ସୀମାରେ ଟଳିଲେ ୭ ପାକ୍ ଅନୁପ୍ରବେଶକାରୀ

ନୂଆଦିଲ୍ଲୀ:  ଭାରତ ସୀମାରେ ଟଳିଲେ ୭ ପାକ୍ ଅନୁପ୍ରବେଶକାରୀ । ଜାମ୍ମୁକାଶ୍ମୀରର ପୁଞ୍ଚ୍ ଜିଲ୍ଲା ଦେଇ ଏମାନେ ଭାରତରେ ବେଆଇନ ପ୍ରବେଶ ଉଦ୍ୟମ କରିଥିଲେ । କ୍ରିଷ୍ଣାଘାଟି ପୋଷ୍ଟରେ ଭାରତୀୟ ସେନା ଉପରକୁ ଆକ୍ରମଣ ପାଇଁ ଯୋଜନା କରୁଥିବା ବେଳେ ଭାରତୀୟ ସେନା ଆମ୍ବୁସ୍ କରି ଏମାନଙ୍କୁ ଘଟଣାସ୍ଥଳରେ ହିଁ  ଗୁଳିକରି ହତ୍ୟା କରିଥିଲା । ତେବେ ମୃତକଙ୍କ ମଧ୍ୟରେ ୨ରୁ ୩ଜଣ ପାକ୍ ଯବାନ ହୋଇଥିବା ବେଳେ ଅନ୍ୟମାନେ ଅଲ୍ ବଦର୍ ଗ୍ରୁପ୍ର ସଦସ୍ୟ ଥିଲେ ।
ପାକିସ୍ତାନ ‘କଶ୍ମରୀ ଏକତା ଦିବସ’ ପାଳନ କରି ଭାରତ ବିରୋଧୀ ଏଜେଣ୍ଡାର ପ୍ରଚାର କରୁଥିବା ବେଳେ ଏଲଓସିରେ ଆକ୍ରମଣ ପାଇଁ ଅନୁପ୍ରବେଶ ଉଦ୍ୟମ କରିଥିଲା । ବିଶେଷ ସୂତ୍ରରୁ ମିଳିଥିବା ସୂଚନାନୁସାରେ ସୀମା ପାର ଅପରେସନରେ ସିଦ୍ଧହସ୍ତ ଥିବା ପାକିସ୍ତାନର ବର୍ଡର ଆକ୍ସନ ଟିମ୍ ପକ୍ଷରୁ ଭାରତୀୟ ସେନାର ଗୋଟିଏ ଫରୱାର୍ଡ ପୋଷ୍ଟ ଉପରେ ଚାରିପଟୁ ଗୋଟିଏ ସମୟରେ ଆକ୍ରମଣ ପାଇଁ ଯୋଜନା ହୋଇଥିଲା । କିନ୍ତୁ ସେମାନେ ଆକ୍ରମଣ କରିବା ପୂର୍ବରୁ ଭାରତୀୟ ସେନା ସେମାନଙ୍କୁ ପାଲଟା ଆମ୍ବୁସ୍ କରି ଗୁଳି କରିଥିଲେ ।
ଅପରପକ୍ଷେ ଗତକାଲି ପାକ୍ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ କାଶ୍ମୀର ସମେତ ସମସ୍ତ ବିବାଦର ସମାଧାନ ପାଇଁ ଭାରତ ସହ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ପ୍ରସ୍ତାବ ଦେଇଥିଲେ । କିନ୍ତୁ ତାଙ୍କ ପ୍ରସ୍ତାବର କିଛି ଘଣ୍ଟା ପରେ ପାକ୍ ପକ୍ଷରୁ ଏପରି ଉଦ୍ୟମକୁ ନେଇ ପାକ୍ର ଦୋମୁହାଁ ନୀତିକୁ ବିଭିନ୍ନ ମହଲରେ କଡ଼ା ନିନ୍ଦା କରାଯାଇଛି । ଭାରତ ପକ୍ଷରୁ ବାରମ୍ବାର କୁହାଯାଉଛି ଯେ, ଜମ୍ମୁ-କଶ୍ମୀର ଓ ଲଦାଖ ଦେଶର ଅବିଚ୍ଛେଦ୍ୟ ଅଙ୍ଗ । ଆତଙ୍କବାଦ ଓ ହିଂସାକୁ ବାଦ ଦେବା ପରେ ହିଁ ପାକିସ୍ତାନ ସହ ସମ୍ପର୍କରେ ସୁଧାର ଆସିବ ବୋଲି ଭାରତ ସରକାର ବାରମ୍ବାର କହିଆସୁଛନ୍ତି ।