ଟାଟା ଷ୍ଟିଲରେ ଜରୁରୀକାଳୀନ ମକ୍ ଡ୍ରିଲ୍
ଢେଙ୍କାନାଳ : ଢେଙ୍କାନାଳ ସ୍ଥିତ ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ ଏହାର ପ୍ଳାଣ୍ଟର ବିଟିଏକ୍ସ କ୍ଷେତ୍ର, କୋକ୍ ଓଭେନ୍ -୨ରେ ଏକ ଜରୁରୀକାଳୀନ ମଲ୍ ଡ୍ରିଲ୍ ସଫଳତାର ସହ ଆୟୋଜିତ କରାଯାଇଛି । ଏଥିରେ ନିଆଁ ଲାଗିବା ଭଳି ଏକ କୃତ୍ରିମ ପରିସ୍ଥିତି ସୃଷ୍ଟି କରାଯାଇ ତାହାକୁ ନିୟନ୍ତ୍ରଣ କରିବା ତଥା ପ୍ଲାଣ୍ଟର ଜରୁରିକାଳୀନ ପ୍ରସ୍ତୁତିକୁ ପରୀକ୍ଷା ଓ ଏହାକୁ ଆହୁରି ସୁଦୃଢ କରିବା ଉପରେ ମକ୍ ଡ୍ରିଲ କରାଯାଇଥିଲା । ଏହି ମକ୍ ଡ୍ରିଲରେ ଢେଙ୍କାନାଳ ଜୋନର କାରଖାନା ଏବଂ ବଏଲର ସହକାରୀ ନିଦେ୍ର୍ଦଶକ ଇ. ପୁଷ୍ପମିତ୍ରା ଜେନା, ଢେଙ୍କାନାଳ ଜିଲ୍ଲା ଅଗ୍ନିଶମ ଅଧିକାରୀ ପ୍ରଶାନ୍ତ ଧଳ ଏବଂ ଢେଙ୍କାନାଳ ଜିଲ୍ଲା କ୍ରାଇସିସ ଗ୍ରୁପ, ଏବଂ ଜିଏମଆର, ନବ ଲିମିଟେଡ୍, ରିମଝିମ୍ ଆଦି ସ୍ଥାନୀୟ ପ୍ରତିନିଧିମାନେ ଉପସ୍ଥିତ ଥିଲେ । ଟିଏସଏମର ସୁରକ୍ଷା ମୁଖ୍ୟ, ବିଳାସ ଏନ୍ ଗାଏକ୍ୱାଡ, କୋକ ପ୍ଲାଣ୍ଟ ମୁଖ୍ୟ ବିରେନ୍ଦ୍ର ସିଂହ, ପ୍ରୋସେସ ସେଫ୍ଟି ମୁଖ୍ୟ କୁମାର ବରୁଣଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମର ଦକ୍ଷତା ଓ ପ୍ରଭାବକୁ ଶିଳ୍ପ ପ୍ରତିନିଧି ଓ ଅତିଥିମାନେ ପ୍ରଶଂସା କରିଥିବା ବେଳେ ବାସ୍ତବିକ ଜରୁରୀକାଳୀନ ପରିସ୍ଥିତି ପାଇଁ ଏଭଳି ଡ୍ରିଲ୍ର ମହତ୍ୱ ଉପରେ ଆଲୋକପାତ କରିଥିଲେ ।