ଭାବର ବାଣୀ ଭାଗବତ

ଭାବର ବାଣୀ ଭାଗବତ


ପ୍ରଦୀପ କୁମାର ଦେହୁରୀ : ଆଶ୍ୱିନ ମାସ ପ୍ରଥମ ଦିନ ପୂର୍ଣ୍ଣିମା ତିଥିକୁ ଇନେ୍ଦ୍ରାତ୍ସବ ପୂର୍ଣ୍ଣିମା ବା ଶ୍ରୀମଦ୍ ଭାଗବତ ଜୟନ୍ତୀ ବୋଲଇ ଆମ ହିନ୍ଦୁ ମତରେ ସ୍ୱତନ୍ତ୍ର ଦିବସ ଭାବେ ଆଧ୍ୟାତ୍ମିକ ଚେତନାରେ ପାଳନ କରାଯାଏ  । ଏହାର ପରଦିନ ଅପରପକ୍ଷ ପିତୃତର୍ପଣ ଆରମ୍ଭ ହୁଏ  । ଏହି ଦିବସଟି ହିନ୍ଦୁ ଧର୍ମାବଲମ୍ବୀମାନଙ୍କ ପାଇଁ ଏକ ବିଶେଷ ଦିବସ  । ଭାଦ୍ରବ ପୂର୍ଣ୍ଣିମା ଇନ୍ଦୁପୂର୍ଣ୍ଣିମା ନାମରେ ପ୍ରସିଦ୍ଧ । ଏହା ମଧ୍ୟ ଭାଗବତ ଜନ୍ମର ଦିନ । କାରଣ ଏହି ଦିନ ବ୍ୟାସଦେବ ସଂସ୍କୃତ ଶ୍ରୀମଦ ଭାଗବତର ରଚନା ଆରମ୍ଭ କରିଥିଲେ । ଅତିବଡ଼ି ଜଗନ୍ନାଥ ଦାସ ଏହାକୁ ସରଳ ନବାକ୍ଷରୀ ଓଡ଼ିଆରେ ରଚନା କରିଛନ୍ତି । ଶ୍ରୀମଦଭାଗବତର ଦ୍ୱାଦଶ ସ୍କନ୍ଧ, ସପ୍ତମ ଅଧ୍ୟାୟରେ ଚାରିବେଦ, ତାହାର ଶାଖା ପ୍ରଶାଖା, ପୁରାଣ ଓ ଉପପୁରାଣ ଆଦିର ବର୍ଣ୍ଣନା ଅଛି । ସେହି ପ୍ରସଙ୍ଗରେ ପୁରାଣର ଲକ୍ଷଣ ମଧ୍ୟ ବର୍ଣ୍ଣିତ ହୋଇଛି । ସେହି କ୍ରମରେ କୁହାଯାଇଛି ପୁରାତତ୍ତ୍ୱବିତ୍ ମୁନିମାନେ ଏହି ସବୁ ଲକ୍ଷଣ ଦ୍ୱାରା ପୁରାଣ ମାନଙ୍କୁ ଚିହ୍ନିତ କରନ୍ତି ଏବଂ ଏହି ସବୁ ଲକ୍ଷଣଯୁକ୍ତ ଛୋଟ ବଡ଼ ଅଠରଟି ପୁରାଣ ରହିଛି । ହିନ୍ଦୁମାନଙ୍କ ମତରେ ଏହି ଦିନ ମହାପୁରୁଷ ଭଗବାନ ବ୍ୟାସ ଦେବଙ୍କ ଦ୍ୱାରା ଶ୍ରୀମଦ୍ ଭଗବତ୍ ଗୀତା ରଚିତ ହୋଇଥିଲା  । ଅନ୍ୟ ତିନି ଯୁଗ ତୁଳନାରେ କଳିଯୁଗରେ ମଣିଷମାନେ ଅଳ୍ପାୟୁଷ, ଦିଗଭ୍ରଷ୍ଟ ଏବଂ ଅଜ୍ଞାନ ହୋଇଥାଆନ୍ତି  । ସେମାନେ କିପରି ନିଜର ଧର୍ମକୁ ନିଜେ ପାଳନ କରିବେ ସେଥିନିମନ୍ତେ ମହର୍ଷି ବ୍ୟାସଦେବ ସ୍ୱରଚିତ ଭାଗବତରେ ବିଭିନ୍ନ ଉଦାହରଣ ଦେଇ ବର୍ଣ୍ଣନା କରିଛନ୍ତି  । ବାସ୍ତବରେ ଭାଗବତ ହେଉଛି କାଳଜୟୀ ଏବଂ ଅମର  । ଏହାର ଲେଖା ପ୍ରତ୍ୟେକ ବ୍ୟକ୍ତିବିଶେଷ ପାଇଁ ଏକାନ୍ତ ଆବଶ୍ୟକ  । ନୈଷ୍ଠିକ ହିନ୍ଦୁ ପରିବାରରେ ଭାଗବତ ପ୍ରତିଦିନ ପାଠ କରାଯାଏ  । ଭାଗବତକୁ ପଠନ କରୁଥିବା ଏବଂ ଶ୍ରବଣ କରୁଥିବା ଧର୍ମାତ୍ମା ବାସ୍ତବରେ ମହାନ୍  । ଗାଁ ଗାଁରେ ଦେବାଳୟରେ, ମନ୍ଦିରମାନଙ୍କରେ, ଧର୍ମପୀଠରେ ଭାଗବତ ଟୁଙ୍ଗିମାନ ପ୍ରତିଷ୍ଠା କରାଯାଇ ଦେଶ, ଜାତି ତଥା ବ୍ୟକ୍ତିର ଉନ୍ନତି ପାଇଁ ଭାଗବତ ପାଠ କରାଯାଏ  । 
ଭଗବାନ ବ୍ୟାସଦେବ ବେଦ, ଉପନିଷଦ, ମହାଭାରତ, ଗାୟତ୍ରୀ ଏବଂ ପୁରାଣ ରଚନା କରି ସେତିକିରେ ସନ୍ତୋଷ ନଥିଲେ  । ତେଣୁ ସେ ଜଗତ କଲ୍ୟାଣର ବାର୍ତ୍ତା ସମସ୍ତଙ୍କ ପାଖରେ ପହଞ୍ଚାଇବା ପାଇଁ ବ୍ରହ୍ମର୍ଷି ନାରଦଙ୍କ ପରାମର୍ଶରେ ରଚନା କରିଥିଲେ  । ଶ୍ରୀମଦ୍ ଭାଗବତ୍ ଯେଉଁଥିରେ ଅଠର ହଜାର ଶ୍ଲୋକ ରହିଅଛି  । ଭଗବାନଙ୍କ ଦ୍ୱାରା ଏହା ରଚିତ ହୋଇଥିବାରୁ ଏହାର ଭାଗବତ କୁହାଯାଏ  । ଭାଗବତର ତତ୍ତ୍ୱ ବିଶେଷଭାବେ ଶରୀର ତତ୍ତ୍ୱ, ଜନସଚେତନତା ଏବଂ ସମାଜମଙ୍ଗଳ ଉଦ୍ଦିଷ୍ଟ  । ବ୍ୟାସକୃତ ସଂସ୍କୃତ ଭାଗବତରେ ଶୁକମୁନି ରାଜା ପରୀକ୍ଷିତଙ୍କୁ କାହାଣୀ କହିବା ମାଧ୍ୟମରେ ବହୁ ଉପଦେଶ, ପରାମର୍ଶ ଦେଇଛନ୍ତି  । ଯାହା ଅତ୍ୟନ୍ତ ସୁନ୍ଦର ଏବଂ ହୃଦୟସ୍ପର୍ଶୀ  । ସଂସାରର ରୀତିନୀତି, ଚାଲିଚଳଣି, ଆଦବକାଇଦା ଆଦି ଏଥିରେ ସ୍ୱତନ୍ତ୍ର ଭାବେ ଉଦାହରଣ ମାଧ୍ୟମରେ ରଚନା କରାଯାଇଛି  । ମହାପୁରୁଷ ଜଗନ୍ନାଥ ଦାସ ତାଙ୍କ ମାତାଙ୍କ ଅନୁରୋଧ ରକ୍ଷା କରି ବ୍ୟାସକୃତ ଶ୍ରୀମଦ୍ ଭାଗବତକୁ ଓଡ଼ିଶା ନବାକ୍ଷରୀ ଛନ୍ଦରେ ରଚନା କରିଛନ୍ତି  । ଯାହାକୁ ଗଜପତି ପ୍ରତାପରୁଦ୍ର ଦେବ ଓଡ଼ିଶାର ଗ୍ରାମେ ଗ୍ରାମେ ଭଗବତ ଟୁଙ୍ଗିମାଧ୍ୟମରେ ଭାଗବତ ବାଣୀ ପ୍ରଚାର ଓ ପ୍ରସାର କରାଇଥିଲେ  । ଭାଗବତକୁ ଭଗବାନଙ୍କ ପ୍ରତ୍ୟକ୍ଷ ରୂପ ବୋଲି ମନେକରି ହିନ୍ଦୁ ଧର୍ମର ପ୍ରତ୍ୟେକ ଘରେ ଘରେ ଆସ୍ଥାନରେ ରଖି ବିଧିବିଧାନର ସହିତ ପୂଜାର୍ଚ୍ଚନା କରାଯାଉଛି  । ଭାଗବତ ପଢ଼ିବା ଦ୍ୱାରା ସକଳ ପାପତାପ ରୋଗ ଆଦି ଦୂରୀଭୂତ ହୁଏ ବୋଲି ବିଶ୍ୱାସ  ।
ଏହି ଅଷ୍ଟାଦଶ ପୁରାଣ ନାମ ମଧ୍ୟ ସେହି ଅଧ୍ୟାୟର ୨୩ ଓ ୨୪ ଶ୍ଲୋକରେ ପ୍ରବତ୍ତ ହୋଇଛି । ଏହା ଅନୁସାରେ, ଅଷ୍ଟାଦଶ ପୁରାଣ ହେଉଛି - ବ୍ରହ୍ମପୁରାଣ, ପଦ୍ମପୁରାଣ, ବିଷ୍ଣୁପୁରାଣ, ଶିବ ପୁରାଣ, ଲିଙ୍ଗପୁରାଣ, ଗରୁଡ଼ ପୁରାଣ, ନାରଦ ପୁରାଣ, ଭାଗବତ ପୁରାଣ, ଅଗ୍ନି ପୁରାଣ, ସ୍କନ୍ଦ ପୁରାଣ, ଭବିଷ୍ୟ ପୁରାଣ, ବ୍ରହ୍ମବୈବର୍ତ୍ତପୁରାଣ, ମାର୍କଣ୍ଡେୟ ପୁରାଣ, ବାମନ ପୁରାଣ, ବରାହପୁରାଣ, ମତ୍ସ୍ୟ ପୁରାଣ, କୂର୍ମ ପୁରାଣ ଓ ବ୍ରହ୍ମାଣ୍ଡ ପୁରାଣ । ଏହାପରେ ୨୫ ଶ୍ଳୋକରେ କୁହାଯାଇଛି - ଶୌନକ ଏବଂ ମହର୍ଷି ବ୍ୟାସଦେବଙ୍କର ଶିଷ୍ୟ ପ୍ରଶିଷ୍ୟ ଗଣ ପରମ୍ପରାକ୍ରମେ ବେଦସଂହିତା ଓ ପୁରାଣ ସଂହିତା ମାନଙ୍କର ଅଧ୍ୟୟନ, ଅଧ୍ୟାପନ ଓ ବିଭାଜନ କରିଥିଲେ । ଏହି ପ୍ରସଙ୍ଗ ପଢ଼ିଲେ ବା ଶୁଣିଲେ ବ୍ରହ୍ମତେଜର ଅଭିବୃଦ୍ଧି ହୁଏ । ଏହି ପ୍ରସଙ୍ଗରେ ଓଡ଼ିଆ ଭାଗବତକାର ଜଗନ୍ନାଥ ଦାସ ଭାଗବତର ମହତ୍ତ୍ୱ ସୂଚାଇ କହିଛନ୍ତି - ଅଷ୍ଟାଦଶ ପୁରାଣ ସାର / ଶ୍ରୀଭାଗବତ ନାମ ଯାର । ଅର୍ଥାତ୍ ଶ୍ରୀଭାଗବତ ପୁରାଣ ହେଉଛି ଏହି ଅଷ୍ଟାଦଶ ପୁରାଣର ସାର ସ୍ୱରୂପ । ଶ୍ରୀମନ୍ଦିରରେ ଭାଗବତ ପାଠର ପରମ୍ପରା ସ୍ୱତନ୍ତ୍ର ଭାବରେ ରହିଅଛି  । ଆଜିର ଦିବସରେ ଭାଗବତ ରଚନା ହୋଇଥିବାରୁ ଏହି ଦିବସକୁ ଆମ ସଂସ୍କୃତିରେ ସ୍ୱତନ୍ତ୍ର ଭାବେ ପାଳନ କରାଯାଏ  । 
ମୋ : ୭୯୭୮୫୫୨୬୬୯