ଭାରତ ଚିପ୍ସ ସମେତ ମୋବାଇଲ୍ ଫୋନର ପ୍ରତ୍ୟେକ ଉପାଦାନ ନିର୍ମାଣ କରିବ: ଅଶ୍ୱିନୀ 

 ଭୁବନେଶ୍ୱର :  କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ନୋଏଡାରେ ମୋବାଇଲ୍ ଡିଭାଇସ୍ ପାଇଁ ଭାରତର ପ୍ରଥମ ଟେମ୍ପର୍ଡ ଗ୍ଲାସ୍ ଉତ୍ପାଦନ କାରଖାନାକୁ ଉଦଘାଟନ କରିଛନ୍ତି । ଏହି କାରଖାନା ଆମେରିକାର କର୍ଣ୍ଣିଂ ଏୟୁ ସହଯୋଗରେ ଅପ୍ଟିମସ୍ ଇଲେକ୍ଟ୍ରୋନିକ୍ସ ଦ୍ୱାରା ପ୍ରତିଷ୍ଠା କରାଯାଇଛି । ଏହି କାରଖାନା ବିଶ୍ୱ ସ୍ତରରେ ସ୍ୱୀକୃତିପ୍ରାପ୍ତ ବ୍ରାଣ୍ଡ ‘ଇଞ୍ଜିନିୟର୍ଡ ବାଏ କର୍ଣ୍ଣିଂ’ ଅଧୀନରେ ଉଚ୍ଚମାନର ଟେମ୍ପର୍ଡ ଗ୍ଲାସ୍ ଉତ୍ପାଦନ କରିବ । ଉତ୍ପାଦଗୁଡ଼ିକ ଘରୋଇ ଏବଂ ଅନ୍ତର୍ଜାତୀୟ ବଜାରକୁ ଯୋଗାଣ କରାଯିବ । ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ କହିଥିଲେ, ଟେମ୍ପର୍ଡ ଗ୍ଲାସ୍ ମୋବାଇଲ୍ ଫୋନ୍ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସରଞ୍ଜାମ । ଏହାର ସ୍ୱଦେଶୀ ଉତ୍ପାଦନ ମେକ୍ ଇନ୍ ଇଣ୍ଡିଆର ସଫଳତା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣରେ ଏକ ପ୍ରମୁଖ ପଦକ୍ଷେପ ।  ପର୍ଯ୍ୟାୟକ୍ରମେ ଭାରତ ଚିପ୍ସ, କଭର ଗ୍ଲାସ୍, ଲାପଟପ୍ ଏବଂ ସର୍ଭର ଉପାଦାନ ସମେତ ମୋବାଇଲ୍ ଫୋନ୍ରେ ବ୍ୟବହୃତ ପ୍ରତ୍ୟେକ ଉପକରଣ ଉତ୍ପାଦନ କରିବ  । ଏହାଦ୍ୱାରା ଦେଶ ଇଲେକ୍ଟ୍ରୋନିକ୍ସ ଉତ୍ପାଦନରେ ଏକ ବିଶ୍ୱର ଅଗ୍ରଣୀ ଦେଶ ହୋଇପାରିବ । ଖୁବ୍ ଶୀଘ୍ର ଏକ ମେଡ୍ ଇନ୍ ଇଣ୍ଡିଆ ଚିପ୍ ଆରମ୍ଭ ହେବ, ଯାହା ଦେଶର ଆତ୍ମନିର୍ଭରଶୀଳତା ଦିଗରେ ଯାତ୍ରାରେ ଆଉ ଏକ ମାଇଲଖୁଣ୍ଟ ହେବ ବୋଲି ସେ କହିଛନ୍ତି । ଗତ ୧୧ ବର୍ଷ ମଧ୍ୟରେ ଭାରତରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ୬ ଗୁଣ ବୃଦ୍ଧି ପାଇ ୧୧.୫ ଲକ୍ଷ କୋଟି ଟଙ୍କା ଉତ୍ପାଦନ ମୂଲ୍ୟରେ ପହଞ୍ଚିଛି । ଏସବୁ ଉପାଦାନର ରପ୍ତାନୀ ୩ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଥିବା ବେଳେ ୨.୫ ନିୟୁତ ଲୋକଙ୍କ ପାଇଁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୃଷ୍ଟି କରିଛି । ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ଭାରତ ୭.୮% ଜିଡିପି ଅଭିବୃଦ୍ଧି ହାର ହାସଲ କରିଛି । ଦେଶ ଏକ ସ୍ଥିର, ସକ୍ରିୟ ଏବଂ ନବସୃଜନ-ଚାଳିତ ଅର୍ଥବ୍ୟବସ୍ଥା ବୋଲି ଏହାଦ୍ୱାରା ପ୍ରମାଣିତ ହୋଇଛି  । ସେ ଯୁବପିଢ଼ିଙ୍କୁ କଠିନ ପରିଶ୍ରମ କରିବା ଏବଂ ଆତ୍ମନିର୍ଭର ଓ ବିକଶିତ ଭାରତ ୨୦୪୭ର ଲକ୍ଷ୍ୟରେ ଯୋଗଦାନ ଦେବାକୁ ଆହ୍ୱାନ ଦେଇଥିଲେ । ସେ କହିଥିଲେ, ବିଶ୍ୱ ଭାରତକୁ ବହୁତ ଆଶା ନେଇ ଦେଖୁଛି । ଏହି ଅବସରରେ ଅପ୍ଟିମସ୍ ଇନଫ୍ରାକମ୍ ଲିମିଟେଡର ଅଧ୍ୟକ୍ଷ ଅଶୋକ କୁମାର ଗୁପ୍ତା, ଇଣ୍ଡିଆ ସେଲୁ୍ୟଲାର ଆଣ୍ଡ ଇଲେକ୍ଟ୍ରୋନିକ୍ସ ଆସୋସିଏସନର ଅଧ୍ୟକ୍ଷ ପଙ୍କଜ ମହିନ୍ଦ୍ରୁ ପ୍ରମୁଖ କାରଖାନା କାର୍ଯ୍ୟକ୍ଷମ ହେବାକୁ ସ୍ୱାଗତ କରିଛନ୍ତି ।