ସାମ୍ବାଦିକଙ୍କ ସହ ପିଆଇବି ଅତିରିକ୍ତ ମହାନିଦେ୍ର୍ଦଶକଙ୍କ ଆଲୋଚନା
ପୁରୀ : ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ଓଡିଶା କ୍ଷେତ୍ର ଅତିରିକ୍ତ ପ୍ରେସ୍ ରେଜିଷ୍ଟ୍ରାର ଜେନେରାଲ ତଥା ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି)ର ଅତିରିକ୍ତ ମହାନିଦେ୍ର୍ଦଶକ ଅଖିଳ କୁମାର ମିଶ୍ର ଆଜି ପୁରୀ ଗସ୍ତ କରି ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ପୁରୀଠାରେ ଅନୁଷ୍ଠିତ ଏହି ବୈଠକରେ ସ୍ଥାନୀୟ ସାମ୍ବାଦିକମାନେ ଯୋଗ ଦେଇ ସେମାନଙ୍କର ଗଣମାଧ୍ୟମଗୁଡିକର କାର୍ଯ୍ୟଧାରା, ବିଭିନ୍ନ ସମସ୍ୟା ଓ ପ୍ରସଙ୍ଗରେ ବିସ୍ତୃତ ଭାବେ ବିଚାର ରଖିଥିଲେ । ବୈଠକରେ ଏଡିଜି ଶ୍ରୀ ମିଶ୍ର ଗଣମାଧ୍ୟମ ପ୍ରତିନିଧିଙ୍କର ମତାମତ ଶୁଣିବା ପରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା, କାର୍ଯ୍ୟକ୍ରମ ଓ ନୀତି ସମ୍ପର୍କରେ ପ୍ରଚାରପ୍ରସାରକୁ ସୁଦୃଢ କରିବା ଲାଗି ସେମାନଙ୍କ ସହ ବିଚାରବିମର୍ଶ କରିଥିଲେ । ସରକାରୀ ଯୋଜନାଗୁଡିକୁ ତୃଣମୂଳସ୍ତରରେ ଫଳପ୍ରଦ ଢଙ୍ଗରେ କାର୍ଯ୍ୟକାରୀ କରିବାକୁ ହେଲେ ସେ ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଜରୁରୀ । ଏଥିରେ ସ୍ଥାନୀୟ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଶ୍ରୀ ମିଶ୍ର ମତ ରଖିଥିଲେ । ସୂଚନାର ଉନ୍ନତ ପ୍ରବାହ ସୁନିଶ୍ଚିତ କରିବା ଲାଗି ପିଆଇବି ଏବଂ ସ୍ଥାନୀୟ ସାମ୍ବାଦିକମାନଙ୍କ ମଧ୍ୟରେ ସମ୍ପର୍କକୁ ସୁଦୃଢ କରିବା ନେଇ ମଧ୍ୟ ପିଆଇବି ଏଡିଜି ଆଲୋଚନା କରିଥିଲେ ଏବଂ ଏ ଦିଗରେ ସ୍ଥାନୀୟ ସାମ୍ବାଦିକମାନଙ୍କର ସହଯୋଗ କାମନା କରିଥିଲେ । ଶ୍ରୀ ମିଶ୍ର ସାମ୍ବାଦିକଙ୍କ ସମସ୍ୟା ଏବଂ କଲ୍ୟାଣ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ଓ ସ୍ଥାନୀୟ ପ୍ରଶାସନ ସହ ସମନ୍ୱୟ ରକ୍ଷା କରିବାର ଆବଶ୍ୟକତା ଉପରେ ଜୋର ଦେଇଥିଲେ । ବୈଠକକୁ ପିଆଇବିର ସହାୟକ ନିଦେ୍ର୍ଦଶକ ପ୍ରଦୀପ କୁମାର ଚୌଧୁରୀ ଏବଂ ଗଣମାଧ୍ୟମ ଓ ଯୋଗାଯୋଗ ଅଧିକାରୀ ସ୍ୱାଧୀନ ଶକ୍ତିପ୍ରସାଦ ପରିଚାଳନା କରିଥିଲେ । ଏଥିରେ ପୁରୀ ଜିଲ୍ଲାର ଅଗ୍ରଣୀ ଗଣମାଧ୍ୟମ ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ ।