ତୃତୀୟ ଶ୍ରୀକ୍ଷେତ୍ରରେ ଅଖରେ ଲାଗିଲା ଚକ
ନୀଳଗିରି: ପବିତ୍ର ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥି ଅତ୍ୟନ୍ତ ପବିତ୍ର ଦିବସ ଅଟେ । ଏହି ଦିବସକୁ ଲୋକେ ଅକ୍ଷୟ ତୃତୀୟା ଭାବେ ପାଳନ କରିଥାନ୍ତି । ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରିରେ ପୂର୍ବାହ୍ନରେ ଶ୍ରୀମନ୍ଦିରରେ ନୀତି ସମାପନ ପରେ ଭୂଦେବୀ ଶ୍ରୀଦେବୀଙ୍କ ଚଳନ୍ତି ପ୍ରତିମାଙ୍କୁ ଅଣାଯାଇ ଜଗନ୍ନାଥ ମନ୍ଦିର ସମ୍ମୁଖରେ ବୈଦିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିବା ପରେ ନୀଳଗିରି ଗଡଜାତ ରାଜ୍ୟର ବଂଶାନୁକ୍ରମିକ ରାଣୀ ମନୋଜା ମରୀ ଦେବୀ ନୀତି ଅନୁଯାୟୀ ରଥ ଚକରେ ଅଖ ଲଗା ନୀତି ସମ୍ପନ୍ନ କରିଥିଲେ ।
ପରମ୍ପରା ଅନୁଯାୟୀ ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରିରେ ରଥକାର୍ଯ୍ୟ ଆରମ୍ଭ ହୁଏ ଓ ଏହି ରଥକାର୍ଯ୍ୟ ନୀଳଗିରି ରାଜାଙ୍କ ଦ୍ୱାରା ଅନୁକୂଳ କରାଯିବାର ବିଧି ମଧ୍ୟ ରହିଛି । ଏହି ଅବସରରେ ନୀଳଗିରିର ସମସ୍ତ ସେବାୟତ, ଭକ୍ତ ଓ ବହୁ ଜଗନ୍ନାଥ ପ୍ରେମୀ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ । ଏଥିସହିତ ଉକ୍ତ ଦିବସରେ ·ଷୀକୁଳ ଆଗାମୀ ବର୍ଷାଋତୁ ପାଇଁ କୃଷିକାର୍ଯ୍ୟର ପ୍ରାରମ୍ଭିକ କାର୍ଯ୍ୟକ୍ରମରେ ଭୂମାତାଙ୍କୁ ଆବାହନ କରି ଅକ୍ଷିମୁଠି ବହିବା ପୂର୍ବକ ବିହନ ବୁଣି ଅନୁକୂଳ କରିଥାଆନ୍ତି । ଅକ୍ଷୟ ତୃତୀୟା ଅବସରରେ ନୀଳଗିରିର ବିଭିନ୍ନ ସ୍ଥାନରେ କୃଷକ ଭାଇଭଉଣୀ ମାନେ ଭୂମାତା ପୂଜନ ପୂର୍ବକ ବିହନ ଅନୁକୂଳ କରିଥିବା ସୂଚନା ମିଳିଛି ।