କୃଷି କି୍ରୟାନୁଷ୍ଠାନ ସମିତିର ସମ୍ମିଳନୀ ପ୍ରସ୍ତୁତି
ବାଲେଶ୍ୱର : କୃଷି ମହାବିଦ୍ୟାଳୟ ଓ ଗବେଷଣା କ୍ଷେତ୍ର ପ୍ରତିଷ୍ଠା କି୍ରୟାନୁଷ୍ଠାନ ସମିତିର ଜିଲ୍ଲାସ୍ତରୀୟ ୨ୟ ସମ୍ମିଳନୀ ପାଇଁ ଶେଷ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଡ. କେଶବ ଚରଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆସନ୍ତା ଆଠ ତାରିଖ ଦିନ କୁରୁଡ଼ା ସ୍ଥିତ ‘ଓଡ଼ିଶା ଫଲୋଅପ୍’ ସଭାଗୃହରେ ଅନୁଷ୍ଠିତ ସମ୍ମିଳନୀକୁ ସଫଳ କରିବା ପାଇଁ ବ୍ୟାପକ ପ୍ରସ୍ତୁତିର ସମୀକ୍ଷା କରାଯାଇଛି । ଉକ୍ତ ଦିନ ସକାଳ ୯ଟାରେ ପଞ୍ଜିକରଣ ଓ ଉଦ୍ଘାଟନ ପରେ ବହୁ ବିଶିଷ୍ଟ ବ୍ୟକ୍ତି ସମ୍ମିଳନୀର ସାଧାରଣ ଅଧିବେଶନରେ ଯୋଗ ଦେବେ । ଅତିଥି ଓ ବକ୍ତାଭାବେ ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି, ବାଲେଶ୍ୱର ଜିଲ୍ଲାପରିଷଦ ସଭାପତି ଏବଂ ବିଧାୟକମାନେ ଯୋଗ ଦେବାକୁ ସମ୍ମତି ପ୍ରଦାନ କରିଛନ୍ତି । ବାଲେଶ୍ୱରରେ ଗତ ତିନିବର୍ଷ ଧରି ଏକ ସରକାରୀ କୃଷି ମହାବିଦ୍ୟାଳୟ ଓ ଗବେଷଣା କ୍ଷେତ୍ର ପ୍ରତିଷ୍ଠା ପାଇଁ ଦାବି କରାଯାଉ ଆସୁଛି । ଏହି ସମ୍ମିଳନୀରେ ଜିଲ୍ଲାର ସମସ୍ତ ବ୍ଲକ୍ରୁ ପ୍ରାୟ ୨ଶହ ପ୍ରତିନିଧି ଯୋଗ ଦେବେ । ଆଜିର ବୈଠକରେ ବିଭିନ୍ନ ଆଞ୍ଚଳିକ କମିଟି ପକ୍ଷରୁ ଜଳେଶ୍ୱରର ଦିଲ୍ଲୀପ ଗିରି, ଅବନୀ କୁମାର ଚାନ୍ଦ ଓ ବିଜୟ କୁମାର ମିଶ୍ର, ରେମୁଣାର ଗୋବିନ୍ଦ ଚନ୍ଦ୍ର ଭୋଇ, ହରିନାରାୟଣ ମଢ଼ୁଆଳ, ସୋରର ପ୍ରଫୁଲ୍ଲ ଷଢ଼ଙ୍ଗୀ, ଜିଲ୍ଲା କମିଟି ପକ୍ଷରୁ କାର୍ଯ୍ୟକାରୀ ସଭାପତି ନିରଞ୍ଜନ ପରିଡ଼ାଙ୍କ ସମେତ ପ୍ରଫୁଲ୍ଲ କୁମାର ଦାସ, ଗୌରାଙ୍ଗ ପାଣିଗ୍ରାହୀ, ଡ. କ୍ଷିତୀଶ୍ୱର ଦାଶ ଓ ଜିଲ୍ଲା ପରିଷଦର ପ୍ରାକ୍ତନ ସଭାପତି ଗିରିଶ ଚନ୍ଦ୍ର ଦାଶ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । କୃଷିକ୍ଷେତ୍ରରୁ ଯୁବକମାନେ ବିମୁଖ ହେଉଥିବାବେଳେ କୃଷିର ବୈଷୟିକ ଶିକ୍ଷା ସେମାନଙ୍କୁ କୃଷି କାର୍ଯ୍ୟପ୍ରତି ଓ ଅତ୍ୟାଧୁନିକ ପ୍ରଣାଳୀରେ ଲାଭଦାୟକ କୃଷି ପ୍ରତି ଆଗ୍ରହ ପ୍ରକାଶ କରିବେ ବୋଲି ସେମାନେ ମତ ଦେଇଥିଲେ । କୋଷାଧ୍ୟକ୍ଷ ଭାସ୍କର ଚନ୍ଦ୍ର ପାଢ଼ୀ ଆୟବ୍ୟୟର ବିବରଣୀ ଆଗତ କରିଥିଲେ । ସମ୍ମିଳନୀର ସଫଳତା ପାଇଁ ବୈଠକରେ ସମସ୍ତଙ୍କ ସହଯୋଗ କାମନା କରାଯାଇଛି । ଶ୍ରୀମତୀ ଅପର୍ଣ୍ଣା ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।