ରାଜଧାନୀରେ ବଡଧରଣର ଅଗ୍ନିକାଣ୍ଡ
ଇଲେକ୍ଟ୍ରୋନିକ୍ସ ଗୋଦାମରେ ଲାଗିଲା ନିଆଁ
ପ୍ରଥମଥର ନିଆଁ ଲିଭାଉଛି ରୋବଟ୍
ଭୁବନେଶ୍ୱର, ୨୩ା୧୨ : ରାଜଧାନୀରେ ବଡଧରଣର ଅଗ୍ନିକାଣ୍ଡ । ଭୁବନେଶ୍ୱର ସତ୍ୟନଗରରେ ଥିବା ଏକ ଇଲେକ୍ଟ୍ରୋନିକ୍ସ ଗୋଦାମରେ ଲାଗିଛି ଭୟଙ୍କର ନିଆଁ । ନିଆଁ ଲିଭାଇବାକୁ ଅଗ୍ନିଶମ ବାହିନୀର ୪ଟି ଟିମ୍ ଉଦ୍ୟମ ଜାରି ରଖିଛନ୍ତି । ଏହା ଭିତରେ ପ୍ରଥମ ଥର ପାଇଁ ରୋବଟ୍ ନିଆଁ ଲିଭାଉଥିବା ଦେଖାଯାଇଛି । ଏପଟେ ଗୋଦାମରେ କେମିତି ନିଆଁ ଲାଗିଲା, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଗୋଦାମରେ ଥିବା ଲକ୍ଷ ଲକ୍ଷ ଟଙ୍କାର ଅନେକ ସାମଗ୍ରୀ ନିଆଁରେ ଜଳିପୋଡି ପାଉଁସ ହୋଇଯାଇଛି ।
ସୂଚନାଯୋଗ୍ୟ ଯେ, ଆଜି ତଥା ସୋମବାର ରାତି ୮ଟା ୪୦ ସମୟରେ ଖାରବେଳନଗର ସ୍ଥିତ ସତ୍ୟନଗର ଅଞ୍ଚଳରେ ଥିବା ଇଲେକ୍ଟ୍ରୋନିକ୍ସ ତଥା ପ୍ରେସର କୁକର ଗୋଦାମରେ ହଠାତ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା । ନିଆଁ ଲାଗିବା ଦେଖି ଗୋଦାମରେ କାମ କରୁଥିବା ସମସ୍ତ କର୍ମଚାରୀ ବାହାରକୁ ଦୌଡ଼ି ଆସିବା ସହ ପ୍ରଥମେ ନିଆଁକୁ ଆୟତ କରିବାକୁ ପାଣି ଢ଼ାଲିଥିଲେ । କିନ୍ତୁ ନିଆଁ ଲିଭିବା ବଦଳରେ କିଛି ବୁଝିବା ପୂର୍ବରୁ ସବୁଆଡେ ନିଆଁ ଜଳିବା ଆରମ୍ଭ ହୋଇଥିଲା । ଫଳରେ କର୍ମଚାରୀ ଓ ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପ୍ରଥମେ ୨ଟି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ । ହେଲେ ନିଆଁ ଏତେ ଯୋରରେ ଲାଗିଥିଲା ଯେ ପୁଣି ଆଉ ୨ଟି ଡମକଳ ପହଞ୍ଚି ନିଆଁକୁ ଲିଭାଇଥିଲା । ହେଲେ ନିଆଁ ସବୁଆଡେ ଲାଗିଯିବା ଫଳରେ ଗୋଦାମ ଭିତରେ ଥିବା ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ଓ କେହି ଭିତରେ ରହିଯାଇଥିବା ସନେ୍ଦହ କରି ଏବଂ ନିଆଁ ଯେମିତି ଅନ୍ୟ କୁଆଡେ ନ ବ୍ୟାପେ ସେ ନେଇ ଓଡ଼ିଶାକୁ ଆସିଥିବା ପ୍ରଥମଥର ପାଇଁ ୩ଟି ରୋବଟ୍କୁ ଅଣାଯାଇ ନିଆଁ ଲିଭାଯିବାର ପ୍ରୟାସ ଜାରି ରଖିଛନ୍ତି । ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି ।