‘ସିନ୍ଦୂର’ ଉଜାଡ଼ିଥିଲ, ହେଡ଼କ୍ୱାର୍ଟର ଉଡ଼ାଇଲୁ'

ନୂଆଦିଲ୍ଳୀ : ଆମ ମା’ ଭଉଣୀଙ୍କର ସିନ୍ଦୁର ପୋଛି ଦେଇଥିଲେ । ଏହାର ପ୍ରତିଶୋଧ ନେଇଛି ଭାରତୀୟ ସେନା । ଆତଙ୍କବାଦୀଙ୍କ ହେଡ଼କ୍ୱାର୍ଟରକୁ ଭାରତ ଉଜାଡ଼ି ଦେଇଛି । ଶହେ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି । ଅପରେସନ୍ ସିନ୍ଦୁରର ସଫଳତା ପରେ ଦେଶବାସୀଙ୍କୁ ଉଦବୋଧନ ଦେଇ ଏକଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଦେଶର ସେନାବାହିନୀଙ୍କୁ ସଲାମ କରି ପ୍ରଧାନମନ୍ତ୍ରୀ ଅପରେସନ୍ ସିନ୍ଦୁରକୁ ଦେଶର ମା’ ଓ ଭଉଣୀଙ୍କୁ ଉତ୍ସର୍ଗୀକୃତ କରିଛନ୍ତି । ସେ କହିଥିଲେଯେ, ଭାୱଲପୁର ଓ ମୁରିଡ଼କେ ହେଉଛି ଆତଙ୍କବାଦର ବିଶ୍ୱବିଦ୍ୟାଳୟ । ଆତଙ୍କବାଦୀଙ୍କ କୌଣସି ଇଲାକା ସେନା ପାଇଁ ଅପହଁଚ ନୁହେଁ । ଆଣବିକ ବ୍ଳାକମେଲ୍ ସହିବୁନି ବୋଲି ମୋଦି କହିଛନ୍ତି । ସେହିପରି ଅପରେସନ୍ ସିନ୍ଦୂର ସରିନାହିଁ । ଆତଙ୍କବାଦ ଓ ସେମାନଙ୍କୁ ପ୍ରୋତ୍ସାହନ ଦେଉଥିବା ଲୋକ ଯେଉଁ ଭାଷାରେ ବୁଝିବେ ସେହି ଭାଷାରେ ଭାରତ ଜବାବ ଦେବ ।
ଯୁଦ୍ଧବିରତି ପାଇଁ ପାକିସ୍ତାନ ହିଁ ନିଜ ଆଡୁ ଗୁହାରି କରିଥିଲା । ଅପ୍ରେଲ ୨୨ରେ ଆତଙ୍କବାଦୀଙ୍କ ବର୍ବର କାଣ୍ଡ ସାରା ଦେଶ ଓ ବିଶ୍ୱକୁ ଦୋହଲାଇ ଦେଇଥିଲା । ଲୋକମାନେ ଛୁଟି କାଟିବାକୁ ଯାଇଥିବାବେଳେ ସେମାନଙ୍କ ପରିବାର ଆଗରେ ଧର୍ମ ପଚାରି ହତ୍ୟା କରାଗଲା । ଭାରତର ଆକ୍ରମଣରେ କେବଳ ଆତଙ୍କବାଦୀ ସଂଗଠନର ଘର ନୁହେଁ ସେମାନଙ୍କ ମନୋବଳ ବି ଦୋହଲି ଯାଇଛି । ପାକ୍ର ଆତଙ୍କବାଦ ବିଶ୍ୱବିଦ୍ୟାଳୟ ହେଉଛି ଭାୱଲପୁର ଓ ମୁରିଡ଼କେ । ୯/୧୧ ଆକ୍ରମଣ ହେଉକି ଭାରତ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସବୁ ସେହିସବୁ ଆତଙ୍କବାଦୀ କ୍ଷେତ୍ର ସହ ଜଡ଼ିତ। ପାକିସ୍ତାନର ସେନା ଓ ସରକାର ଯେଉଁଭଳି ଭାବେ ଆତଙ୍କବାଦୀଙ୍କୁ ସାହାଯ୍ୟ କରୁଛନ୍ତି, ତାହା ଦିନେ ପାକକୁ ବି ଶେଷ କରିଦେବ । ଯଦି ପାକିସ୍ତାନ ବର୍ତ୍ତିବାକୁ ଚାହୁଁଛି ତେବେ ଆତଙ୍କବାଦୀକୁ ଧ୍ୱଂସ କରିବା ଦରକାର ।
* ଅପରେସନ୍ ସିନ୍ଦୂର : ନ୍ୟାୟର ଅଖଣ୍ଡ ପ୍ରତିଜ୍ଞା
* ଯୁଦ୍ଧ ବିରତି ପାଇଁ ଗୁହାରି କରିଥିଲା ପାକ୍
* ଆତଙ୍କବାଦ ହିଁ ପାକ୍କୁ ଶେଷ କରିଦେବ
* ଆଣବିକ ବ୍ଳାକ୍ମେଲ ସହିବୁନି
* ସରିନାହିଁ ଅପରେସନ୍ ସିନ୍ଦୂର
* ରକ୍ତ ଓ ନଦୀ ଏକାବେଳେ ବହିବନି
* ସରିନାହିଁ ଅପରେସନ୍ ସିନ୍ଦୂର
ଏହି ଅବସରରେ ପ୍ରଧାନମନ୍ତ୍ରୀ ସ୍ପଷ୍ଟ ଭାବେ କହିଛନ୍ତିଯେ, ପାକିସ୍ତାନ ସହ ଦୁଇଟି ପ୍ରସଙ୍ଗରେ ହିଁ ଆଲୋଚନା ହୋଇପାରିବ । ଆତଙ୍କବାଦ ଓ ପିଏଓକେକୁ ନେଇ ହିଁ କଥାବାର୍ତ୍ତା କରାଯାଇପାରିବ । ଆତଙ୍କବାଦ, ବାଣିଜ୍ୟ ଓ ଆଲୋଚନା ଏକାସଙ୍ଗେ ହୋଇପାରିବ ନାହିଁ । ସେହିପରି ସିନ୍ଧୁ ଚୁକ୍ତି ବାତିଲ୍ରେ ଭାରତ କାଏମ ରହିବ । ରକ୍ତ ଓ ନଦୀ ଏକାବେଳେ ବହିବ ନାହିଁ ବୋଲି ମୋଦି ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି । ‘ଅପରେସନ୍ ସିନ୍ଦୁର’ କେବଳ ଏକ ନାମ ନୁହେଁ । ଏହା ହେଉଛି, ଭାରତୀୟଙ୍କ ଅନୁଭବର ପ୍ରତିଫଳନ । ମେ’ ୬ ଓ ମେ’ ୭ରେ ସାରା ଦେଶ ଭାରତର ସଂକଳ୍ପ ଦେଖିଛି । ଗତ କିଛିଦିନ ଧରି ଆମେ ସମସ୍ତେ ଭାରତୀୟମାନଙ୍କ ଧୈର୍ଯ୍ୟ ଦେଖିଛୁ । ଆମ ସେନା, ଗୁଇନ୍ଦା ଓ ବୈଜ୍ଞାନିକଙ୍କୁ ମୁଁ ସଲାମ୍ କରୁଛି । ଆମ ସେନାର ଏହି ସାହସକୁ ମୁଁ ଭାରତର ମା’, ଭଉଣୀ ଓ ଝିଅଙ୍କୁ ଉତ୍ସର୍ଗୀକୃତ କରୁଛି । ଭାରତୀୟ ସେନା ଆତଙ୍କବାଦୀଙ୍କ ଆଡ୍ଡାସ୍ଥଳୀକୁ ଆକ୍ରମଣ କରିଥିଲା । ସେମାନେ କେବେ ସ୍ୱପ୍ନରେ ବି ଏହା ଭାବିନଥିବେ । ଆତଙ୍କବାଦୀଙ୍କୁ ନିର୍ମୂଳ କରିବା ପାଇଁ ସେନାକୁ ପୂର୍ଣ୍ଣ କ୍ଷମତା ଦିଆଯାଇଛି । ଆମ ଭଉଣୀ ଓ ଝିଅଙ୍କର ମଥାରୁ ସିନ୍ଦୂର ଲିଭାଇବାର ପରିଣାମ କ’ଣ ହେବ ତାହା ଆତଙ୍କବାଦୀମାନେ ଜାଣିସାରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସର୍ଜିକାଲ ଷ୍ଟ୍ରାଇକ୍ ଓ ଏୟାର ଷ୍ଟ୍ରାଇକ୍ ପରେ ଅପରେସନ୍ ସିନ୍ଦୁର ଏକ ନୂଆ ଧାରା ସୃଷ୍ଟି କରିଛିବୋଲି ମୋଦି କହିଛନ୍ତି ।