ସାହିଯାତରେ ଦୁଲୁକିଲା ପୁରୀ

ପୁରୀ : ରାମନବମୀ ଅବସରରେ ରବିବାର ଠାରୁ ଆରମ୍ଭ ହୋଇଛି ଶ୍ରୀକ୍ଷେତ୍ରର ପ୍ରସିଦ୍ଧ ସାହିଯାତ । ଚୈତ୍ର ଶୁକ୍ଳ ନବମୀ ତିଥିରେ ସନ୍ଧ୍ୟା ପରେ କାଳୀକାଦେବୀ ସାହିରୁ ସାହିଯାତ ବାହାରିଥିଲା । ସାହିଯାତର ଆଦ୍ୟ ପର୍ବ ଜନ୍ମଲୀଳା କାଳୀକାଦେବୀ ସାହି ପକ୍ଷରୁ ପ୍ରଦର୍ଶିତ ହୋଇଥିଲା । ଶ୍ରୀମନ୍ଦିରରୁ କାଳୀକାଦେବୀ ସାହି ମେଳ ଚରୁ ଅନ୍ନ ଗ୍ରହଣ କରିବା ପରେ ସାହିଯାତ ପଟୁଆର ବାହାରିଥିଲା । ଗଣ୍ଡମାଳ ଜାଗାରୁ ଏହି ଯାତ ବାହାରିଥିଲା । ଶ୍ରୀରାମ, ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ ଓ ଋଷ୍ୟଶୃଙ୍ଗ ବେଶରେ ସଜ୍ଜିତ ହୋଇ କଳାକାରମାନେ ଶ୍ରୀମନ୍ଦିରକୁ ଯାଇଥିଲେ । ଶ୍ରୀମନ୍ଦିରରୁ ଫେରିବା ପରେ ସୁସଜ୍ଜିତ ରଥରେ ସାହି ପରିକ୍ରମା କରିଥିଲେ । ସାହିଯାତ ପଟୁଆରରେ ନବଶିରା, ସପ୍ତଶିରା, ବୀରକଣ୍ଣ, ହନୁମାନ, ଗରୁଡ଼, କାଳୀମେଢ, ଦୁର୍ଗାମେଢ, ଲଉଡ଼ି ନୃତ୍ୟ ସମରକଳା ପରିବେଷଣ ଦେଖିବାକୁ ମିଳିଥିଲା । ବୀରବାଦ୍ୟର ତାଳେତାଳେ ପ୍ରଚାରୀନ ସମରକଳା ଓ ନୃତ୍ୟ ପରିବେଷଣ କରାଯାଇଥିଲା । ସାହିଯାତ ପଟୁଆର ମାଟିମଣ୍ଡପ ସାହିକୁ ଯାଇ ବିଭିନ୍ନ କଳା ପ୍ରଦର୍ଶନ କରିବା ସହ ବିଳମ୍ବିତ ରାତ୍ରରେ ସାହିକୁ ଫେରିଥିଲେ । କାଳୀକାଦେବୀ ସାହି ଓ ମାଟିମଣ୍ଡପ ସାହିରେ ଉସôବମୁଖର ପରିବେଶ ସୃଷ୍ଟି ହୋଇଥିଲା । ଉଜ୍ଜ୍ୱଳ ଆଲୋକରେ ଉଦ୍ଭାଷିତ ହୋଇଉଠିଥିଲା ଉଭୟ ସାହି । ପୁରୀର ପାରମ୍ପରିକ ସମରକଳା ଓ ସାହିଯାତ ରାମନବମୀ ଠାରୁ ଆରମ୍ଭ ହୋଇଛି । ଶେଷରେ ଗୌଡ଼ବାଡ଼ ସାହି ପକ୍ଷରୁ ରାମାଭିଷେକ ନୀତି ସମ୍ପନ୍ନ ହେବ । ଏହି କ୍ରମରେ ମାଟିମଣ୍ଡପ ସାହି ପକ୍ଷରୁ ଯଜ୍ଞରକ୍ଷା ନୀତି ଓ ନିଶାଣ ଶୋଭାଯାତ୍ରା ବାହାରିଥିଲା । ଦକ୍ଷିଣକାଳୀ ସାହି ସ୍ଥିତ ଉତରକାଳୀ ଆଖଡ଼ାରୁ ନିଶାଣ ବାହାରିଥିଲା । ଦକ୍ଷିଣକାଳୀ ମନ୍ଦିରରେ ନିଶାଣ ପହଞ୍ଚିବା ପରେ ସେଠାରେ ପୂଜାର୍ଚ୍ଚନା କରାଯାଇଥିଲା । ଆଠ ସାହି ଆଖଡ଼ାର ମୁରବୀମାନେ ମାଟିମଣ୍ଡପ ସାହିର ବାଦି ସାହି, କାଳିକାଦେବୀ ସାହିକୁ ଯାଇଥିଲେ । ବୀରବାଦ୍ୟର ତାଳେ ତାଳେ ନାଗା ନୃତ୍ୟ କଳାକାରଙ୍କ ଦ୍ୱାରା ପ୍ରଦର୍ଶିତ ହୋଇଥିଲା । ସାହିବାସିନ୍ଦାମାନେ ରାସ୍ତାଘାଟ ଏବଂ ନିଜ ନିଜ ଦ୍ୱାର ସମ୍ମୁଖରେ ଦଣ୍ଡାୟମାନ ହୋଇ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ସାହିଯାତର ପଟୁଆର ଶୋଭାଯାତ୍ରା ଉପଭୋଗ କରିଥିଲେ । ହରଚଣ୍ଡୀ ସାହି ପକ୍ଷରୁ ଯଜ୍ଞରକ୍ଷା ପର୍ବ ପ୍ରଦର୍ଶିତ ହୋଇଥିଲା । ନାକ କାନ ତଥା ସୁବାହୁ ଓ ମାରିଚ ଅସୁର ବାହାରି ଶ୍ରୀମନ୍ଦିରକୁ ଯାଇ ଠାକୁରଙ୍କ ନୀତି ସହ ସାମିଲ ହୋଇଥିଲେ । ଯଜ୍ଞରକ୍ଷା ନୀତି ଅବସରରେ ଶ୍ରୀମନ୍ଦିରରେ ସନ୍ଧ୍ୟା ଧୂପ ପରେ ଦକ୍ଷିଣିଘର ଭୋଗ ସାରି ଆଜ୍ଞାମାଳ ପାଇ ଶ୍ରୀରାମ ଓ ଲକ୍ଷ୍ମଣ ପାଲିଙ୍କିରେ ବିଜେ ହୋଇ ଜଗନ୍ନାଥ ବଲ୍ଲଭ ମଠକୁ ଯାଇଥିଲେ । ସେଠାରେ ହରଚଣ୍ଡୀ ସାହି ଆଖଡ଼ା ପକ୍ଷରୁ ନାକକାନ ପ୍ରସ୍ତାବ ନୀତି ଅନୁଷ୍ଠିତହୋଇଥିଲା । ଏହା ପରେ ରାମଲକ୍ଷ୍ମଣ ଶ୍ରୀମନ୍ଦିରକୁ ବାହୁଡ଼ିଥିଲେ ।