ସରୋଜ ସାହୁଙ୍କୁ ସ୍ୱାମୀ ମାନିଲେ ହଂସିତା
ସ୍ୱାମୀଙ୍କ ଦେହ ଖରାପ ଦର୍ଶାଇ ମାଗିଲେ ଜାମିନ୍; ୧୮କୁ ରହିଲା ଶୁଣାଣି
ଭୁବନେଶ୍ୱର, ୧୬ା୧ : ସରୋଜ ସାହୁଙ୍କୁ ସ୍ୱାମୀ ବୋଲି ମାନିଲେ ହଂସିତା । ସ୍ୱାମୀଙ୍କ ଦେହ ଖରାପ ଦର୍ଶାଇ ଅନ୍ତରୀଣ ଜାମିନ୍ ପାଇଁ କଲେ ଆବେଦନ । କିନ୍ତୁ ଫରୱାଡିଂ ଲେଟରରେ ଅନୀଲଙ୍କୁ ସ୍ୱାମୀ ଦର୍ଶାଇ ଥିଲା ଇନଫୋସିଟି ପୁଲିସ । ସେପଟେ ହଂସୀତା କହିଛନ୍ତି, ’ମୋ ସ୍ୱାମୀ ସରୋଜ ସାହୁ ଓ ତାଙ୍କ ଦେହ ଖରାପ ମୁଁ ତାଙ୍କ ଦେଖାଶୁଣା କରିବି ଓ କିଛି ଏହିଭଳି ଲେଖି ଅନ୍ତରୀଣ ଜାମିନ ପାଇଁ ହଂସିତାଙ୍କ ଓକିଲଙ୍କ ପକ୍ଷରୁ ଆବେଦନ କରାଯାଇଛି ଓ ଅତିରିକ୍ତ ଜିଲ୍ଲା ଦୌରାଜଜ୍-୨ କୋର୍ଟରେ ଏହିଭଳି ଆବେଦନ କରିଛନ୍ତି ହଂସିତାଙ୍କ ଓକିଲ ଓ ତେବେ ଏନେଇ ସରକାରୀ ଓକିଲ ମଧ୍ୟ ଅବଜେକ୍ସନ୍ ଫାଇଲ କରିଛନ୍ତି । ଏନେଇ ୧୮ ତାରିଖକୁ ଶୁଣାଣି ରଖିଛନ୍ତି ମାନ୍ୟବର କୋର୍ଟ । ପ୍ରଶ୍ନ ଉଠୁଛି ଫରୱାଡିଂ ଲେଟରରେ ଇନଫୋସିଟି ଥାନା ପୁଲିସ ଅଭିଯୁକ୍ତ ଅନିଲ ମହାନ୍ତିଙ୍କୁ ହଂସୀତାଙ୍କ ସ୍ୱାମୀ ଦର୍ଶାଇ କୋର୍ଟ ଚାଲାଣ କରିଥିଲା । ସେପଟେ ହଂସିତା ଓ ଅନିଲଙ୍କ ହେବ ବୟାନ ରେକର୍ଡ । ଜେଲରେ ବୟାନ ରେକର୍ଡ କରିବ ଆୟକର ବିଭାଗ । ଅନ୍ୟପଟେ ଖଣି ବେପାରୀଙ୍କଠାରୁ ଆରମ୍ଭ କରି ବିଲଡର, କଣ୍ଟ୍ରାକ୍ଟରଠୁ ରାଜନେତା ପର୍ଯ୍ୟନ୍ତ ସମସ୍ତଙ୍କ ଭିତରେ କୋକୁଆ ଭୟ । କିଏ ଜାଣେ କେତେବେଳେ କାହାକୁ କେଉଁ ମୁହୁର୍ତରେ ଆୟକର ବିଭାଗରୁ ଡାକରା ଆସିବ । ତଦନ୍ତ ଯେତିକି ବଢୁଛି ଏହି ଦଲାଲ ଦମ୍ପତିଙ୍କ ସଂପର୍କରେ ଥିବା ହେଭିୱେଟ୍ ସେତିକି ଛାନିଆ ହେଉଛନ୍ତି ଧୁର୍ତ୍ତ କର୍ପୋରେଟ ଦଲାଲ ବଣ୍ଟି-ବବଲୀଙ୍କ ବୟାନ ରେକର୍ଡ ପାଇଁ କୋର୍ଟରେ ଆବେଦନ କରିଛି ଆୟକର ବିଭାଗ । ଅନୁମତି ମିଳିବା ପରେ, ଝାରପଡା ଜେଲ ଭିତରେ ଉଭୟଙ୍କ ବୟାନ ରେକର୍ଡ କରାଯିବ । ଏନେଇ ସ୍ୱତନ୍ତ୍ର ଟିମ ଗଠନ ହୋଇଛି । ଏମାନଙ୍କ ପଛରେ ଥିବା ମାଷ୍ଟରମାଇଣ୍ଡ ବାବଦରେ ହେବ ଖୋଳତାଡ । ବେନାମୀ ସମ୍ପତ୍ତି ଓ ଦେଶ ବାହାରେ କାରବାର ହୋଇଥିବା ଟଙ୍କାର ଉସô ଜାଣିବାକୁ ଚାହୁଁଛି ତଦନ୍ତକାରୀ ସଂସ୍ଥା ।
ସେପଟେ, ଅଭିଲିପ୍ସା ଓ ଅନିଲ ମହାନ୍ତିଙ୍କ ଆକାଉଣ୍ଟ ଟ୍ରାନଜାକ୍ସନ ଦେଖି ଆୟକର ବିଭାଗ ବି ତାଜୁବ । ଏଥିରେ ଛନ୍ଦି ହୋଇଥିବା ୫୦ରୁ ଅଧିକ ଲୋକଙ୍କ ତାଲିକା ପ୍ରସ୍ତୁତ କରି ଧାଡି ଧାଡି କରି ଅଫିସ ଡାକି ଜେରା କରିବାକୁ ଯୋଜନା ଚାଲିଛି । ଏହାରି ଭିତରେ ବିଲଡର, ଠିକାଦାର, ବ୍ୟବସାୟୀ, ଅନିଲଙ୍କ ଆକାଉଣ୍ଟାଣ୍ଟ, ଲିଆସନିଂ ଅଫିସର, ଡ୍ରାଇଭର ଓ ହଂସିତାଙ୍କ ସ୍ୱାମୀମାନଙ୍କୁ ଜେରା ସରିଛି । ଦେଖିବାର କଥା ଆଗକୁ କାହା ପାଳି ପଡୁଛି ।
ସୂଚନାଯୋଗ୍ୟ ଯେ, ବିନା ଲୋନ୍ରେ ଦାମୀ କାର କିଣିବାକୁ ନେଇ ବିବାଦରେ ପଡିଥିଲେ ହଂସିତା ଅଭିଲିପ୍ସା ଓରଫ ରାକ୍ଷୀ ଓ ତାଙ୍କ ପାର୍ଟନର ଅନୀଲ ମହାନ୍ତି । ପୂର୍ବରୁ ହଂସିତା ଅଭିଲିପ୍ସାଙ୍କ ଘର ସମେତ ଅଫିସରେ ଚଢ଼ାଉ କରିଥିଲା ଆୟକର ଟିମ୍ । ଭୁବନେଶ୍ୱର, ଦିଲ୍ଲୀ, ଝାଡଖଣ୍ଡର ୧୨ଟି ସ୍ଥାନରେ ଏକକାଳୀନ ହୋଇଥିଲା ରେଡ୍ । ପିଏମଙ୍କ ପ୍ରମୁଖ ସଚିବଙ୍କ ଝିଅ-ଜ୍ୱାଇଁ ବୋଲି ମିଛ ପରିଚୟ ଦେଇ ଚଳାଇଥିଲେ ମହାଲୁଟ୍ । ଏମାନେ କେଉଁଠି ମୁଖ୍ୟ ଶାସନ ସଚିବଙ୍କ ସହ ତ ଆଉ କେଉଁ ପୂର୍ବତନ ଉଇଏ ଗିରୀଷ ମୁର୍ମୁଙ୍କ ସହିତ ଫଟୋ ଏଡିଟ୍ କରି ରଖିଛନ୍ତି । ସେହି ସବୁ ଫଟୋକୁ ଅସ୍ତ୍ର କରି ଶିଳ୍ପ ନାଁରେ ଜମି ଅଧିଗ୍ରହଣ, ଶିଳ୍ପକୁ କଞ୍ଚା ମାଲ ଯୋଗାଣ ପାଇଁ ଖଣି ମାଲିକଙ୍କୁ ଟେଣ୍ଡର ଦେବା, ବିଲଡରଙ୍କୁ ଜମି, ପ୍ଲଟ ସହ ବିଲଡିଂ ଆପ୍ରୁଭାଲ୍ କରାଇବା ଆଦିର ଲୋଭ ଦେଖାଇ ସେମାନଙ୍କଠାରୁ ମୋଟା ଅଙ୍କର ଚୁନା ଲଗାଇ କୋଟି କୋଟି ଟଙ୍କା ଠୁଳ କରିଥିଲେ ।