ଆଇନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ଆଇବିସି ସଭାପତି
ଭୁବନେଶ୍ୱର : ଆଜି ଭାରତୀୟ ବିଲ୍ଡିଙ୍ଗସ୍ କଂଗ୍ରେସ୍ (ଆଇବିସି)ର ଜାତୀୟ ସଭାପତି ଇଂ. ଚିନ୍ମୟ ଦେବନାଥ ରାଜ୍ୟ ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ସାକ୍ଷାତ କରିଛନ୍ତି । ଏହାସହ ଆଇବିସିର କାର୍ଯ୍ୟାବଳୀ ସଂପର୍କରେ ଅବଗତ କରିଥିଲେ । ବିଭିନ୍ନ ରାଜ୍ୟରେ ରାଜ୍ୟ ସରକାରଙ୍କ ସହଯୋଗରେ ଆଇବିସି ଉଚ୍ଚକୋଟୀର ବୈଷୟିକ କର୍ମଶାଳା ଆୟୋଜିତ କରିବା ସହ ନିର୍ମାଣ ପରିବେଶରେ ସଂପୃକ୍ତ ପେସାଦାରଙ୍କର କାର୍ଯ୍ୟଦକ୍ଷତା ଓ ଗୁଣବତ୍ତାରେ ଉନ୍ନତି ଆଣିବାରେ ସହାୟତା କରିଛି । ଏହି ଅବସରେ ଓଡିଶା ଚାପଟର ମୁଖ୍ୟ ଇଂ ବିଜୟ ଚନ୍ଦ୍ର ତ୍ରିପାଠୀ ଗତ ଏକ ବର୍ଷ ମଧ୍ୟରେ ନିଆଯାଇଥିବା କାର୍ଯ୍ୟକଳାପ ସଂପର୍କରେ ଅବଗତ କରାଇଥିଲେ । ଏହାସହ ଆଗାମୀ ୮ ଜୁନ୍ ୨୦୨୫ରେ ଅନୁଷ୍ଠିତ ହେବାକୁ ଥିବା ଆଇବିସି ନିର୍ବାହୀ କମିଟି ଏବଂ ଜାତୀୟ ବୈଷୟିକ ସମ୍ମିଳନୀ ସମ୍ପର୍କରେ ସେ ସୂଚନା ଦେଇଥିଲେ । ଆଇନ ମନ୍ତ୍ରୀ ନିର୍ମାଣ କ୍ଷେତ୍ରରେ ନୂତନ ପଦ୍ଧତି ଓ ଡିଜାଇନ୍ ବିଷୟରେ ଅଧିକ ଗବେଷଣାତ୍ମକ ଆଲୋଚନା କରି ଦେଶକୁ ପ୍ରଗତି ପଥରେ ଆଗେଇନେବା ପାଇଁ ପରାମର୍ଶ ଦେଇଥିଲେ । ଏ ଅବସରେ ଓଡ଼ିଶାର ମୁଖ୍ୟ ଯନ୍ତ୍ରୀ ( ବିଲଡିଂ) ଇଞ୍ଜିନିୟର୍ ପ୍ରିୟବ୍ରତ ସାମନ୍ତରାୟ, ସିସିଇ ଇଂ ମନୋଜ ମହାନନ୍ଦ ଏବଂ ଅନ୍ୟ ଇଞ୍ଜିନିଅରମାନେ ଉପସ୍ଥିତ ଥିଲେ ।