ଶ୍ରୀଜୀଉମାନଙ୍କ ସୁନାବେଶ
ଶ୍ରୀମଦ୍ ଭାଗବତ ଗୀତା ପ୍ରବଚନ : ରଥଯାତ୍ରାର ଅନ୍ତିମ ପର୍ଯ୍ୟାୟର ଠିକ୍ ପୂର୍ବରୁ ଅର୍ଥାତ୍ ବାହୁଡା ପରଦିନ ଆଷାଢ଼ ଶୁକ୍ଳ ଏକାଦଶୀ ଦିନ ସିଂହଦ୍ୱାରରେ ଦଣ୍ଡାୟମାନ ଥିବା ତିନି ରଥ ଉପରେ ଆକର୍ଷଣୀୟ ସୁନାବେଶରେ ଲକ୍ଷ ଲକ୍ଷ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ଶ୍ରୀକ୍ଷେତ୍ରରେ ଶ୍ରୀଜୀଉମାନଙ୍କର ବର୍ଷକ ଭିତରେ ବିଭିନ୍ନ ବେଶ ହୋଇଥାଏ । ତନ୍ମଧ୍ୟରୁ ସୁନାବେଶ ଅତ୍ୟନ୍ତ ଦୁର୍ଲଭ ଓ ଆକର୍ଷଣୀୟ ହୋଇଥାଏ ଯହିଁରେ ଦିଅଙ୍କୁ ସୁବର୍ଣ୍ଣ ଆଭୂଷଣରେ ସାଜ କରାଯାଏ । ଏହି ସୁନା ବେଶକୁ ରାଜାବେଶ, ବଡ଼ତଢାଉ ବେଶ ମଧ୍ୟ କୁହଯାଏ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ପାଞ୍ଚ ଥର ସୁନାବେଶ ହୋଇଥାଏ । ଏହା ସାଧାରଣତଃ ପୌଷ ପୂର୍ଣ୍ଣିମା ପୁଷ୍ୟାଭିଷେକ, ଫାଲଗୁନ ପୂର୍ଣ୍ଣିମା ଅର୍ଥାତ୍ ଦୋଳ ପୂର୍ଣ୍ଣିମା, ହରିଶୟନ ଏକାଦଶୀ ବା ବାହୁଡ଼ା ଏକାଦଶୀ, କାର୍ତ୍ତିକ ପୂର୍ଣ୍ଣିମା ବା ରାଜରାଜେଶ୍ୱର ବେଶ ଓ ବିଜୟାଦଶମୀ ଅର୍ଥାତ୍ ଦଶହରା ଦିନ ଅନୁଷ୍ଠିତ ହୋଇଥାଏ । ଏଥିମଧ୍ୟରୁ ଶ୍ରୀମନ୍ଦିରସ୍ଥ ରନôସିଂହାସନ ଉପରେ ଶ୍ରୀଜୀଉମାନେ ସୁନାବେଶରେ ସଜ୍ଜିତ ହୋଇଥାନ୍ତି ଓ କେବଳ ଥରେ ମାତ୍ର ସମସ୍ତ ବର୍ଗର ଜନତାଙ୍କ ପାଇଁ ଆଷାଢ଼ ଶୁକ୍ଲ ଏକାଦଶୀ ଦିନ ରଥଯାତ୍ରାରେ ମାଉସିମା ଘରେ ନଅ ଦିନ ଧରି ଶରଧାବାଲି ଠାରୁ ବାହୁଡାରେ ଫେରି ସିଂହଦ୍ୱାରଠାରେ ଦଣ୍ଡାୟମାନ ତିନିରଥ ଉପରେ ସୁନାବେଶରେ ସଜ୍ଜିତ ହୋଇଥାନ୍ତି । ବର୍ଷସାରା କରାଯାଉଥିବା ସୁନାବେଶ ମଧ୍ୟରୁ ରଥ ଉପରେ କରାଯାଉଥିବା ସୁନାବେଶ ସବୁଠୁ ବଡ ଏବଂ ବ୍ୟାପକ ହୋଇଥାଏ ଯାହାକୁ ଦେଖିବା ପାଇଁ ଲକ୍ଷ ଲକ୍ଷ ଭକ୍ତ ଅନାଇ ରହିଥାନ୍ତି । ଶ୍ରୀଜୀଉମାନଙ୍କର ମଧ୍ୟାହ୍ନ ଧୂପ ଶେଷ ହେବା ପରେ ଅର୍ଥାତ୍ ପ୍ରାୟ ଦୁଇ ଘଣ୍ଟା ସମୟ ଧରି ତିନିରଥ ଉପରେ ସୁନାବେଶ ଅନୁଷ୍ଠିତ ହୋଇଥାଏ । ଶ୍ରୀଜୀଉମାନେ ସୁନାବେଶରେ ପ୍ରାୟ ଛଅ ଘଣ୍ଟା ପର୍ଯ୍ୟନ୍ତ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି । ଭିତରଚ୍ଛ ମହାପାତ୍ର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡ଼ରେ, ତଳିଚ୍ଛ ମହାପାତ୍ର ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ବାଡ଼ରେ ଓ ପୁଷ୍ପାଳକ ସେବାୟତ ଦେବୀ ସୁଭଦ୍ରାଙ୍କ ବାଡ଼ରେ ଯଥାକ୍ରମେ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ରଥରେ ଶ୍ରୀବିଗ୍ରହମାନଙ୍କୁ ସୁନାବେଶରେ ସଜ୍ଜିତ କରିବାର ପରମ୍ପରା ରହିଛି । ମହାପ୍ରଭୁ ହେଉଛନ୍ତି ନିରାକାର, ନିରଞ୍ଜନ ତଥା ପରଂବ୍ରହ୍ମ । ମହାପ୍ରଭୁଙ୍କର ହସ୍ତ ନାହିଁ, ପାଦ ନାହିଁ ଓ ଆଙ୍ଗୁଳି ନାହିଁ । ସେଥିପାଇଁ ତାଙ୍କ ପାଇଁ ସୁନାର ହାତ ଲଗାଯାଏ ଓ ସୁନାର ପୟର ଲଗାଯାଏ । ମାଆ ସୁଭଦ୍ରାଙ୍କର କାନ ନାହିଁ ବୋଲି ସେଥିପାଇଁ ମାଆଙ୍କର ସୁନାର କାନ ଲଗାଯାଏ ଆଉ ସୁନ୍ଦର ଭାବରେ ସଜ୍ଜିତ କରିବା ପାଇଁ ଅନ୍ୟାନ୍ୟ ଅଳଙ୍କାର ଶ୍ରୀଜୀଉଙ୍କ ଅଙ୍ଗରେ ପିନ୍ଧାଇ ଦିଆଯାଏ । ଏହି ସୁନାବେଶ ଦେଖିବା ପରେ ଭକ୍ତ ମାନଙ୍କ ମନରେ ପ୍ରଶ୍ନ ଉଠେ ଯେ ମହାପ୍ରଭୁଙ୍କର ଏହି ବେଶ କାହିଁକି ହୁଏ, ଏତେ ସୁନା କେଉଁଠୁ ଆସିଲା ଏଭଳି ଅନେକ ପ୍ରଶ୍ନ ଭକ୍ତ ମାନଙ୍କ ମନରେ ଉଙ୍କି ମାରେ ।
କିମ୍ବଦନ୍ତୀରୁ ଜଣାଯାଏ ଯେ ସୁନାବେଶ ରାଜା କପିଳେନ୍ଦ୍ର ଦେବଙ୍କ ସମୟରୁ ଆରମ୍ଭ ହୋଇଥିଲା । କପିଳେନ୍ଦ୍ର ଦେବ କୃଷ୍ଣାନଦୀ ପର୍ଯ୍ୟନ୍ତ ନିଜର ସାମ୍ରାଜ୍ୟ ବିସ୍ତାର କରିଥିଲେ । ବହୁ ରାଜାଙ୍କୁ ପରାସ୍ତ କରି ସେମାନଙ୍କର କିରିଟୀ, ମୁକୁଟ, ସିଂହାସନ ଏବଂ ସୁନା ୧୬ ଟି ହାତୀ ପିଠିରେ ବୋଝେଇ ଦକ୍ଷିଣରୁ ଆଣିଥିଲେ । ସେହି ସୁନାକୁ ନିଜ କାର୍ଯ୍ୟରେ ନ ଲଗାଇ ମହାପ୍ରଭୁଙ୍କ କାର୍ଯ୍ୟରେ ଲଗାଇଥିଲେ । ସେହି ସୁନାରେ ପ୍ରଭୁଙ୍କର ସୁନା ଅଳଙ୍କାର ତିଆରି ହୋଇଛି ବୋଲି କୁହାଯାଏ । ତେବେ କିଛି ଗବେଷକଙ୍କ ମତରେ ରାଜା ଅନଙ୍ଗଭୀମ ଦେବ ପବିତ୍ର ଆଷାଢ଼ ଏକାଦଶୀ ତିଥିରେ ସୁନାବେଶ କରାଇଥିଲେ । ତେବେ ବଡ଼ତଢାଉ ବେଶ ମତରେ ରାଜା କପିଳେନ୍ଦ୍ର ଦେବ ୧୪୬୦ ରେ ଆଣି ମହାପ୍ରଭୁଙ୍କୁ ସମର୍ପଣ କରିଥିବା ନେଇ ଜୟବିଜୟ ଦ୍ୱାରସ୍ଥିତ ଶିଳାଲେଖରେ ସୂଚନା ରହିଛି । ରନôବେଦିରେ ମହାପ୍ରଭୁଙ୍କ ବିଭିନ୍ନ ବେଶକୁ ସବୁବର୍ଗରେ ଭକ୍ତ ଦର୍ଶନ କରି ପାରୁନାହାନ୍ତି ତେଣୁ ରଥ ଉପରେ ସବୁବର୍ଗର ଦର୍ଶନ ପାଇଁ ମହାପ୍ରଭୁଙ୍କ ସୁନାବେଶ କରେଇବାକୁ ବଡ଼ତଢାଉ ରାଜା କପିଳେନ୍ଦ୍ର ଦେବଙ୍କୁ ବିନତି କରିଥିଲେ । ଦକ୍ଷିଣାଭିମୁଖୀ ଯାତ୍ରାରେ ତଥା ବାହୁଡ଼ାରେ ଫେରି ତିନି ରଥ ସିଂହଦ୍ୱାରରେ ପହଞ୍ଚିବା ପରେ ବଡ଼ ଏକାଦଶୀ ଦିନ ରଥ ଉପରେ ସୁନାବେଶ କରିବାକୁ ରାଜା ଅନୁମତି ଦେଇଥିଲେ । ବହୁବର୍ଷ ଧରି ପୂର୍ବରୁ ରଥ ଉପରେ ସୁନାବେଶରେ ମହାପ୍ରଭୁଙ୍କୁ ୧୩୮ ପ୍ରକାର ରନô ଖଚିତ ସ୍ୱର୍ଣ୍ଣାଳଙ୍କାର ଲାଗି ହେଉଥିଲା । ଏବେ ଏଥିରେ କିଛି ପରିବର୍ତ୍ତନ ହେଇଛି । ରନô ଭଣ୍ଡାର ଘର ଭିତରୁ ପାଳିଆ ମେକାପ ଖୁଣ୍ଟିଆ ମାଜିଷ୍ଟ୍ରେଟଙ୍କ ଦ୍ୱାରା ସୁନାବେଶ ସାମଗ୍ରୀ ଗଣା ହୋଇ ରଥ ପାଖକୁ ଆସିଥାଏ । ତିନି ରଥରେ ରଥାରୂଢ଼ ଦାରୁଦେବତାଙ୍କୁ ପାଳିଆ ପୁଷ୍ପାଳକ, ଦଇତାପତି, ଖୁଣ୍ଟିଆ ମେକାପ, ତଳିଚ୍ଛ, ଭିତରଚ୍ଛ ପ୍ରମୁଖ ସେବାୟତ ଶ୍ରୀଜୀଉମାନଙ୍କୁ ସୁନାବେଶ ଆଭୂଷଣ ଲାଗି କରିଥାନ୍ତି ।
ଶ୍ରୀଜୀଉମାନଙ୍କ ପ୍ରତ୍ୟେକ ଅଳଙ୍କାରର ନାମ ରହିଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଳଙ୍କାର ନାମ ହେଲା - କିରିଟ, ଶ୍ରୀପୟର, ଶ୍ରୀଭୁଜ, ସ୍ୱର୍ଣ୍ଣ ଚକ୍ର ଓ ରୌପ୍ୟ ଶଙ୍ଖ, ଓଢିଆଣୀ, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନି, ଘାଗଡ଼ା ମାଳି, କଦମ୍ବ ମାଳି, ବାହାଡ଼ା ମାଳି, ତାବିଜ ମାଳି, ସେବତୀ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି, ତ୍ରିଖଣ୍ଡିକା, କମରପଟି । ଶ୍ରୀବଳଭଦ୍ର ଙ୍କ ଅଳଙ୍କାର ନାମ ହେଲା - କିରିଟ, ଶ୍ରୀପୟର, ଶ୍ରୀଭୁଜ, ହଳ ଓ ମୂଷଳ, ଓଢିଆଣୀ, କୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନି, ଘାଗଡ଼ା ମାଳି, କଦମ୍ବ ମାଳି, ବାହାଡ଼ା ମାଳି, ବାଘନଖ ମାଳି, ସେବତୀ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି, ତ୍ରିଖଣ୍ଡିକା, କମରପଟି । ଦେବୀ ସୁଭଦ୍ରାଙ୍କ ଅଳଙ୍କାର ନାମ ହେଲା - କିରୀଟ, ଓଢ଼ିଆଣୀ, କାନ, ଚନ୍ଦ୍ରସୂର୍ଯ୍ୟ, ଘାଗଡ଼ା ମାଳି, କଦମ୍ବ ମାଳି, ସେବତୀ ମାଳି, ତଗଡ଼ି । ପୃଥିବୀରେ ମହାପ୍ରଭୁଙ୍କ ବେଶ ଭଳି ବେଶ କେଉଁଠି ନାହିଁ । ଏତେ ବଡ ବଡ ଅଳଙ୍କାର ମହାପ୍ରଭୁଙ୍କ ଛଡା ଆଉ କେହି ପିନ୍ଧି ପାରିବେ ନାହିଁ । ମହଣ ମହଣ ଓଜନର ଅଳଙ୍କାର ପିନ୍ଧିବାର ଶକ୍ତି କେବଳ ବିଶ୍ୱ ନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମେତ ବଡ଼ଭାଇ ବଳଭଦ୍ର ଓ ମାଆ ସୁଭଦ୍ରାଙ୍କର ହିଁ ଅଛି ।
ମୋ:୮୨୪୯୫୦୨୭୭୬