ସାମ୍ବାଦିକ ସଂଘର କାର୍ଯ୍ୟକାରିଣୀ
ଅନୁଗୋଳ/ତାଳେଚର: ଉକ୍ରଳ ସାମ୍ବାଦିକ ସଂଘର ଅନୁଗୋଳ ଜିଲ୍ଲା ଶାଖା ଆନୁକୂଲ୍ୟରେ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଗୋଳ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପରଜଙ୍ଗ ବିଧାୟକ ବିଭୂତି ଭୂଷଣ ପ୍ରଧାନ, ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି, ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଅତିଥି ଭାବେ ଯୋଗ ଦେଇ ସାମ୍ବାଦିକ ସୁରକ୍ଷା ଆଇନ୍ ପ୍ରଣୟନ, ପେନ୍ସନ ପ୍ରଦାନ ଓ ସ୍ୱାସ୍ଥ୍ୟବୀମା ଯୋଜନାରେ ପିତାମାତା ଓ ୨୫ ବର୍ଷରୁ ଊଦ୍ଧ୍ୱର୍ ସନ୍ତାନ୍ତ ସନ୍ତତିମାନଙ୍କୁ ସାମିଲ କରିବା, ଅଧିସ୍ୱୀକୃତି କମିଟି ଗଠନ ପୂର୍ବକ ଜିଲ୍ଲା ଓ ରାଜ୍ୟସ୍ତରରେ ବ୍ୟାପକ ଅଧିସ୍ୱୀକୃତି ପ୍ରଦାନ କରାଯିବାକୁ ଦୀର୍ଘ ଦିନର ଦାବି ପ୍ରତି ସମର୍ଥନ ଜଣାଇଥିଲେ । ଅତିଥିମାନେ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ଆଲୋଚନା କରି ଦାବି ପୂରଣ ଦିଗରେ ଯଥୋଚିତ ପଦକ୍ଷେପ ଗ୍ରହଣ କରିବେ ବୋଲି ମତପ୍ରକାଶ କରିଥିଲେ । ଅନୁଗୋଳ ଜିଲ୍ଲା ଶାଖା ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟବକ୍ତା ଭାବେ ଉକ୍ରଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କର ଯୋଗ ଦେଇ ସାମ୍ବାଦିକମାନଙ୍କ ବୃତ୍ତିଗତ ସମସ୍ୟା ସମାଧାନ ଦିଗରେ ସରକାର ଆଶୁ ପଦକ୍ଷେପ ଗ୍ରହଣ ନ କଲେ ବ୍ୟାପକ ଆନେ୍ଦାଳନ ପାଇଁ ପ୍ରସ୍ତୁତ ହେବାକୁ ସମବେତ ସାମ୍ବାଦିକମାନଙ୍କୁ ଆହ୍ୱାନ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ସଂଘର ରାଜ୍ୟ ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା, କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ ଓ କୋଷାଧ୍ୟକ୍ଷ ରାଜେନ୍ ଚୌଧୁରୀ ପ୍ରମୁଖ ଯୋଗ ଦେଇ ସାମ୍ବାଦିକମାନଙ୍କ ସମସ୍ୟା ସମାଧାନ ସମ୍ପର୍କରେ ଆଲୋଚନା କରିଥିଲେ । ଜିଲ୍ଲା ସାଧାରଣ ସମ୍ପାଦକ ତଥା ରାଜ୍ୟ ଉପସଭାପତି ଡ. ରଶ୍ମିରଞ୍ଜନ ମିଶ୍ର ସଭାକାର୍ଯ୍ୟ ପରିଚାଳନା କରିଥିଲା ବେଳେ ଉପଦେଷ୍ଟା ଦେବୀ ମିଶ୍ୱ ସ୍ୱାଗତ ଭାଷଣ ଓ ଉପଦେଷ୍ଟା ସଂଗ୍ରାମ ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହା ପୂର୍ବରୁ ରାଜ୍ୟ ସଭାପତି ଶ୍ରୀ କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଦୁଇ ଶହରୁ ଊଦ୍ଧ୍ୱର୍ ପ୍ରତିନିଧି ଯୋଗ ଦେଇ ସଂଗଠନ ଓ ସାମ୍ବାଦିକମାନଙ୍କ ସମସ୍ୟା ଉପରେ ଆଲୋଚନା କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କୃତି ପାଇଁ ସଂଗଠନ ଓ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।