋବେସନର ସୁଶ୍ରୀ ଅର୍ଚ୍ଚିତା ମିତ୍ତଲ ପ୍ରମୁଖ ମଞ୍ଚାସୀନ ଥିଲେ । ପୂଜାପାର୍ବଣ ସମୟରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ସଦର ମହକୁମାକୁ ଆସୁଥିବା ଭକ୍ତଙ୍କ ସୁବିଧା ପାଇଁ ସମସ୍ତ ପ୍ରକାରର ଆବଶ୍ୟକୀୟ ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ ବିକାଶ ମତ ପ୍ରକାଶ କରିଥିଲେ । ସେହିପରି ଉତ୍ସବକୁ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବା ଉପରେ ଆରକ୍ଷୀ ଅଧିକ୍ଷକ ପ୍ରସାଦ ଗୁରୁତ୍ୱାରୋପ କରିଥିଲେ ।  ରାମନବମୀ ଉପଲକ୍ଷେ ଆସନ୍ତା ୫ ତାରିଖରେ ହେବାକୁ ଥିବା ମୋଟର ସାଇକେଲ ରାଲି ନିମନ୍ତେ ଅପରାହ୍ନ ୩ ଘଟିକାରୁ ୬ ଘଟିକା ପର୍ଯ୍ୟନ୍ତ ସମୟ ନିର୍ଦ୍ଧର୍ାରଣ କରାଯାଇଥିବାବେଳେ ଆସନ୍ତା ୬ ତାରିଖରେ ପଦଯାତ୍ରା ଚୂଡାନ୍ତ କରାଯାଇଛି । ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ମୋଟର ସାଇକଲ ରାଲି ଓ ପଦଯାତ୍ରା ସାରିବାକୁ ଏବଂ ଡିଜେ ମୁ୍ୟଜିକ ସିଷ୍ଟମ ଉପରେ ସମ୍ପୂର୍ଣ୍ଣ କଟକଣା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଯାତ୍ରା ବେଳେ କୌଣସି ପ୍ରକାରର ଅସ୍ତଶସ୍ତ୍ର ବ୍ୟବହାର ନ କରିବା ପାଇଁ ନିଦେ୍ର୍ଦଶ ଦିଆଯିବା ସହ ମାଦକ ଦ୍ରବ୍ୟ ବିକ୍ରୟ ଉପରେ କଟକଣା ଲଗାଯିବା ନେଇ ସ୍ଥିର କରାଯାଇଛି । ଉପସ୍ଥିତ ଲୋକଙ୍କ ପାଇଁ ପର୍ଯ୍ୟାପ୍ତ ଜଳ ଏବଂ ଚିକିତ୍ସା କେନ୍ଦ୍ରର ବ୍ୟବସ୍ଥା କରାଯିବାର ସୂଚନା ଦିଆଯାଇଛି । ଟ୍ରାଫିକ ପରିଚାଳନା ଓ ଭିଡ ନିୟନ୍ତ୍ରଣକୁ କଡାକଡି ଲାଗୁ କରିବା ପାଇଁ ପୁଲିସ ବିଭାଗ ସହ ସମନ୍ୱୟ ରକ୍ଷା କରାଯିବା ସହ ଆସନ୍ତା ପର୍ବଗୁଡିକ ଶାନ୍ତିଶୃଙ୍ଖଳାର ସହ ପାଳନ କରିବା ପାଇଁ ଜିଲ୍ଲାପାଳ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପୁଲିସ, ବିଦୁ୍ୟତ, ସ୍ୱାସ୍ଥ୍ୟ ବିଭାଗ, ସ୍ଥାନୀୟ ଧାର୍ମିକ ଏବଂ ଗୋଷ୍ଠୀଙ୍କ ପ୍ରତିନିଧି ଏବଂ ଅନ୍ୟାନ୍ୟ ବିଭାଗର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ ।