ସିପିଆଇ ଆଞ୍ଚଳିକ କମିଟି ସମ୍ମିଳନୀ 

 ନୀଳଗିରି : ନୀଳଗିରି ଉପଖଣ୍ଡ ଏନ୍ଏସି କଲ୍ୟାଣ ମଣ୍ଡପ ଠାରେ ଭାରତୀୟ କମୁ୍ୟନିଷ୍ଟ ପାର୍ଟି ନୀଳଗିରି ଆଞ୍ଚଳିକ କମିଟି ପକ୍ଷରୁ ଦଳର ଶତବାର୍ଷିକ ଉପଲକ୍ଷେ ଆୟୋଜିତ ୩ ଦିନିଆ କାର୍ଯ୍ୟକ୍ରମର ଅନ୍ତିମ ଦିବସରେ ତ୍ରୟୋଦଶ ଆଞ୍ଚଳିକ କମିଟି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମ୍ମିଳନୀରେ ସଭାପତି ମଣ୍ଡଳୀ ସଦସ୍ୟ କୈଳାଶ ଚନ୍ଦ୍ର ପଣ୍ଡା, ନାରୀନେତ୍ରୀ ବାସନ୍ତୀ ନାୟକ ଏବଂ ଆଦିବାସୀନେତା ଜଗନ୍ନାଥ ଟୁଡୁ ପ୍ରମୁଖ ମଞ୍ଚାସୀନ ହୋଇ ସମ୍ମିଳନୀର ଶୁଭାରମ୍ଭ କରିଥିଲେ । ଉକ୍ତ ସମ୍ମିଳନୀର ପର୍ଯ୍ୟବେକ୍ଷକ ଭାବେ ଜିଲ୍ଲା ସମ୍ପାଦକ ନିରଞ୍ଜନ ବାରିକ ମଧ୍ୟ ଉପସ୍ଥିତ ଥିଲେ । ମଞ୍ଚ ପରିଚାଳନା କରିଥିଲେ ଜୋନ ସମ୍ପାଦକ ବିଜୟ କୁମାର ସ । ଆୟୋଜିତ ସମ୍ମିଳନୀର ପ୍ରଥମ ଅଧିବେଶନରେ ସାଂଗଠନିକ ଚିଠା ପ୍ରସ୍ତାବ ଜୋନ୍ ସମ୍ପାଦକ ବିଜୟ କୁମାର ସଙ୍କ ଦ୍ୱାରା ପାରିତ କରାଯାଇଥିବାବେଳେ ୨୦ତାରିଖ ଦିବା ୧୦ଘଟିକା ସମୟରେ ପୂର୍ବତନ ରାଜ୍ୟ ସମ୍ପାଦକ ଦିବାକର ନାୟକଙ୍କ ଦେହାନ୍ତ ଖବର ପାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ପୂର୍ବକ ୨ ମିନିଟ ନୀରବ ପ୍ରାର୍ଥନା କରିବା ପରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ପରେ ଦ୍ୱିତୀୟ ଅଧିବେଶନରେ ଜିଲ୍ଲା ସମ୍ପାଦକ ନିରଞ୍ଜନ ବାରିକଙ୍କ ଦ୍ୱାରା ଆଗତ ରାଜନୈତିକ ଚିଠା ପ୍ରସ୍ତାବକୁ ସର୍ବସମ୍ମତିକ୍ରମେ ଗୃହୀତ କରାଯାଇଥିଲା । ସୋମବାର ତୃତୀୟ ତଥା ଅନ୍ତିମ ଦିବସରେ ସାଙ୍ଗଠନିକ ନିର୍ବାଚନ ହୋଇଥିଲା । ବିଜୟ କୁମାର ସ ଜୋନସମ୍ପାଦକ ଭାବେ ନିର୍ବାଚିତ ହୋଇଥିବା ବେଳେ ଯୁଗ୍ମ ସମ୍ପାଦକ ଭାବେ ଅଜୟ କୁମାର ପଟ୍ଟନାୟକ ଏବଂ ପୁରୁଷତ୍ତମ ସେଠିଙ୍କୁ ମନୋନୀତ କରାଯାଇଛି । ମହିଳା ସଭାପତି ଭାବରେ ନାରୀନେତ୍ରୀ ଗାୟତ୍ରୀ ପଣ୍ଡାଙ୍କୁ ନିର୍ବାଚିତ କରାଯାଇଥିଲା । ସଂଘର ଯୁବସଭାପତି ଭାବେ ନିହାର ରଞ୍ଜନ ଜେନା ମନୋନୀତ ହୋଇଥିଲେ । ସମସ୍ତ ନିର୍ବାଚିତ ପ୍ରତିନିଧି ଆଗାମୀ ୩ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟଭାର ସମ୍ଭାଳିବେ । ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାନନ ଦାସ, ଗୌରହରୀ ବେହେରା, ଦେବେନ୍ଦ୍ର ବେହେରା, ମନୋରଞ୍ଜନ ନାୟକ ପ୍ରମୁଖ ୫୦ରୁ ଊର୍ଦ୍ଧ୍ୱ ସାଥି ଅଂଶଗ୍ରହଣ କରିଥିଲେ ।