ସୀମାନ୍ତରେ ବନ୍ଧୁକ କାରଖାନା ଠାବ

 ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି କୁଲଡିହା ଅଭୟାରଣ୍ୟରେ ବନବିଭାଗ ତରଫରୁ ଶିକାରୀଙ୍କ ଗତିବିଧି ଅନୁଧ୍ୟାନ ପାଇଁ ଖଞ୍ଜା ହୋଇଥିବା ଟ୍ରାପ କ୍ୟାମେରା ମଧ୍ୟରୁ ୨ଟି କ୍ୟାମେରା ଚୋରି ହେବା ପରେ ଉଭୟ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲା ବନବିଭାଗ ଶିକାରୀ ଧରିବାକୁ ଅଣ୍ଟା ଭିଡ଼ିଥିଲେ । ତେବେ ଉଭୟ ଜିଲ୍ଲାର ପୁଲିସ ସହଯୋଗରେ ଜିଲ୍ଲାର ସୀମାନ୍ତ ଅଞ୍ଚଳରୁ ବନ୍ଧୁକ ତିଆରି କାରଖାନା ଠାବ ହେବା ସହ ଚଢ଼ଉ ହେବା ପରେ ୩ ଜଣଙ୍କୁ ଗିରଫ କରିଥିଲା ପୁଲିସ । ସେମାନଙ୍କ ଠାରୁ ବ୍ୟାପକ ପରିମାଣର ଗୋଳା ବାରୁଦ, ବନ୍ଧୁକ ତିଆରି ସରଞ୍ଜାମ ଓ ୫ଟି ଟ୍ରାପ୍ କ୍ୟାମେରା ଜବତ କରାଯାଇଛି । ସୂଚନା ଅନୁଯାୟୀ କୁଳଡିହା ଅଭୟାରଣ୍ୟ ଅନ୍ତର୍ଗତ ସାଲୁଗଡିଆ ଘଞ୍ଚ ଜଙ୍ଗଲ ମଧ୍ୟରେ ବନବିଭାଗ ତରଫରୁ ଖଞ୍ଜା ହୋଇଥିବା ୨ଟି ଟ୍ରାପ କ୍ୟାମେରା ପୂର୍ବରୁ ଚୋରୀ ହୋଇଥିଲା । ଚୋରି ହୋଇଥିବା କ୍ୟାମେରା ଲେନ୍ସରେ ଉତ୍ତୋଳନ ହୋଇଥିବା ଶିକାରୀର ଫୋଟୋକୁ ଆଧାର କରି ଉଭୟ ଜିଲ୍ଲାର ବନବିଭାଗ କପ୍ତିପଦା ଥାନା ଅଧୀନ ତଥା ସୀମାନ୍ତ ଖଡ଼ିଖାଣିଆ ଗାଁର କୁନା ସିଂ(୨୫) ନାମକ ଜଣେ ଶିକାରୀକୁ ଗିରଫ କରିଥିଲେ । ତା ଠାରୁ ଗୋଳାବାରୁଦ, ଗୋଟିଏ ଗୁଳିଭର୍ତ୍ତି ଦେଶୀବନ୍ଧୁକ ଓ ଚୋରୀ ହୋଇଥିବା ୨ଟି ଟ୍ରାପ୍ କ୍ୟାମେରା ସହ ପୂର୍ବରୁ ଚୋରି ହୋଇଥିବା ଅନ୍ୟ ୩ଟି କ୍ୟାମେରା ଜବତ ହୋଇଥିଲା । ତା ନିକଟରୁ ସମସ୍ତ ତଥ୍ୟ ହାସଲ କରିବାପରେ କପ୍ତିପଦା ପୁଲିସ, କୁଳଡିହା, କପ୍ତିପଦା ଓ ଉଦଳା ବନବିଭାଗ ମାଙ୍କଡ଼ପଡ଼ା ଗାଁରେ ଥିବା ବନ୍ଧୁକ ତିଆରି କାରଖାନା ଉପରେ ମିଳିତ ଚଢ଼ଉ କରାଯାଇଥିଲା । ସେଠାରୁ ଲୁହାରଡ଼, ଷ୍ଟିୟରିଂ ପାଇପ, ହାତୁଡ଼ି, ଚିମୁଟା, ଗୋଳାବାରୁଦ, ଗୁଳି, ମୋବାଇଲ ସହ ବ୍ୟାପକ ବନ୍ଧୁକ ତିଆରି ସରଞ୍ଜାମ ଜବତ କରାଯାଇଥିଲା । କାରଖାନା ମାଲିକ ରବୀନ୍ଦ୍ର ଲୌହାର ଓ ତା' ଭାଇ ବାପୁନ୍ଥ ଲୌହାରକୁ ଗିରଫ କରାଯାଇଛି । ଅଭିଯୁକ୍ତ ଶିକାରୀ କୁନାକୁ ବାଲେଶ୍ୱର ଅଦାଲତକୁ ଚାଲାଣ କରାଯାଇଥିବା ବେଳେ କାରଖାନା ମାଲିକ ଦ୍ୱୟଙ୍କୁ ବାରିପଦା ଅଦାଲତ ଚାଲାଣ କରାଯାଇଛି । ସେହିପରି କପ୍ତିପଦା ଓ ବରହମପୁର ଥାନାରେ ବନବିଭାଗ ପକ୍ଷରୁ ଆର୍ମସ୍ ଆକ୍ଟ ମୂଳେ ଏତଲା ଦାଏର କରାଯାଇଥିବା ଜଣାପଡ଼ିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ୬/୭ ହଜାର ଟଙ୍କାରେ ଦେଶୀବନ୍ଧୁକ ମିଳିଯାଉଥିବାରୁ ଗୋଟିଏ ହରିଣ ମାରିଲେ ୨ଟି ବନ୍ଧୁକ କିଣା ହୋଇପାରିବ । ଏଣୁ ସହଜରେ ଓ ଶସ୍ତାରେ ବନ୍ଧୁକ ମିଲିଯାଉଥିବାରୁ ବନ୍ଧୁକଗୁଡିକ ନୀଳଗିରିର ଜଙ୍ଗଲ ପାଦଦେଶ ଅଞ୍ଚଳ ସମେତ ଔପଦା, କପ୍ତିପଦା, ଯଶିପୁର, କରଞ୍ଜିଆ, ଉଦଳା, ଖୁଣ୍ଟା, ବାରିପଦା ପ୍ରଭୃତି ଅଞ୍ଚଳରେ ବିକ୍ରି କରାଯାଉଛି ବୋଲି ଅଭିଯୋଗ ହେଉଛି । ତେବେ ଏହି ଘଟଣାରେ ନୀଳଗିରି ବନବିଭାଗ କୁନା ସିଂ ଙ୍କ ନାମରେ ୪୦କେ ଅଫ୍ କୁଲଡିହା ରେଞ୍ଜରେ କେସ ହୋଇଥିବା ସୂଚନା ମିଳିଛି । ଏଥିସହ ବେଆଇନ୍ ବନ୍ଧୁକ ରଖିବା ପାଇଁ କୁନା ସିଂ ନାମରେ ନୀଳଗିରି ଥାନାରେ ଏକ ଏତଲା ଦିଆଯିବ ବୋଲି ନୀଳଗିରି ରେଞ୍ଜର ସୁବ୍ରତ କୁମାର ବେହେରା ସୂଚନା ଦେଇଛନ୍ତି ।