ସାଇବର ଅପରାଧ ଓ ସଚେତନତା
ଗଙ୍ଗାଧର ସାମଲ : ଆପଣ ସୋସିଆଲ ମିଡ଼ିଆ ଦ୍ୱାରା ଅନ୍ୟ ମାନଙ୍କ ସହ ସମ୍ବଦ୍ଧିତ, ସମ୍ପର୍କିତ ଏପରିକି ପରିଚିତ ବ୍ୟକ୍ତିତ୍ୱଙ୍କ ସହ ବନ୍ଧୁତା ସ୍ଥାପନ ସମୟରେ ପ୍ରାୟତଃ ହ୍ୱାଟସପ୍, ଫେସବୁକ, ଇନଷ୍ଟାଗ୍ରାମ, ସ୍ନାପ ଚାର୍ଟ, ଟେଲିଗ୍ରାମ ଏହିପରି କିଛି ସୋସିଆଲ ମିଡ଼ିଆ ପ୍ଲାଟଫର୍ମକୁ ମାଧ୍ୟମ କରୁଥିବେ । ତେବେ କେତେକ ବିଶେଷକରି ଅବିବାହିତମାନେ ସେମାନଙ୍କ ଜୀବନ ସାଥୀ ଖୋଜିବା ପାଇଁ ବିଭିନ୍ନ ସୋସିଆଲ ମିଡ଼ିଆ ସ୍ୱାଭାବିକ ଭାବେ ବ୍ୟବହାର କରନ୍ତି । ତେବେ ଗୋଟିଏ କଥା ଭଲ ଭାବେ ମନେ ରଖନ୍ତୁ । ଆପଣଙ୍କ ଏହି ସୁଯୋଗର କିଛି ଫାଇଦା ଠକମାନେ ଉଠାଇ ପାରନ୍ତି । ସେମାନେ ଫେକ ଆକାଉଣ୍ଟ ଖୋଲି ପ୍ରେମଜାଲରେ ସୋସିଆଲ ମିଡ଼ିଆ ବ୍ୟବହାରକାରୀଙ୍କୁ ଫସାଇ ପରବର୍ତ୍ତୀ ସମୟରେ ବିଭିନ୍ନ ମିଛ କାହାଣୀ ଶୁଣାଇ ଆପଣଙ୍କ ଭାବନା ଓ ମାନସିକତା ସହ ଖେଳନ୍ତି ଆଉ ଅର୍ଥ ମଧ୍ୟ ହଡ଼ପ କରନ୍ତି । ସାଇବର ବିଶେଷଜ୍ଞଙ୍କ ଅନୁସାରେ ଏବେ ପିଗ୍ ବୁଚରିଂ ଠକେଇ ମାମଲା ବଢ଼ିବାରେ ଲାଗିଛି । ଏହି ଠକେଇରେ ଠକମାନେ ପ୍ରଥମେ ସୋସିଆଲ ମିଡ଼ିଆରେ ଏକ ସାଧାରଣ ମେସେଜ ଦ୍ୱାରା ସମ୍ପର୍କ ଗଢ଼ନ୍ତି ଏବଂ ପରେ ଲୋକଙ୍କ ବିଶ୍ୱାସ ହାସଲ କରି ସେମାନଙ୍କୁ ଆପ୍ଲିକେସନ ଡାଉନଲୋଡ଼ କରିବାକୁ କହି କିଛି ଫର୍ମ ପୂରଣ କରିବାକୁ ଅପ୍ସନ ଦିଅନ୍ତି । ଏହାପରେ ଆପଣଙ୍କ ଅଜାଣତରେ ଫୋନ ହ୍ୟାକ ହେବା ସହ ସମସ୍ତ ତଥ୍ୟ ଓ ବ୍ୟାଙ୍କ ଆକାଉଣ୍ଟ ଡିଟେଲ ଲିକ ହୋଇଯରାଏ । ତେବେ ବିଶେଷଜ୍ଞଙ୍କ ମତ ଯେ ଫେସବୁକ ଓ ଟିଣ୍ଡର ଡେଟିଂ ଆପ ଦ୍ୱାରା ଏହା ବେଶି ପରିଚାଳିତ ହୋଇଥାଏ । ଏହି ଠକେଇ ମାମଲା ବିଦେଶରେ ଅଧିକ ଦେଖାଯାଏ । ତେବେ ଭାରତରେ ମଧ୍ୟ ଏହି ଜାଲି ଆକାଉଣ୍ଟ ଲକ୍ଷ ଲକ୍ଷ ସଂଖ୍ୟାରେ ରହିଛି । କୋଭିଡ-୧୯ ମହାମାରୀ ପରେ ଅନଲାଇନ ଲଭ ଫ୍ରଡ଼ ଅଧିକ ଦେଖାଯାଇଥିଲା । ଲକଡାଉନ କାରଣରୁ ଲୋକ ନିଃସ୍ୱ ଅନୁଭବ କଲେ । ଚାକିରି ଚାଲିଯିବା ଓ ବ୍ୟବସାୟରେ କ୍ଷତି କାରଣରୁ ଭବିଷ୍ୟକୁ ନେଇ ଏକ ପ୍ରକାରର ଅନିଶ୍ଚିନ୍ତତା ଲାଗି ରହିଲା । ସେହି ସମୟରେ ଘରେ ଗୋଟିଏ ସ୍ଥାନରେ ରହି ଜୀବନ ସହଜ ଅନୁଭବ ହୋଇପାରିନଥିଲା । ଫଳରେ ସୋସିଆଲ ମିଡ଼ିଆର ବ୍ୟବହାର ବଢ଼ିଥିଲା, ଯାହାର ଫାଇଦା ଠକମାନେ ନେଇଥିଲେ । ଠକମାନେ ପ୍ରଥମେ ସୋସିଆଲ ମିଡ଼ିଆ ମାଧ୍ୟମରେ ସାଥୀ ଖୋଜିଥିଲେ । ଲୋକଙ୍କୁ ପ୍ରେମ ଜାଲରେ ଫସାଇ ବ୍ୟକ୍ତିଗତ ତଥ୍ୟ ଓ ଫଟୋ ଆଦାନପ୍ରଦାନ କରିଥିଲେ । ପରେ ବିଭିନ୍ନ ଆଳ କିମ୍ବା ଧମକ ଦେଇ ଅର୍ଥ ହଡ଼ପ କରିଥିଲେ ।
ନିକଟରେ ଭୁବନେଶ୍ୱରରେ ରହୁଥିବା ଜଣେ ସଫ୍ଟୱେର ଇଞ୍ଜିନିୟର ରବି ସିଂହ ଏହାର ଶିକାର ହୋଇ ପାଞ୍ଚ ଲକ୍ଷ ଟଙ୍କାରୁ ଅଧିକ ଅର୍ଥ ହରାଇଥିଲେ । ସେ ଏକ ଡେଟିଂ ଅନଲାଇନ ଆପ୍ ମାଧ୍ୟମରେ ତାଙ୍କର ଜଣେ ତରୁଣୀଙ୍କ ସହ ସମ୍ପର୍କ ଗଢ଼ି ଉଠିଥିଲା । ପରେ ଉଭୟଙ୍କ ମଧ୍ୟରେ ନୁ୍ୟଡ଼ କଲ ଚାଲିଥିଲା । ଏଥିରୁ ରକ୍ଷା ପାଇବାର କିଛି ଉପାୟ ଅଛି । ସୋସିଆଲ ମିଡ଼ିଆ କିମ୍ବା ଡେଟିଂ ଆପରେ ନିଜର ସର୍ପନାଲ ଡାଟା ଦିଅନ୍ତୁ ନାହିଁ । ଏଥିସହ ପ୍ରୋଫାଇଲ ପିକ୍ଚରରେ ପ୍ରୋଟେକ୍ସନ ଫିଚର ଅନ କରନ୍ତୁ । ଆପକୁ ସିଧାସଳଖ ସାଇଟରୁ ଡାଉନଲୋଡ଼ ନକରି ଗୁଗଲ ପ୍ଲେ ଷ୍ଟୋରରୁ ଡାଉନଲୋଡ଼ କରନ୍ତୁ । ଅନଲାଇନ ଡେଟିଂ କରୁଥିବା ପାର୍ଟନର ଉପରେ ଅନ୍ଧ ଭାବେ ବିଶ୍ୱାସ କରନ୍ତୁ ନାହିଁ । ଏ ବିଷୟରେ ପରିବାର ବର୍ଗଙ୍କୁ ଜଣାନ୍ତୁ ଏବଂ ପାର୍ଟନରଙ୍କ ପରିବାରଙ୍କ ସହ ସାକ୍ଷାତ କରନ୍ତୁ । ପାର୍ଟନରଙ୍କୁ ସାକ୍ଷାତ କରନ୍ତୁ । ସୋସିଆଲ ମିଡ଼ିଆ ମାଧ୍ୟମରେ କାହା ଉପରେ ବିଶ୍ୱାସ କରି ମନି ଟ୍ରାଞ୍ଜାକ୍ସନ କିମ୍ବା ଓଟିପି ସେୟାର କରନ୍ତୁ ନାହିଁ । ଡେଟିଂ ପାର୍ଟନରଙ୍କ ସହ ସାକ୍ଷାତ କରିବାର ଯୋଜନା ଥିଲେ ଏ ନେଇ ନିଜ ସାଙ୍ଗ, ପରିବାର ସଦସ୍ୟ କିମ୍ବା ଭାଇଭଉଣୀଙ୍କୁ ଜଣାନ୍ତୁ । ସର୍ବସାଧାରଣ ଗନ୍ତବ୍ୟ ସ୍ଥାନରେ ସର୍ବଦା । ଡେଟିଂ ପାର୍ଟନରକୁ ସାକ୍ଷାତ କରନ୍ତୁ । ଯଦି ସୋସିଆଲ ମିଡ଼ିଆରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତେବେ ତୁରନ୍ତ ପୋଲିସକୁ ଜଣାନ୍ତୁ । ପାର୍ଟନରଙ୍କୁ କୌଣସି ପ୍ରକାରର ପର୍ସନାଲ ଫଟୋ କିମ୍ବା କୌଣସି ସାର୍ଟିଫିକେଟ ଦିଅନ୍ତୁ ନାହିଁ । ଯଦି ପାର୍ଟନର ବାରମ୍ବାର ପର୍ସନାଲ ଫଟୋ ଡିମାଣ୍ଡ କରୁଛନ୍ତି, ତେବେ ତାଙ୍କ ଠାରୁ ଦୂରେଇ ଯିବା ବୁଦ୍ଧିମାନର କାମ ହୋଇଥାଏ । କୌଣସି ପ୍ରସ୍ତାବରେ ପୂର୍ବରୁ ପାର୍ଟନର ଓ ତାଙ୍କ ସାଙ୍ଗ ପରିବାର ବିଷୟରେ ଭଲ ଭାବେ ଜାଣିନିଅନ୍ତୁ । ସୋସିଆଲ ମିଡ଼ିଆ କିମ୍ବା ଡେଟିଂ ଆପ ପାର୍ଟନର ଦେଉଥିବା ଅଜଣା ଲିଙ୍କ ଉପରେ କ୍ଲିକ କରନ୍ତୁ ନାହିଁ । ଏହା ଫିସିଙ୍ଗ ଆଟାକ ହୋଇପାରେ ।
ଆଜିକାଲି ଅଧିକାଂଶ କେବଳ ଯୁବକ ଯୁବତୀ ନୁହେଁ ବୟସ୍କ ବ୍ୟକ୍ତିମାନେ ଇଣ୍ଟରନେଟରେ ସମୟ କାଟୁଥିବାରୁ ବାସ୍ତବ ବନ୍ଧୁ ଅପେକ୍ଷା ଅଧିକ ଅନଲାଇନ ବନ୍ଧୁ କରୁଛନ୍ତି । ନିଜର ମନର କଥା ସବୁ ଆଉ ଗୋପନୀୟ ନରଖି ସୋସିଆଲ ମିଡ଼ିଆରେ ପୋଷ୍ଟ କରୁଛନ୍ତି ।ଏହାର ଫାଇଦା ନେଇଥାନ୍ତ କିଛି ଅସାମାଜିକ ବ୍ୟକ୍ତିମାନେ । ପ୍ରଥମେ ଅନଲାଇନ ପ୍ରେମ ଜାଲରେ ଫସାଇ ପରବର୍ତ୍ତୀ ସମୟରେ ଆପଣଙ୍କର ସର୍ବନାଶ କରିବାକୁ ପଛେଇ ନଥାନ୍ତି । ତେଣୁ ଏ କ୍ଷେତ୍ରରେ ଆପଣ ନିଜେ ସଚେତନ ହୋଇ ସାମାଜିକ ସଚେତନ ସେବା ଭାବେ ଅନ୍ୟ ମାନଙ୍କୁ ସଚେତନ କରନ୍ତୁ ।
କଟକ