ମାଦଳ ତାଳରେ ତାଳ ମିଶାଇ ନାଚିଲେ ରାଜ୍ୟସଭା ସାଂସଦ ମମତା ମହାନ୍ତ

ବାରିପଦା: ଜାତି ଭାଇ ଭଉଣୀଙ୍କ ସହ ମିଶି ହାତରେ ହାତ ଧରି , କରମନାଚ ଗୀତ ଓ ମାଦଳର ତାଳେତାଳେ ରାଜରାସ୍ତାରେ ନାଚିଲେ ନୂଆକରି ବିଜେପିରେ ଯୋଗ ଦେଇଥିବା ରାଜ୍ୟସଭା ସାଂସଦ ମମତା ମହାନ୍ତ । ଘଟଣା ମୁତାବକ କୁଡମୀ ସମ୍ପ୍ରଦାୟ ପକ୍ଷରୁ ପ୍ରତିବର୍ଷ ଭାଦ୍ରବ ମାସ ଏକାଦଶୀ ପୂର୍ବରୁ ବିଭିନ୍ନ ଶସ୍ୟରେ ପ୍ରସ୍ତୁତ ଜାୱାକୁ ୭ଦିନ ଧରି ପୂଜାର୍ଚ୍ଚନା କରିବା ପରେ ଏକାଦଶୀ ଦିନ ଏହାକୁ ବିସର୍ଜନ କରାଯାଇଥାଏ । ଏହା କୁଡୁମୀ ସମ୍ପ୍ରଦାୟର ଗଣପର୍ବ ହୋଇଥିବା ବେଳେ ଏକାଧିକ ପରିବାର ଏହାକୁ ପାଳନ କରନ୍ତି । ଏହି ପରିପ୍ରେକ୍ଷୀରେ ଶନିବାର ଦିନ କୁଡମୀ ସମ୍ପ୍ରଦାୟ ପାଳନ କରୁଥିବା ଦେଶ କରମ ପର୍ବର ଅନ୍ତିମ ଦିବସ ରହିଥିଲା । ବାରିପଦା ସ୍ଥିତ ସହିଦ ରଘୁନାଥ ମହାନ୍ତ ଦେଶ କରମ ପର୍ବ ପରିବାର ଓ ମହିଳା ମୋର୍ଚ୍ଚା ସହଯୋଗରେ ଶନିବାର ଦିନ ଜାୱା ଶୋଭାଯାତ୍ରା ବାରିପଦା କୃଷ୍ଣଚନ୍ଦ୍ରଗୋଲେଇ ଠାରୁ ବାହାରି ସହର ପରିକ୍ରମା କରିଥିଲା । ରାସ୍ତାରେ ଝୁମର ଗୀତର ସ୍ଵର ସହିତ ମାଦଳ ବାଜାର ତାଳେ ତାଳେ ମହିଳାମାନେ ନୃତ୍ୟ କରିଥିଲେ। ଆଉ ଏଥିରେ ନିଜ ଜାତିର ଭାଇ ଭଉଣୀଙ୍କ ସହ ମିଶି ରାଜ୍ୟସଭା ସାଂସଦ ମମତା ମହାନ୍ତ ମଧ୍ୟ ନୃତ୍ୟ କରିଥିଲେ । ଏଥିରେ ନିଜ ଜାତି ଭାଇଭଉଣୀଙ୍କ ସହ ଦେଖଣାହାରୀ ମଧ୍ୟ ଏହାର ଭରପୁର ଆନନ୍ଦ ନେଇଥିଲେ । ଏହି ଅବସରରେ ନିଜ ଜାତି ଲୋକଙ୍କ ଅର୍ଥନୈତିକ, ରାଜନୈତିକ ଓ ସାଂସ୍କୃତିକ ବିକାଶ ପାଇଁ କାମ କରିବା ପାଇଁ ସଂକଳ୍ପବଦ୍ଧ ବୋଲି ମମତା ମହାନ୍ତ ପ୍ରକାଶ କରିଛନ୍ତି । କୁଡମୀ ଜାତିକୁ ଆଦିବାସୀ ବର୍ଗରେ ସାମିଲ , କୁଡୁମାଲି ଭାଷାକୁ ଅଷ୍ଟମ ଅନୁଚ୍ଛେଦରେ ସାମିଲ, କୁଡମୀ ଭାଷାକୁ ବିଶ୍ବ ବିଦ୍ୟାଳୟରେ ସ୍ଥାନ ମିଳିବା , କୁଡମୀ ସମ୍ପ୍ରଦାୟର ଗଣପର୍ବ କରମପୂଜା ଦିଵସଟିକୁ ଛୁଟି ଘୋଷଣା କରିବା ଇତ୍ୟାଦି ପାଇଁ ସେ ରାଜ୍ୟ ସଭାରେ ଦାବି ଉଠାଇବେ ବୋଲି କହିଛନ୍ତି । କରମପୂଜା ଅବସରରେ କୁଡମୀ ସମ୍ପ୍ରଦାୟର ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟସଭା ସାଂସଦ ମମତା ମହାନ୍ତ ।