ରଜ ମହୋତ୍ସବ ପାଇଁ ବ୍ୟାପକ ପ୍ରସ୍ତୁତି

ଖଇରା : ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକର ପ୍ରସିଦ୍ଧ ସୁନ୍ଦରପୁର ରଜ ମହୋତ୍ସବକୁ ଆଉ ମାତ୍ର ୨ଦିନ ରହିଲା । ଏଥିପାଇଁ ଖଇରା ବ୍ଲକ ଉତ୍ସବମୁଖର । ସୁନ୍ଦରପୁର ସ୍କୁଲ ପଡିଆରେ ଚାଲିଛି ବ୍ୟାପକ ଆୟୋଜନ । ଓଡିଶାର ବିଭିନ୍ନ ପ୍ରାନ୍ତରୁ ଦୋଳି, ଭଳିକି ଭଳି ଦୋକାନୀ ଆସ୍ଥାନ ଜମାଇ ସାରିଲେଣି । ଉତ୍ସବକୁ ଶାନ୍ତିଶୃଙ୍ଖଳାର ସହ କରିବା ପାଇଁ ମହୋତ୍ସବ କମିଟି ପକ୍ଷରୁ ତୁହାକୁ ତୁହା ବୈଠକ ଚାଲିଛି । ଏ ସମ୍ପର୍କରେ କମିଟି ପକ୍ଷରୁ ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ ୪ଦିନ ଧରି ଚାଲିବାକୁ ଥିବା କୃଷି ଭିତ୍ତିକ ଏହି ପର୍ବର ବିସ୍ତୃତ ବିବରଣୀ ପ୍ରଦାନ କରାଯାଇଛି । ୧୨ ତାରିଖରେ ମେଗା ରକ୍ତଦାନ ଶିବିର,୧୩ ତାରିଖରେ ଉଦ୍ଘାଟନୀ ସହ ୧୬ ତାରିଖରେ  ଉଦ୍ୟାପନୀ ସମାରୋହ ଅନୁଷ୍ଠିତ ହେବ । ଉକ୍ତ ଦିବସ ଗୁଡିକରେ ପ୍ରତ୍ୟେକ ସନ୍ଧ୍ୟାରେ ସଭା ସମ୍ବର୍ଦ୍ଧନା ସାଙ୍ଗକୁ ଓଡିଶାର ଲବ୍ଧ ପ୍ରତିଷ୍ଠିତ କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେବ । ତା’ସହିତ ପ୍ରତ୍ୟେକ ସନ୍ଧ୍ୟାରେ ରଜରାଣୀ ପ୍ରତିଯୋଗିତା ଅନୁଷ୍ଠିତ ହେବା ନେଇ କମିଟି ପକ୍ଷରୁ ସୂଚନା ଦିଆଯାଇଛି । ସୁରେନ୍ଦ୍ର ନାଥ ରାଉତଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମ୍ବାଦିକ ସମ୍ମିଳନୀରେ ସମ୍ପାଦକ ଚନ୍ଦ୍ରକାନ୍ତ କୁଅଁର, ଉପଦେଷ୍ଟା ନରହରି ନାୟକ, ଡା. ହରେକୃଷ୍ଣ ରାଉତ, ଉପେନ୍ଦ୍ର ପ୍ରସାଦ ଦାସ, ଗଦାଧର ଜେନା, ଦେବେନ୍ଦ୍ର କୁମାର ନାୟକ, ସଂଯୋଜକ ବରେନ୍ଦ୍ର କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।