ସାର ବିକ୍ରୟ କେନ୍ଦ୍ରରେ କୃଷି ବିଭାଗର ଯାଞ୍ଚ
ନୂଆପଡା : ରାଜ୍ୟ ସରକାର କୃଷି ଓ କୃଷକ ସଶକ୍ତିକରଣ କରିବା ପାଇଁ ବିଭିନ୍ନ ଯୋଜନା ଓ ସୁବିଧା ସୁଯୋଗ ପ୍ରଦାନ କରୁଛନ୍ତି । ସରକାରଙ୍କ ନିର୍ଦ୍ଧାରିତ ଦର ଦେଇ ଚାଷୀମାନେ ବିହନ ଓ ସାର କିଣିପାରିବେ, କିନ୍ତୁ କେତେକ କ୍ଷେତ୍ରରେ ସାର କଳାବଜାରୀ, ରାସାୟନିକ ସାରର କୃତ୍ରିମ ଅଭାବ ଓ ଚଢ଼ାଦରରେ ସାର ବିକ୍ରୟକୁ ରୋକିବା ପାଇଁ କୋମନା ବ୍ଲକ ଅଞ୍ଚଳରେ ଥିବା ବିଭିନ୍ନ ସାର ବିକ୍ରୟ କେନ୍ଦ୍ରକୁ କୃଷି ବିଭାଗ କୋମନା ପକ୍ଷରୁ ଯାଞ୍ଚ ଓ ଚଢ଼ାଉ କରାଯାଇଛି । କୋମନା ବ୍ଲକ କୃଷି ଅଧିକାରୀଙ୍କ ନେତୃତ୍ୱରେ କୃଷି ବିଭାଗର ସ୍ୱତନ୍ତ୍ର ଟିମ୍ ନୂଆପଡା ଜିଲ୍ଲା କୋମନା ବ୍ଲକର ଉଦ୍ୟାନବନ୍ଧ, ବୁଦ୍ଧିକୋମନା, ପଣ୍ଡରାପଥର, କୋମନା, ପେଣ୍ଡରାବନ ସମେତ ବିଭିନ୍ନ ସ୍ଥାନରେ ଯାଞ୍ଚ ଓ ଚଢ଼ାଉ କରିଥିଲେ । ଏହି ଯାଞ୍ଚ ସମୟରେ ସାର ଗୋଦାମର ଷ୍ଟକ ଓ ଫିଜିକାଳ ଷ୍ଟକ ମଧ୍ୟରେ ତୁଳନାତ୍ମକ ଯାଞ୍ଚ ସହ କେଉଁ ସାର କେତେ ଦାମରେ ବିକ୍ରି ହେଉଛି, ସେ ନେଇ ଅନୁଧ୍ୟାନ କରାଯାଇଥିଲା । ଗୋଦାମରେ କେତେ ସାର ଉପଲବ୍ଧ ଅଛି କି ନାହିଁ, କଳାବଜାରୀ ହେଉଛି ନା ନାହିଁ ତଥା ଅନ୍ୟାନ୍ୟ ସମସ୍ତ ତଥ୍ୟ ଯାଞ୍ଚ କରାଯାଇଥିଲା । ସେହିପରି ସାର ବିକ୍ରୟ କେନ୍ଦ୍ରରେ ରେଜିଷ୍ଟ୍ରର ସଠିକ୍ ଭାବରେ ପରିଚାଳନା କରାଯାଉଛି କି ନାହିଁ ତାହା ତଦାରଖ କରାଯାଇଥିଲା । ଏହି ଯାଞ୍ଚ ସମୟରେ ଛଟି ସାର ବିକ୍ରୟ କେନ୍ଦ୍ରକୁ ଯାଞ୍ଚ କରାଯାଇଥିବାବେଳେ ଦୁଇ ଜଣ ସାର ବିକ୍ରେତାଙ୍କୁ କାରଣଦର୍ଶାଅ ନୋଟିସ୍ ଜାରି କରି ତାଗିଦ କରାଯାଇଛି । ଏହି ଚଢ଼ାଉ ସମୟରେ କୋମନା ବ୍ଲକ କୃଷି ଅଧିକାରୀ ସୁଧାଂଶୁ ମେହେର, ଅତିରିକ୍ତ କୃଷି ଅଧିକାରୀ ସଂଗୀତା ମେହେର, ଗାଷ୍ଠୀ ବୈଷୟିକ ପରିଚାଳକ ଆଶିଷ ପଟେଲ ସହ ବିଭାଗୀୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।