ସାଇବର ଠକେଇ ମାମଲା: ପ୍ରମାଣ ଅଭାବରୁ ନାବାଳକ ନିଦେ୍ର୍ଦାଷରେ ଖଲାସ
ନବରଙ୍ଗପୁର/ ରାଇଘର: ମିଛ ଖବର ସହ ଭୟଭୀତ କରାଇ ୧୩ ମାସ ତଳେ ସାଇବର ଠକ ଗ୍ୟାଙ୍ଗ ଜଣେ ବ୍ୟକ୍ତିଙ୍କ ଠାରୁ ଏକ ଲକ୍ଷ ଟଙ୍କା ଲୁଟ୍ ଘଟଣାରେ ରାଇଘର ଥାନାରେ ମାମଲା ରୁଜୁ ହୋଇଥିଲା । ଘଟଣାର ୮ମାସ ପରେ ଉକ୍ତ କେସରେ ଜଡିତ ଥିବା ଦୁଇ ଅଭିଯୁକ୍ତ ସହ ଜଣେ ନାବାଳକ ମୋଟ ତିନି ଜଣକୁ ରାଇଘର ପୋଲିସ ଗିରଫ କରିଥିଲା । ତେବେ ଘଟଣାରେ ଜଡ଼ିତ ନାବାଳକ ପ୍ରମାଣ ଅଭାବରୁ ନିଦେ୍ର୍ଦାଷରେ ଖଲାସ ହୋଇଛନ୍ତି । ପିଏମଜେଜେ ବିଚାରପତି ସୁକାନ୍ତ କିଶୋର ଜେନା କୋର୍ଟରେ କେସ୍ ନମ୍ବର ଜେସି ୪/୨୫ ରେ ପଞ୍ଜିକରଣ ହୋଇ ବିଚାର ହୋଇଥିଲା । ଏହି କେସରେ ସମୁଦାୟ ୭ ଜଣ ସାକ୍ଷୀ ଦେଇଥିଲେ । ପ୍ରମାଣ ଅଭାବରୁ ନାବାଳକକୁ କୋର୍ଟ ନିଦେ୍ର୍ଦାଷରେ ଖଲାସ କରିଛନ୍ତି । ନାବାଳକ ପକ୍ଷରୁ ବରିଷ୍ଠ ଓକିଲ ତପନ କୁମାର ସିଂ ଓ ଅଶୋକ ନାୟକ ମାମଲା ପରିଚାଳନା କରିଥିଲେ । ସୂଚନାଥାଉକି, ୨୦୨୪ ମସିହା ଏପ୍ରିଲ ୨୪ତାରିଖ ଦିନ ଯୋଡ଼ିଙ୍ଗା ଗ୍ରାମର ମନୋଜ କୁମାର ମଣ୍ଡଳକୁ ଏକ ଭଏସ କଲ୍ ଆସିଥିଲା । ଭୁବନେଶ୍ୱରରେ ଥିବା ତାଙ୍କ ଝିଆରୀ କୁର୍କମ ମାମଲାରେ ଏକ ଥାନାରେ ଅଟକ ରହିଥିବାରୁ ଏକ ଲକ୍ଷ ଟଙ୍କା ପଠାଇବାକୁ ସାଇବର ଠକ କହିଥିଲା । ଘଟଣା ଶୁଣି ମନୋଜ ଯୋଡ଼ିଙ୍ଗା କିଓସ୍କ ବ୍ୟାଙ୍କ ଜରିଆରେ ଦୁଇଟି ଆକାଉଣ୍ଟ ଜରିଆରେ ଗୋଟିଏରେ ୭୦ ହଜାର ଓ ଅନ୍ୟଟିରେ ୩୦ ହଜାର ପଠାଇଥିଲେ । ପରବର୍ତ୍ତୀ ସମୟରେ ମନୋଜ ସାଇବର ଠକେଇ ଜାଣି ମେ’ ମାସ ୧୦ତାରିଖରେ ରାଇଘର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ରାଇଘର ଥାନା ଅଧିକାରୀ ତଦନ୍ତ ପ୍ରକ୍ରିୟା ଜୋରଦାର କରିବା ସହ ଘଟଣା ଉପରେ ଗୋଟି ଗୋଟି କରି ତଥ୍ୟ ସଂଗ୍ରହ କରିଥିଲେ । ଶେଷରେ ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ଓ ରାଜସ୍ଥାନ ଦୁଇଟି ସ୍ଥାନରେ ଟଙ୍କା ଯାଇଥିବା ଜଣାପଡ଼ିଥିବାବେଳେ ରାଇଘର ଥାନାରୁ ଏସଆଇ ମନୋରଞ୍ଜନ ବେହେରା ସହ ଏକ ଟିମ୍ ସୁନ୍ଦରଗଡ ଅଭିମୁଖେ ବାହାରି ଯେଉଁ ଆକାଉଣ୍ଟକୁ ଟଙ୍କା ଯାଇଥିଲା ସଂପୃକ୍ତ ବ୍ୟକ୍ତି ସହ ସମସ୍ତ ଟିମକୁ ସେଠାରେ ଧରିବାରେ ସଫଳ ହୋଇଥିଲା । ଏହା ପରେ ଉକ୍ତ ଘଟଣାରେ ସଂପୃକ୍ତ ଥିବା ସୁନ୍ଦରଗଡ ଓ ରାଉକେଲା ଅଞ୍ଚଳରୁ ମୋଟ ତିନି ଜଣଙ୍କୁ ଧରି ରାଇଘର ଥାନାକୁ ଆଣିବା ପରେ ପୂର୍ବ କେସ୍ ନମ୍ବର ୧୫୪/୨୪ରେ ଦଫା ୪୧୯,୪୨୦ ଆଇପିସି ୬୬ (ଡି) ଆଇଟିଆର ଆକ୍ଟ ଅନୁଯାୟୀ ଗିରଫ କରି କୋର୍ଟଚାଲାଣ କରାଯାଇଥିଲା । ପ୍ରଥମ ରାୟରେ ସଂପୃକ୍ତ ନାବାଳକ ପ୍ରମାଣ ଅଭାବରୁ ନିଦେ୍ର୍ଦାଷରେ ଖଲାସ ହୋଇଛନ୍ତି ।