ଅଜଣା ଜଗତର ଡାକ
ଅଶୋକ ବିଶ୍ୱାଳ : ଏଣେ ଡଲଫିନ ଦଳ ଏଠାରେ ବୋଟସହ ତାଳଦେଇ ଯାତ୍ରା କରୁଥିଲେ । ସେମାନଙ୍କର ଦେହର ଥିଲା ରବର ଭଳି ଚକଚକ କଳା ନୀଳ ଆଉ ଏକଦମ ପାଲିସକରା ଚମଡା । ଲାଗୁଥିଲା ଏକ ସର୍କସର ଜିମନାଷ୍ଟ ଭଳି ଟାଇଟ ଫିଟିଙ୍ଗ କପଡା ପିନ୍ଧିଛନ୍ତି । ସତେ ଯେମିତି ବୋଟ ସହ ଦୌଡ ଲଗାଇଛନ୍ତି । ଆଉ ସେମାନଙ୍କର ପହଁରିବା ବା କଳାକୈ÷ାତୁକ ଏକ ନଦୀର ପ୍ରବାହ ଭଳି ସାବଲୀଳ ଥିଲା ।
“ପଦ୍ମଶିବ, ଡଲଫିନ ଏକ କୌତୁକିଆ ମାଛ । ନାଁ, କଣ କହୁଛନ୍ତି ।”- ଅସୀମ କହିଲେ । “ପାଣିର ଶ୍ରେଷ୍ଠ ଜିମନାଷ୍ଟିକ ।”- ପଦ୍ମଦେବ ଉତ୍ତରଦେଲେ । ସମସ୍ତଙ୍କ ଆଖି ଡଲଫିନମାନଙ୍କର କଳାକୌତୁକ ଉପରେ ଲାଗିରହିଥିଲା ।
ରାମଦାସ ସେତେବେଳକୁ ଓ୍ୟାଇଲଡ ଲାଇଫର ହେଡକ୍ୱାର୍ଟର କ୍ୟାମ୍ପ ଅଫିସର । ସବୁବର୍ଷ ଭଳି କ୍ୟାମ୍ପବେଲ ବେରେ ଏଥର ବହୁତ ବର୍ଷା ହେଲା । ଦିନ ଦିନ ଧରି ବର୍ଷା ଲାଗିଥିଲା, ଆଉ ସବୁ ଜାଗା ଧୀରେ ଜଳାର୍ଣ୍ଣବ ହୋଇଯାଉଥିଲା । ଏ ସମୟରେ ଲୋକେ ବାହରକୁ ବେଶି ବାହାରି ପାରନ୍ତିନି । ଚାରିଆଡେ ପାଣି । ରାସ୍ତା କେଉଁଠି, ଖାଲ ଖମା କେଉଁଠି କିଛି ଜଣାପଡେନା । ତେଣୁ ରାସ୍ତା ଭାବି ଉଣ୍ଡାଳି ଉଣ୍ଡାଳି ଯିବା କଥା । ଅନେକ ତ ଗାତ, ନାଳରେ ପଡି ଖଣ୍ଡିଆଖାବରା ହୋଇଛନ୍ତି । ଏ ତ ରହିଲା ମଣିଷମାନଙ୍କର କଥା । ଗାଈଗୋରୁ ଘର ଭିତରେ ବନ୍ଧା ରହିଛନ୍ତି । କିନ୍ତୁ ବାହାରର ଜୀବଜନ୍ତୁ । ମାଙ୍କଡମାନେ ଗଛରେ ବସି ଭିଜିଛନ୍ତି ଆଉ ପକ୍ଷୀମାନେ ନିଜ ନିଜ ନୀଡରେ ବସି ରହିଛନ୍ତି । ବର୍ଷାରେ କୁହାଯାଇପାରେ ଚାଲୁଥିବା ବା ଉଡୁଥିବା ପ୍ରାଣୀମାନେ ନିଷ୍କ୍ରିୟ ହୋଇଯାଇଛନ୍ତି । କେବଳ ପାଣିରେ ପହଁରୁଥିବା ପ୍ରାଣୀମାନେ ସକ୍ରିୟ ରହିଛନ୍ତି । ପାଖ ନାଳମାନଙ୍କରୁ ମାଛମାନେ ପଡିଆକୁ ଆସିଯାଇଛନ୍ତି । ଲୋକମାନଙ୍କର ଭୋଜି ପାଇଁ ପରେ ମାଛ ସହଜରେ ମିଳିଯାଉଛି ।
ଏମିତି ବର୍ଷା ଯୋଗୁ ଅସୀମ ବା ଅନ୍ୟ ଷ୍ଟାଫମାନେ ବେଶି କିଛି କରିପାରୁନଥିଲେ । ଅଫିସ ସମୟରେ ଯିବେ । ବନ୍ୟପ୍ରାଣୀ ରେଞ୍ଜର ଷ୍ଟାଫମାନେ ମଧ୍ୟ ବାହାରେ ବୁଲାବୁଲି କରିପାରୁନଥିଲେ ଆଉ ସେମାନଙ୍କ ପାଖକୁ କିଛି ଖବର ଆସୁନଥିଲା । ରେଞ୍ଜର ଷ୍ଟାଫମାନେ ମଧ୍ୟ ଅଫିସ କାମ ଉପରେ ବେଶି ଧ୍ୟାନ ଦେଉଥିଲେ । ସମସ୍ତେ କେମିତି ଅଳସୁଆ ହୋଇଯାଉଥିଲେ । ବର୍ଷା ଉପରେ ବେଶ ଆଲୋଚନା ହେଉଥିଲା । ମାଛମାରି ହେଉନି ବୋଲି କେତେଜଣ ପାଟି ଟାକୁଳିଆ କହୁଥିଲେ । ଚାହା, ବିସ୍କୁଟ ଆଦିର ଚାହିଦା ବଢିଯାଇଥିଲା । “ଓ୍ୟାଇଲଡ ଲାଇଫ ଅଫିସ କରିଡରରେ କୁମ୍ଭୀର ବୁଲୁଛି ।” ସକାଳୁ ସକାଳୁ ଏ ଖବର ଜୋରରେ ଫରେଷ୍ଟ କଲୋନୀରେ ବଡ ଚକ୍ରବାତ ତୋଫାନ ଭଳି ବୁଲିଗଲା । ଓ୍ୟାଚମ୍ୟାନ ମୁହଁରୁ ଖବର ଶୁଣି ପଦ୍ମଶିବ ଏକଦମ ଘାବରେଇ ଗଲେ । ରାମଦାସ ତଥା ଅନ୍ୟ ଲୋକମାନେ ଆସିଯାଇଥିଲେ । ଖବର ହିସାବରେ ଠିକ ପଦ୍ମଶିବଙ୍କ ରୁମ ଆଗରେ କୁମ୍ଭୀର ବୁଲୁଛି । ମଧ୍ୟମ ଆକାରର କୁମ୍ଭୀରଟିଏ । ଏସିଏଫଙ୍କ ଅଫିସକୁ ଲାଗି ଥିଲା ରେଞ୍ଜର ପଦ୍ମଶିବଙ୍କ କାର୍ଯ୍ୟାଳୟ । ଡୋମିନିକ ରେଞ୍ଜର ଅନ୍ୟ ଯାଗାରେ ନିଜ ରେଞ୍ଜରେ ବସୁଥିଲେ । ପଦ୍ମଶିବଙ୍କ କୋଠରୀ ପାଖାପାଖି ଥିଲା ଓ୍ୟାଇଲଡ ଲାଇଫ ମ୍ୟୁଜିଅମ । ସେ ଭିତରେ ବହୁତ ଜୀବଜନ୍ତୁଙ୍କ ଦେହାବଶେଷ ଥିଲା ଆଉ ଥିଲା ଶୋମ୍ପେନମାନଙ୍କ ବ୍ୟବହୃତ ବହୁ ସାମଗ୍ରୀ । ତଳେ ରହିଥିଲା ସେମାନଙ୍କର ସୁରକ୍ଷାର ବହୁ ଉପକରଣ ।
“ଜଙ୍ଗଲୀ ଜନ୍ତୁ । ତେଣୁ ଓ୍ୟାଇଲଡ ଲାଇଫ ଅଫିସକୁ ଟିକେ ବୁଲି ଆସିଛି ।”- କେହି କେହି ତଳୁଆ ଷ୍ଟାଫ କହିହେଲେ ।
ଅନ୍ୟ ସମୟ ହୋଇଥିଲେ ପଦ୍ମଶିବ, ଡୋମିନିକ ବା ଅନ୍ୟମାନେ ହସି ହସି ଗଡିଯାଇଥାନ୍ତେ । ବନ୍ୟପ୍ରାଣୀ ଅଫିସକୁ ଜଙ୍ଗଲୀ ଜନ୍ତୁମାନେ ନିଜେ ଚିହ୍ନୁଛନ୍ତି ଜାଣି ସେମାନଙ୍କର ଗର୍ବର ସୀମା ରହିନଥାନ୍ତା । ଯାହାହେଉ ସେମାନଙ୍କର ନାଲି ସବୁଜ ରଙ୍ଗର ପଟ୍ଟୀକୁ ଜଙ୍ଗଲୀ ଜୀବମାନେ ଚିହ୍ନିଗଲେଣି । କିନ୍ତୁ କୁମ୍ଭୀର କଥା ଶୁଣି ପଦ୍ମଶିବଙ୍କ ଗୋରା ମୁହଁ ଉପରେ ଲାଲ ତକତକ ରକ୍ତ ଜୋରରେ ଓହ୍ଲାଇ ଆସିଲା ଆଉ ତାଙ୍କ ମୁହଁ ସାମାନ୍ୟ କଳା ପଡିଗଲା । କୁମ୍ଭୀର ଜଙ୍ଗଲୀ ଜନ୍ତୁ, କିନ୍ତୁ ତା’ର ସ୍ୱାଗତ କରିବା ଶୈଳୀ ଅଲଗା ହେବ । ତା’କୁ କେହି ହାତରେ ଛୁଇଁ ପାରିବେନି । କୁମ୍ଭୀର ହିଂସ୍ର ପ୍ରାଣୀ ଆଉ ତା’ର କାମୁଡାରେ ମଣିଷର ହାତ ବା ଗୋଡ ଛିଣ୍ଡିଯାଇପାରେ । ଆଉ ଯଦି କେଉଁ ଅସାବଧାନ ଲୋକକୁ ଧରି କୁମ୍ଭୀର ଡେଥ ରୋଲ କଲା ତ ଲୋକଟିର ପ୍ରାଣ ଆଉ ରହିବନି ।
ସମସ୍ତେ ବ୍ୟସ୍ତ ହୋଇଗଲେ । କିନ୍ତୁ ସାବଧାନ ହୋଇ ରହିଲେ କୁମ୍ଭୀରକୁ ବେଶି ଡରିବାର ନାହିଁ । କୁମ୍ଭୀର ମୁହଁ ପାଖକୁ ଯିବାର ନାହିଁ । କୁମ୍ଭୀର କିଛି ଡେଇଁ ଶିକାରକୁ ନିଜ ଥୋବଣୀରେ ଜୋରରେ କାମୁଡି ଧରେ । ହରିଣ ଭଳି ଅତି ଚଞ୍ଚଳ ଜନ୍ତୁ ତା’ର ଶିକାର ହୋଇଯାଆନ୍ତି । କୁମ୍ଭୀର ପାଣିରେ ଲୁଚି ରହି ହଠାତ୍ ଲମ୍ଫ ଦେଇ ହରିଣ ବା ବାରହା ଭଳି ଜନ୍ତୁଙ୍କୁ ସହଜରେ ଧରିନିଏ । କିନ୍ତୁ ତାହା ସମ୍ଭବ ହୁଏ କୁମ୍ଭୀରର ଲୁଚିଛପି ଆକ୍ରମଣ କରିବାର ଗୁଣ ହେତୁ । ଏଠି ଯେହେତୁ କୁମ୍ଭୀର କରିଡରରେ ବୁଲୁଛି, ତେଣୁ ସେ ସମସ୍ତଙ୍କ ନଜର ଆଗରେ ରହିବ ଆଉ ତା’କୁ ଛପି ଆକ୍ରମଣ କରିବାକୁ ସୁଯୋଗ ମିଳିବନି । କୁମ୍ଭୀରର କରିଡରରେ କେବଳ ଚାଲିପାରିବ ।
ତାପରେ କାମସବୁ ଜଲଦି ଜଲଦି କରାଗଲା । ବେଶି ଲୋକ ଅଫିସକୁ ଚଢିଗଲେ ନିଜକୁ ସମ୍ଭାଳିବାକୁ ବେଳ ଲାଗିବ ଯେମିତି ବେଶି ଲୋକରେ ମୂଷା ମରେନି । କେବଳ ଚାରି ପାଞ୍ଚଜଣ ଲୋକ ଅଫିସ ଉପରକୁ ଗଲେ । ଅନ୍ୟମାନେ ଛତା ଧରି ବାହାରେ ପାଣିରେ ଠିଆ ହୋଇ ରହିଲେ । ବନ୍ଧା ପଡିଥିବା କୁମ୍ଭୀରର ଟିକିଏ ଝଲକ ଦେଖିବା ପାଇଁ ସମସ୍ତଙ୍କ ପ୍ରାଣ ଆକୁଳିତ ହେଉଥିଲା । ପ୍ରବଳ ବର୍ଷାରେ ଯଦିଓ ପ୍ରାୟ ଓଦା ହୋଇଯାଉଥିଲେ ତଥାପି କେହି ରାସ୍ତା ଛାଡି ଘରକୁ ଗଲେନି । କେତେକେ ତ ପଡିଆ ଭିତରକୁ ପଶିଯାଇ ଆଣ୍ଠୁଏ ପାଣିରେ ଠିଆହୋଇ କୁମ୍ଭୀର ଦେଖିବାକୁ ଅନାଇ ରହିଲେ । କୁମ୍ଭୀର ଆସିବାର କାରଣ ଖୋଜିନିଆଗଲା । ଚାରିଆଡେ ଜଳାର୍ଣ୍ଣବ । ଏମିତିକି ଅଫିସ ଆଗରେ ଥିବା ପଡିଆରେ ପାଣି ଭରିଯାଇଛି । ରାସ୍ତା ଉପରେ ମଧ୍ୟ ପାଣି । ତେଣୁ କୁମ୍ଭୀର ଘାବରଇଯାଇ, ବାଟ ନପାଇ ଘରେ ପଶିଯାଇଛି । ଆଉ ଓ୍ୟାଇଲଡ ଲାଇଫ ଅଫିସ ଟିକେ ଉଚ୍ଚରେ ଥିବାରୁ ଚଢିଯାଇଛି ।
ରାମଦାସ ଉପରକୁ ଚଢି ଦେଖିଲା ବେଳକୁ କୁମ୍ଭୀର କରିଡରରେ ଘୋଷାରି ଘୋଷାରି ହୋଇ ଚାଲୁଛି । ସେମାନେ ପାଖକୁ ଗଲେ କୁମ୍ଭୀର ଆଁ କରୁଥିଲା ଆଉ ତା’ ଥୋବଣୀଟା ପୂରା ଖୋଲିଯାଉଥିଲା । ଏଡେ ବଡ ମୁହଁରେ ଏକ ମଝି ଆକାରର ଗାଈ ପଶିଯିବ । କୁମ୍ଭୀର ଆଁ କରିବା ଅର୍ଥ କୁମ୍ଭୀରଟି ଡରିଯାଇଛି ଆଉ ଅନ୍ୟମାନଙ୍କୁ ପାଖକୁ ନଆସିବା ପାଇଁ ଚେତାବନୀ ଦେଉଛି । କିନ୍ତୁ ବାଟ ପାଉନଥିବାରୁ ଏଣେତେଣେ ବୁଲୁଛି । କୁମ୍ଭୀରକୁ ବାଟ ଛାଡି ପାଣିକୁ ପଠାଇବାର କିଛି ଅର୍ଥ ନାହିଁ । ଥରେ ତଳକୁ ଚାଲିଗଲେ ସେ ପାଣି ଭିତରକୁ ଆସିଯିବ । ପାଣି ତ ସବୁଆଡେ, ପୁଣି କାହା ଘରେ ପଶିବ ଆଉ ସେଇଟା ମହରଗରୁ କାନ୍ତାରରେ ପଡିବା ଭଳି ହୋଇଯିବ । କୁମ୍ଭୀର ଥିବା ନାଳା ପର୍ଯ୍ୟନ୍ତ ସେ ଯାଇ ପାରିବ ନାହିଁ କାରଣ ନାଳା ଉପରେ ତ ପାଣି ବୋହୁଛି । ତେଣୁ କୁମ୍ଭୀରକୁ ଏଇ କରିଡରରେ ଧରାଯିବ ।
କୁମ୍ଭୀରକୁ ଧରିବା ବେଶି କଷ୍ଟକର କଥା ନୁହେଁ । ବାଘ ଭଳି ଜନ୍ତୁଙ୍କୁ ଧରିବା କଷ୍ଟ କାରଣ ସେମାନେ ଅତି ଚଞ୍ଚଳ । କିନ୍ତୁ କୁମ୍ଭୀର ଧୀରେ ବୁଲୁଥିବା ଜନ୍ତୁ ହେବା ହେତୁ ତା’କୁ ହାତରେ ଧରି କାବୁ କରାଯାଇପାରେ । ପ୍ରଥମେ ତା’ ଆଖିକୁ ବନ୍ଦ କରିଦେବା ଦରକାର । ଫଳରେ ବାହାରେ କ’ଣ ଘଟୁୁଛି ତାହା କୁମ୍ଭୀର ଜାଣି ପାରିବନି । ତା’ ପରେ ପାଞ୍ଚ ଛଅ ଜଣ ତା’ ଥୋବଣୀ, ଲାଞ୍ଜକୁ ଧରିନେଲେ କୁମ୍ଭୀର ନିରୁପାୟ । ତେଣିକି ମୁହଁକୁ ବାନ୍ଧିଦେଲେ କୁମ୍ଭୀର କାବୁରେ ଆସିଗଲା । ସେମାନେ ସେମିତି କରିବାକୁ ଠିକ କଲେ । ଇମାନୁଏଲ ଟିକେ ସାହସୀ ବ୍ୟକ୍ତି । ସେ କୁମ୍ଭୀର ପାଖକୁ ଯାଇ ସୁବିଧାଜନକ ସ୍ଥାନରେ ଠିଆ ହୋଇଗଲା । ଆଗପଟୁ ରାମଦାସ କୁମ୍ଭୀର ଆଡକୁ ବାଡି ଦେଖାଇଲେ, ଫଳରେ କୁମ୍ଭୀରର ଧ୍ୟାନ ହରଦାସଙ୍କ ଆଡକୁ ଚାଲିଗଲା । ଏଇ ମଉକାରେ ଇମାନୁଏଲ କୁମ୍ଭୀର ଆଖି ଉପରକୁ ଅଫିସର ଏକ ବଡ ପରଦାକୁ ପରସ୍ତ କରି ଫୋପାଡି ଦେଲା । ଆଉ ଲକ୍ଷ୍ୟ ଠିକ ଥିଲା । କୁମ୍ଭୀରର ଆଖି ଉପରେ କପଡା ପଡିଥିବା ହେତୁ ତା’କୁ କିଛି ଦେଖାଗଲାନି ଆଉ ସେ ଥୋବଣୀକୁ ଏପଟ ସେପଟ କରୁଥିଲା । ସେଇ ସମୟରେ ରାମଦାସ ଆଉ ଦୁଇଜଣ ଆସି କୁମ୍ଭୀରର ଲାଞ୍ଜ ଆଉ ଗଣ୍ଡିକୁ ଧରିନେଲେ । କୁମ୍ଭୀର ଆଉ ହଲଚଲ ହୋଇପାରିଲାନି । ମଣିଷର କାବୁରେ ଏକଦମ ଥିଲା । (କ୍ରମଶଃ)
ଭୁବନେଶ୍ୱର