ସାଲିଆ ସାହିରେ ବୁଲିଲା ବୁଲଡୋଜର
ଭୁବନେଶ୍ୱର : ଆଜି ସକାଳେ ସାଲିଆ ସାହିରେ ବୁଲିଲା ବୁଲଡେ଼ାଜର । ରାଜଧାନୀ ଉପଖଣ୍ଡ ସାଲିଆ ସାହିରେ ଆରମ୍ଭ ହୋଇଛି ଜବରଦଖଲ ଉଚ୍ଛେଦ । ବିଏମସି ଓ ବିଡ଼ିଏର ମିଳିତ ଟିମ ପକ୍ଷରୁ ଜବରଦଖଲ ଉଚ୍ଛେଦ କରାଯାଇଛି । ଏଥିପାଇଁ ପାଞ୍ଚ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି । ଉଚ୍ଛେଦ ବେଳେ ଜୋରଦାର ବିରୋଧ କରିଛନ୍ତି ବସ୍ତିବାସିନ୍ଦା । ସେମାନଙ୍କ କହିବା ଅନୁସାରେ, କୋର୍ଟରେ ମାମଲା ଚାଲିଥିବା ବେଳେ ଉଚ୍ଛେଦ କାହିଁକି କରାଯାଉଛି ତାହାକୁ ନେଇ ବସ୍ତିବାସିନ୍ଦା ପ୍ରଶ୍ନ ଉଠାଇଛନ୍ତି । ଆଜି ଉଚ୍ଛେଦ ବେଳେ ଧାରଣାରେ ବସିଛନ୍ତି ବସ୍ତିବାସିନ୍ଦା । ପୁଲିସ ଓ ବସ୍ତିବାସିନ୍ଦାଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି ।
ଏକାମ୍ର କାନନରୁ ଅନ୍ଧାରୁଆ ୧୩ କିଲୋମିଟର ପର୍ଯ୍ୟନ୍ତ ଲେଫ୍ଟ ପାରାଲାଲ ରାସ୍ତା ପାଇଁ ଏହି ଉଚ୍ଛେଦ କରାଯାଉଛି । ପୂର୍ବରୁ ମଧ୍ୟ ଉଛେଦ କରିଥିଲା ବିଡିଏ ଓ ବିଏମସିର ମିଳିତ ଟିମ । ଆଜିଠାରୁ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଏହି ଉଚ୍ଛେଦ କାର୍ଯ୍ୟ ଜାରି ରହିବ । ପାଖାପାଖି ୫୧୭ ଘର ଉଛେଦ କରାଯିବ । ଉଚ୍ଛେଦରେ ବିଏମସି, ବିଡିଏ, ୱାଟକୋ, ବିଦ୍ୟୁତ ବିଭାଗ ସହ ୫ ପ୍ଲାଟୁନ ପୋଲିସ ଫୋର୍ସ ଘଟଣା ସ୍ଥଳରେ ମୁତୟନ ରହିଛନ୍ତି ।