୮୦ଲକ୍ଷର ବନୀକରଣ ଦୁର୍ନୀତି : ଡେପୁଟି ରେଞ୍ଜରଙ୍କ ସହ ୫ଗିରଫ 

 ଭବାନୀପାଟଣା:  କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ଜୟପାଟଣା ବନାଞ୍ଚଳରେ ବନୀକରଣରେ ନାଁରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗରେ ଭିଜିଲାନ୍ସ ବିଭାଗ ଡେପୁଟି ରେଞ୍ଜରଙ୍କ ସମତେ ୫ଜଣଙ୍କୁ ଗିରଫ କରିଛି । କମ୍ପେନସାଟୋରୀ ଆଫ୍ରେଷ୍ଟେସନ ସ୍କିମ ଜରିଆରେ ଗଛ ଲଗାଇବା ଆଳରେ ୮୦ଲକ୍ଷ ଟଙ୍କାର ଅର୍ଥ ଆତ୍ମସାତ କରିଥିବା ନେଇ ଭିଜିଲାନ୍ସ ବିଭାଗ ଜୟପାଟଣା ବନ୍ୟାଞ୍ଚଳ ଦାୟିତ୍ୱରେ ଥିବା ଡେପୁଟି ରେଞ୍ଜର ସୈରେନ୍ଦ୍ରି ବାଗଙ୍କ ସମେତ ଫରେଷ୍ଟର ଉମେଶ ରାଉତ, ଦେବରାଜ ସୁନାନୀ, ଫରେଷ୍ଟ ଗାର୍ଡ ଅଶୋକ କୁମାର ସାହୁ ଓ ଲଳିତ ନାଏକକୁ ଗିରଫ କରିଛି । ପ୍ରକାଶ ଯେ, ଜୟପାଟଣା ରେଞ୍ଜର ଚମ୍ପାଚୁଆଁ ବିଟରେ ୪୩ଲକ୍ଷ ୭୫ହଜାର ୬୩୪ଟଙ୍କା, ଚମ୍ପାଚୁଆଁର ଅନ୍ୟ ଏକ ସ୍ଥାନରେ ୬ଲକ୍ଷ ୬୬ହଜାର ୪୪୬ଟଙ୍କା, ଖମାରପଦର ବିଟ୍ରେ ଗୋଟିଏ ପାହାଡ଼ରେ ୧୧ଲକ୍ଷ ୭୬ ହଜାର ୨୯୧ଟଙ୍କା ଓ ଅନ୍ୟ ଏକ ସ୍ଥାନରେ ୫ଲକ୍ଷ ୧୨ହଜାର ୫୧୯ଟଙ୍କା ସର୍ବ ମୋଟ ବନୀକରଣ ନାଁରେ ପ୍ରାୟ ୮୦ଲକ୍ଷ ଟଙ୍କାର ଅନିୟମିତତା ହୋଇଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ହୋଇଥିବା ତଦନ୍ତରୁ ଜଣାପଡ଼ିଥିଲା । ପ୍ରକାଶଥାଉକି, ବନୀକରଣ ନାଁରେ ଅନିୟମିତତା ହୋଇଥିବା ନେଇ ପ୍ରଥମେ ଅର୍ଥନୈତିକ ଅପରାଧ ଶାଖା ତଦନ୍ତ କରିଥିଲା । ପ୍ରାଥମିକ ତଦନ୍ତରୁ ଅଢେଇ କୋଟି ଟଙ୍କା ହେରଫେର ହୋଇଥିବା ଜଣାପଡିଥିଲା । ଏହି ମାମଲାକୁ ଇଡି କୋରାପୁଟ ଭିଜିଲାନ୍ସ ବିଭାଗକୁ ହସ୍ତାନ୍ତର କରିଥିଲା ।