ଆମେରିକୀୟ ରିପୋର୍ଟକୁ ଭାରତର ପ୍ରତ୍ୟାଖାନ ‘ଦେଶରେ ଅପମାନିତ ହେଉଛନ୍ତି ସଂଖ୍ୟାଲଘୁ’
ନୂଆଦିଲ୍ଲୀ : ଭାରତରେ ସଂଖ୍ୟାଲଘୁଙ୍କ ପ୍ରତି ଅପମାନଜନକ ବ୍ୟବହାର କରାଯାଉଛି । ୟୁଏସ୍ କମିଶନ ଅନ୍ ଇଣ୍ଟନାସନାଲ ରିଲିଜିୟସ୍ ଫ୍ରିଡମ୍ (ୟୁଏସ୍ସିଆଇଆର୍ଏଫ୍) ପକ୍ଷରୁ ଦିଆଯାଇଥିବା ଏଭଳି ରିପୋର୍ଟକୁ ଭାରତ ନିନ୍ଦା କରିବା ସହ ଏହାକୁ ପ୍ରତ୍ୟାଖାନ କରିଛି ଏବଂ ଏହା ଅତ୍ୟନ୍ତ ‘ଚିନ୍ତାଜନକ’ ବିଷୟ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ବୃହତ ଗଣତନ୍ତ୍ର ଏବଂ ସହନଶୀଳତାର ପ୍ରତୀକ ଥିବା ଭାରତର ସ୍ଥିତିକୁ ଦୁର୍ବଳ କରିବାକୁ ଆମେରିକା ଯେଉଁ ପ୍ରୟାସ କରିଛି ତାହା କଦାପି ସଫଳ ହେବ ନାହିଁ । ଏଭଳି କହି ୟୁଏସ୍ କମିଶନକୁ କଡ଼ା ଭର୍ତ୍ସନା କରିଛି ବୈଦେଶିକ ମନ୍ତ୍ରାଳୟ ।
ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ରଣଧିର ଜୟସ୍ୱାଲ କହିଛନ୍ତି ୟୁଏସ୍ସିଆଇଆର୍ଏଫ୍ର ସଦ୍ୟ ପ୍ରକାଶିତ ରିପୋର୍ଟ ସମ୍ପୂର୍ଣ୍ଣ ମିଥ୍ୟ ଏବଂ ଏହା ରାଜନୈତିକ ପ୍ରଣୋଦିତ । ୟୁଏସ୍ସିଆଇଆର୍ଏଫ୍ ବିଭ୍ରାନ୍ତିକର ତଥ୍ୟ ଦେଇ ଦେଶର ଜାତିୟତା ବାଦକୁ ବିଭାଜନ କରିବାକୁ ଚେଷ୍ଟା କରିବା ସହ କୋଣ ଅନୁକୋଣରେ ରହୁଥିବା ବିଭିନ୍ନ ସମାଜର ଧର୍ମୀୟ ଭାବନକୁ ଭଙ୍ଗ କରିବାକୁ ପ୍ରୟାସ କରୁଛି । ଏହିଭଳି ବିଭ୍ରାନ୍ତିକର ତଥ୍ୟ ଦେଶ ପାଇଁ ଅତ୍ୟନ୍ତ ଚିନ୍ତାଜନକ ବିଷୟ ବୋଲି ମନ୍ତ୍ରାଳୟ ମୁଖପାତ୍ର କହିଛନ୍ତି । ବିଗତ ଦିନରେ ଭାରତ ଏହିଭଳି ରିପୋର୍ଟକୁ ପ୍ରତ୍ୟାଖାନ କରିବା ଏହା ସମ୍ପୂର୍ଣ୍ଣ ପକ୍ଷପାତିତା ବୋଲି କହିଆସିଛି ।
ୟୁଏସ୍ସିଆଇଆର୍ଏଫ୍ର ୨୦୨୫ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ୨୦୨୪ ଲୋକସଭା ନିର୍ବାଚନ ସମୟରେ ବିଜେପି ସଂଖ୍ୟାଲଘୁଙ୍କ ଧର୍ମୀୟ ଭାବନାକୁ ଆଘାତ ଦେବା ଭଳି ବହୁ ବୟାନ ଦେଇଛି । ବିଶେଷ କରି ମୁସଲିମ୍ ଏବଂ ଅନ୍ୟ ସଂଖ୍ୟାଲଘୁଙ୍କ ପ୍ରତି ଅପମାନଜନକ ବୟାନ ଦେଇଛି । ସେହିପରି ଶିଖ୍ ବିଚ୍ଛିନ୍ନତାବାଦୀ ନେତା ଗୁରୁପତୱନ୍ତସିଂ ପନୁକୁ ହତ୍ୟା କରିବା ପାଇଁ ଭାରତର ଗୁଇନ୍ଦା ସଂସ୍ଥା ‘ର’ ଷଡ୍ୟନ୍ତ୍ର କରିଥିଲା ବୋଲି ରିପୋର୍ଟରେ ଦର୍ଶାଯାଇଛି । ଧାର୍ମିକ ସ୍ୱାଧୀନତା ଉଲ୍ଲଂଘନ ପାଇଁ ଭାରତକୁ ‘ବିଶେଷ ଚିନ୍ତାଜନକ ଦେଶ’ ଭାବେ ପରିଗଣିତ କରିବାକୁ ୟୁଏସ୍ କମିଶନ ଟ୍ରମ୍ପ୍ ପ୍ରଶାସନକୁ ସୁପାରିଶ ମଧ୍ୟ କରିଛି ।