ସୁଗମ ହେଉ ସ୍ୱାସ୍ଥ୍ୟ କାର୍ଡ୍ ସେବା
ପୂର୍ବର ବିଜେଡ଼ି ସରକାର ଅମଳରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ୍ ବା ବିଏସ୍କେୱାଇ କାର୍ଡ୍ ଗରିବ ଲୋକଙ୍କୁ ଯୋଗାଇ ଦିଆଯାଇଥିଲା । ଏହି କାର୍ଡ୍ ବଦଳରେ ଘରୋଇ ଚିକିତ୍ସାଳୟ ଗୁଡ଼ିକରେ ଗରିବ ଲୋକମାନେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଉତ୍ତମ ମାନର ଚିକିତ୍ସା ପାଇପାରୁଥିଲେ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ୍ ଦୀର୍ଘ ବର୍ଷ ଧରି କାର୍ଯ୍ୟକାରୀ ଥିଲା । ପୁଣି ଏ କ୍ଷେତ୍ରରେ ରହିଥିବା ତ୍ରୁଟିର ସଂଶୋଧନ ଗୁଡ଼ିକ ପାଇଁ ପୂର୍ବ ସରକାର ଯଥେଷ୍ଟ ସମୟ ପାଇଥିଲେ ଏବଂ ସେସବୁ ସଂଶୋଧିତ ମଧ୍ୟ ହୋଇ ଯାଇଥିଲା । ଏହା ଫଳରେ ରୋଗୀମାନେ ଭଲ ଡ଼ାକ୍ତରଖାନାକୁ ଯାଇ ନିରାଶ ହୋଇ ଫେରୁ ନଥିଲେ । ତେବେ ସରକାର ବଦଳିବା ପରେ ନୂଆ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ୍ର ପ୍ରଚଳନକୁ ବନ୍ଦ କରି କେନ୍ଦ୍ର ସରକାରଙ୍କ ପ୍ରାୟୋଜିତ ଆୟୁଷ୍ମାନ ଭାରତ କାର୍ଡ୍ ପ୍ରଚଳନ କରିଲେ । ନୂଆ ଆୟୁଷ୍ମାନ୍ କାର୍ଡ୍ରେ ପ୍ରକୃତରେ ଅର୍ଥ ଅଛି କି ନାହିଁ ଯାଞ୍ଚ୍ କରିବା ପରେ ରୋଗୀଙ୍କର ଚିକିତ୍ସା କରାଯାଉଛି । ଏହି ନୂଆ ବ୍ୟବସ୍ଥାରେ ପାଖାପାଖି ୧୦ଟି ଓଟିପି ସୃଷ୍ଟି ହେଉଛି ଏବଂ ସବୁତକ ଓଟିପିର କ୍ଲିଆରାନ୍ସ ସୁପରିଟେଣ୍ଡେଟ୍ ଦେବା ପରେ ଯାଇ ଘରୋଇ ହସ୍ପାଟାଲ୍ ଗୁଡ଼ିକ ରୋଗୀଙ୍କ ଚିକିତ୍ସା ଆରମ୍ଭ କରୁଛନ୍ତି । ସୁପରିଟେଣ୍ଡେଟ୍ ଯଦି ଅନ୍ୟ କୌଣସି କାମରେ ବ୍ୟସ୍ତ ଅଛନ୍ତି, ତାହା ହେଲେ ଓଟିପି ଆସିବାରେ ଅହେତୁକ ବିଳମ୍ବ ଘଟୁଛି । ଏହା ଫଳରେ ରୋଗୀଙ୍କୁ ଡ଼ାକ୍ତରଖାନାରେ ଅନିଶ୍ଚିତ କାଳ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡୁଛି । ଅନିଶ୍ଚିତ କାଳ ଅପେକ୍ଷା କରିବା ପରେ ମଧ୍ୟ ଓଟିପିର କ୍ଲିଅରାନ୍ସ ଆସିବ ବୋଲି କିଛି ନିଶ୍ଚିତତା ନାହିଁ । ହୁଏତ ସେତିକି ସମୟ ଭିତରେ ରୋଗୀ ସରକାରୀ ଡ଼ାକ୍ତରଖାନାକୁ ଯାଇ ଜୀବନ ରକ୍ଷାକାରୀ ଚିକିତ୍ସା ତ କରାଇ ପାରନ୍ତେ, କିନ୍ତୁ ଏହି ବ୍ୟବସ୍ଥା ଭିତରେ ଥରେ ପଶିଗଲେ ଯାଞ୍ଚ୍ ପ୍ରକ୍ରିୟା ସମ୍ପୂର୍ଣ୍ଣ ନହେବା ପର୍ଯ୍ୟନ୍ତ ରୋଗୀ ଡ଼ାକ୍ତରଖାନାରୁ ଫେରି ପାରିବ ନାହିଁ ।
ବହୁଲୋକଙ୍କ ଅଭିଯୋଗ ଯେ ବିଏସ୍କେୱାଈ କାର୍ଡ୍ ଭଳି ଆୟୁଷ୍ମାନ୍ କାର୍ଡ୍ ଏକ ସରଳ ବ୍ୟବସ୍ଥା ଭିତରେ କାର୍ଯ୍ୟକାରୀ ହେଉ ନାହିଁ । ରାଜ୍ୟରେ କେତେକ ସ୍ଥାନରେ ରୋଗୀମାନେ ଚିକିତ୍ସା ପାଇଁ ଡ଼ାକ୍ତରଖାନା ଖୋଜୁ ଖୋଜୁ ପ୍ରାଣ ହରାଇଛନ୍ତି । ସବୁ ଘରୋଇ ଡ଼ାକ୍ତରଖାନା ଆୟୁଷ୍ମାନ୍ କାର୍ଡ୍କୁ ଗ୍ରହଣ କରୁନାହାନ୍ତି । ଇତିମଧ୍ୟରେ ରାଉରକେଲାରୁ ଜଣେ ରୋଗୀ ଭୁବନେଶ୍ୱରକୁ ଆସି ଚିକିତ୍ସିତ ହୋଇନପାରି ପ୍ରାଣ ହରାଇଛନ୍ତି । ଚିକିତ୍ସାଳୟ ଖୋଜିବା ବାବଦରେ ଗାଡ଼ି ଧରି ରୋଗୀକୁ ଡ଼ାକ୍ତରଖାନାରୁ ଡ଼ାକ୍ତରଖାନା ବୁଲିବା ଗରିବ ଲୋକଙ୍କୁ ବହୁତ ବାଧୁଛି ।
କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣିତ ଆୟୁଷ୍କାନ୍ ଯୋଜନା ଏକ ଭଲ ଯୋଜନା । ହେଲେ ଏହି ଯୋଜନାର କାର୍ଯ୍ୟକାରୀ କ୍ଷେତ୍ରରେ ରହିଥିବା ଅସୁବିଧା ଗୁଡିକୁ ତୁରନ୍ତ ଦୂର କରିବା ଆବଶ୍ୟକ । କେବଳ ସେତିକି ନୁହେଁ ଆୟୁଷ୍ମାନ କାର୍ଡ୍ ଗ୍ରହଣ କରି କେଉଁ କେଉଁ ଘରୋଇ ହସ୍ପିଟାଲ୍ ଗୁଡ଼ିକ ଚିକିତ୍ସା ସୁବିଧା ଯୋଗାଉଛନ୍ତି, ତାହାର ଏକ ତାଲିକା ସ୍ୱାସ୍ଥ୍ୟ ବିଭାଗର ୱେବ୍ସାଇଟ୍ରେ ରହିବା ନିହାତି ଆବଶ୍ୟକ । ଏପରି ହେଲେ ରୋଗୀମାନେ ଡ଼ାକ୍ତରଖାନାରୁ ଡ଼ାକ୍ତରଖାନାକୁ ଘୁରି ବୁଲି ଚିକିତ୍ସା ହେବ କି ନାହିଁ ଜାଣିବା ପାଇଁ ଘଣ୍ଟା ଘଣ୍ଟା ସମୟ ନଷ୍ଟ କରୁଛନ୍ତି । ଏହା ଫଳରେ ରୋଗୀର ଜୀବନ ସଙ୍କଟାପନ୍ନ ହେଉଛି । ଯୋଜନା ପ୍ରଣୟନ କରିବା ଏବଂ ଯୋଜନାକୁ ଠିକ୍ ଭାବରେ କାର୍ଯ୍ୟକାରୀ କରିବା ଦୁଇଟି ଅଲଗା ଅଲଗା ପ୍ରସଙ୍ଗ । ରାଜ୍ୟ ଓ କେନ୍ଦ୍ର ସରକାର ଏ ସମସ୍ୟା ଗୁଡ଼ିକ ପ୍ରତି ତୁରନ୍ତ ଦୃଷ୍ଟି ଦେଇ ଗରିବ ରୋଗୀଙ୍କ ଜୀବନରକ୍ଷା କ୍ଷେତ୍ରରେ ଉପଯୁକ୍ତ ମାର୍ଗଦର୍ଶିକା ଜାରି କରନ୍ତୁ । ୩୦ଟି ଯାକ ଜିଲ୍ଲାରେ ଆୟୁଷ୍ମାନ୍ କାର୍ଡ୍କୁ ଗ୍ରହଣ କରି ଚିକିତ୍ସା କରୁଥିବା ହସ୍ପିଟାଲ୍ ଗୁଡ଼ିକର ତାଲିକା ତୁରନ୍ତ ବିଜ୍ଞପ୍ତି ମାଧ୍ୟମରେ ରାଜ୍ୟ ସରକାର ପ୍ରକାଶ କରିବା ଉଚିତ୍ । ଏପରି ନହେଲେ ଗରିବ ରୋଗୀମାନଙ୍କର ଜୀବନ ଡ଼ାକ୍ତରଖାନା ଖୋଜୁ ଖୋଜୁ ଚାଲି ଯାଇପାରେ ।