ଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକ  

 ଜଗତସିଂହପୁର : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଆଞ୍ଚଳିକ ପରିବହନ ପ୍ରାଧିକରଣ ଆନୁକୂଲ୍ୟ ରେ ଜିଲ୍ଲା ସଡକ ସୁରକ୍ଷା କମିଟିର ବୈଠକ ଅନୁଷ୍ଠିତ ହୋଇ ଯାଇଅଛି । ଏହି ବୈଠକରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ ଦୁର୍ଘଟଣାର କାରଣ ଗୁଡ଼ିକ ଉପରେ ଗୁରୁତ୍ୱାରୋପ କରି ତାର ନିରାକରଣ ନିମନ୍ତେ ପଦକ୍ଷେପ ନେବା ପାଇଁ କହିଥିଲେ । ନୂତନ ଭାବେ ପ୍ରଣୀତ ହୋଇଥିବା ‘ରାହ ବୀର' ଯୋଜନା ବିଷୟରେ ଅବଗତ କରାଇଥିଲେ । ଏହି ଯୋଜନା ଅନୁଯାୟୀ,ଯେଉଁମାନେ ଦୁର୍ଘଟଣାର ଶିକାର ହେଉଥିବା ଲୋକ ମାନଙ୍କୁ ଗୋଲ୍ଡେନ ଆୱାର ଭିତରେ ଡାକ୍ତରଖାନା ପହଞ୍ଚାଇ ସରକାରଙ୍କ ତରଫରୁ ୨୫୦୦୦ ଟଙ୍କାର ପୁରସ୍କାର ପ୍ରଦାନ କରାଯିବ । ବୈଠକରେ ଉପସ୍ଥିତ ରହି ଆରକ୍ଷୀ ଅଧିକ୍ଷକ ଭବାନୀ ଶଙ୍କର ଉଦଗାତା ରାସ୍ତା ମରାମତି, ଶିକ୍ଷା, ସଚେତନତା, ଆଇନ ଅମନ୍ୟକାରି ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଦୁର୍ଘଟଣାର ମାତ୍ରା କମାଇ ପାରିବ ବୋଲି ମତ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ, ପାରାଦ୍ୱୀପ, ନିରଞ୍ଜନ ବେହେରା କହିଲେ ଯେ, ଗତ ୨ ମାସ ମଧ୍ୟରେ ଏନଫୋର୍ସମେଣ୍ଟ ଫଳରେ ଦୁର୍ଘଟଣାର ମାତ୍ରା କମିଛି । ତେଣୁ ପୁଲିସ, ପ୍ରଶାସନ, ପରିବହନ ବିଭାଗ ଓ ଜନସାଧାରଣଙ୍କ ମିଳିତ ସହଯୋଗରେ ଏହି କାର୍ଯ୍ୟ ସମ୍ଭବ । ଉପ ଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ଦୁର୍ଘଟଣାର କାରଣ ଓ ନିରାକରଣ ଉପରେ ଆଲୋକପାତ କରିବା ସହ ବିଭିନ୍ନ କାର୍ଯ୍ୟଳୟ, ଶିକ୍ଷାନୁଷ୍ଠାନ, ବ୍ୟବସାୟିକ ଅନୁଷ୍ଠାନ ପାଖରେ ସଡକ ସୁରକ୍ଷା ସଚେତନତା ବାର୍ତ୍ତା ପ୍ରଦର୍ଶନ ପାଇଁ ଉପଦେଶ ଦେଇଥିଲେ । ଆଞ୍ଚଳିକ ପରିବହନ ଅଧିକାରୀ ନିର୍ମଳ ମହାନ୍ତି କାର୍ଯ୍ୟସୂଚୀ ଅନୁଯାୟୀ ଆଲୋଚନା କରିଥିଲେ ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।