ମହାକାବ୍ୟ "ରାଜବନ୍ଦୀ’

ଡ. ଭି ରାଜେନ୍ଦ୍ର ରାଜୁ : ଓଡିଆ ସାହିତ୍ୟ ଜଗତରେ ମହାନ୍‌ କବି ଭଗବାନ ମିଶ୍ରଙ୍କ ସ୍ଥାନ ଅନନ୍ୟ । କବି ଭଗବାନ ମିଶ୍ର ଗଂଜାମ ଜିଲ୍ଲାର କୋଙ୍କରଡ଼ା ନିକଟସ୍ଥ ନୈବନ୍ଧ ଗ୍ରାମର ଏକ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ଏପରି ଗ୍ରନ୍ଥ ପୂର୍ବରୁ ନଥିଲା କି ପରେ ହେବ ବିଶ୍ୱାସ ଲାଗୁନି । ପଦର ଲାଳିତ୍ୟ ଓ ମଧୁରତା ସହିତ କୃଷ୍ଣଭକ୍ତି ଭାବନା ଓ କୃଷ୍ଣ ପ୍ରୀତି ବିଷୟକ ଏହି ମହାନ କାବ୍ୟ ପ୍ରତ୍ୟେକ ସାହିତ୍ୟପ୍ରେମୀଙ୍କ ପରମ ସମ୍ପଦ, ଏଥିରେ  ଦ୍ୱିମତ ନାହିଁ । ସମଗ୍ର କାବ୍ୟଟି ବିଂଶ ସର୍ଗକୁ ନେଇ ରଚିତ । ବିଂଶ ସର୍ଗ ସର୍ବସାଧାରଣଙ୍କ ସହଜ ବୋଧଗମ୍ୟ ସକାଶେ କେବଳ ଦୃଶ୍ୟ କାବ୍ୟ ଛଟାରେ ପରିବେଷଣ କରାଯାଇଛି । ମହାଭାରତ ଗ୍ରନ୍ଥର ଜରାସନ୍ଧ ଚରିତ୍ର ଏଥିରେ ପ୍ରଧାନ ବିଷୟ ହେଲେ ବି କାବ୍ୟର ମୁଖ୍ୟ ଚରିତ୍ର ଦ୍ୱାରକାଧୀଶ ଭଗବାନ ଶ୍ରୀକୃଷ୍ଣ ଅଟନ୍ତି । ଜରାସନ୍ଧ ବଦ୍ଧର କଥା ତଥା ଜରାସନ୍ଧ ଏକ ଲକ୍ଷ ରାଜାଙ୍କୁ ବନ୍ଦୀ କରି ମହାଦେବଙ୍କ ପାଖରେ ବଳି ଦେବା ପାଇଁ ଉଦ୍ୟମ କରିବା ତଥା ସେଥିରେ ଅସଫଳ ହେବା ହିଁ ଏ କାବ୍ୟରେ  ବର୍ଣ୍ଣନା କରାଯାଇଛି । ବନ୍ଦୀ ରାଜାମାନଙ୍କର ବିଷାଦ ଗ୍ରସ୍ତ ଚିନ୍ତା, ରାତ୍ରିର ବର୍ଣ୍ଣନା, ଆହ୍ଲାଦିନୀ ଓ ଶ୍ରୀକୃଷ୍ଣଙ୍କ ମିଳନ ଓ ବିଚ୍ଛେଦ କାବ୍ୟଟିକୁ ବିଭିନ୍ନ ରସରେ ପ୍ଲାବିତ କରିଛି । ଏହା ବାଦେ କବି ସମ୍ପୂର୍ଣ୍ଣ ଭାବେ  ନିଜକୁ କିପରି କୃଷ୍ଣଙ୍କ ନିକଟରେ ସମର୍ପି ଦେଇଛନ୍ତି ତାହା ମଧ୍ୟ ଏଥିରେ ଦେଖିବାକୁ ମିଳେ  । ସେ କୃଷ୍ଣ ପ୍ରେମରେ ତଲ୍ଲିନ ହୋଇ କଲମ ଚାଳନା କରିଛନ୍ତି । ରାଜବନ୍ଦୀ କାବ୍ୟର ଅଷ୍ଟମ ସର୍ଗରେ ସେ ଭଗବାନ ଶ୍ରୀକଷ୍ଣଙ୍କ ସର୍ବବ୍ୟାପୀ ସ୍ଥିତିକୁ ନେଇ ଅତି ସୁନ୍ଦର ଭାବେ ଲେଖିଛନ୍ତି-  
"ତୁମ୍ଭେ ଶିବଶକ୍ତି, 
ତୁମେ ପ୍ରଜାପତି,
ପରମବ୍ରହ୍ମ ଆଦି ନାଥ  । 
ଦୃଶ୍ୟା ଦୃଶ୍ୟ, ଶୂନ୍ୟ, ଜଡତା
ସଚେତନ ସବୁ ତୋ ଠାରୁ ସମ୍ଭୂତ /
ମାୟା ଲୀଳା ବିହାରୀ,
ପରମାଣୁରେ ରହିଛୁ ପୂରି"।।
ହେ ପୂଜ୍ୟ ପୂଜକ,
ପୂଜା ମନ୍ତ୍ର ରୂପ,
ପୂଜାଫଳ ଭୋକ୍ତା ସ୍ୱାମୀ ।
ସର୍ବ ଭୂତେ ବାସ, 
ସର୍ବ ବିଶ୍ୱେ୍ୱ ଇଶ,
ଜୟ ସର୍ବ ଅନ୍ତର୍ଯ୍ୟାମୀ ।
ଜୟ କୃଷ୍ଣ ଶ୍ରୀହରି,
ନମୋ ନମୋ ବୈକୁଣ୍ଠ ବିହାରୀ'।।

କବି "ରାଜବନ୍ଦୀ’ କାବ୍ୟ ମାଧ୍ୟମରେ ଅନେକ ସାମାଜିକ ତଥା ରାଜନୀତି କଥା ଉଲ୍ଲେଖ କରିଛନ୍ତି । ଜଣେ ଶାସକ କିପରି ଉତ୍ତମ ଶାସକ ହେବ ସେ କଥା, ଏ କାବ୍ୟର ଷଷ୍ଠ ସର୍ଗରେ ସେ ଉପସ୍ଥାପନ କରିବାକୁ ଯାଇ ଲେଖିଛନ୍ତି-
"ପ୍ରଜା ପାଳନ ତପସ୍ୟା ଶକ୍ତି, 
ଧନ ସମୃଦ୍ଧି ଉତ୍ତମ ନୀତି,
ଗୁଣେ ପରିପୂର୍ଣ୍ଣ ଥିଲେ ନରରାଣ,
ହୁଏ ସସାଗରା ଛତ୍ରପତି,
ହେ ରାଜନ୍‌’ ।

ଆଧୁନିକ ଓଡ଼ିଆ କାବ୍ୟ ଧାରାରେ  ଛାନ୍ଦ ଓ ଅଳଙ୍କାରର ପ୍ରୟୋଗ ତଥା ଗଙ୍ଗାଧର ମେହେର ଓ ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟଧାରାକୁ ଅନୁଶୀଳନ କରିବା ଆଜି କଷ୍ଟସାଧ୍ୟ ହେଲେ ବି , କବି ଭଗବାନ ମିଶ୍ର  ବହୁ ଶ୍ରମ ସ୍ୱୀକାର କରି ଏ ମହାନ୍‌ ସ୍ରଷ୍ଟା ମାନଙ୍କ ପଦାଙ୍କ ଅନୁସରଣ କରିଛନ୍ତି । ନିଜ ଜୀବନ କାଳ ଭିତରେ ସେ ଏ କାବ୍ୟକୁ ପ୍ରକାଶ କରି ତାର ଶ୍ରେୟ ନେବାକୁ ସେ ଚାହିଁ ନ ଥିଲେ । କବି ତାଙ୍କ ଅନ୍ତିମ କାଳରେ, ତାଙ୍କ ପିଲାମାନଙ୍କୁ କେବଳ ଉପଦେଶ ଦେଇଥିଲେ ଯେ , "ମୋ ଅନ୍ତେ ପୁସ୍ତକଟିକୁ ନିଶ୍ଚୟ ପ୍ରକାଶ କରିବ’ । ତାହାହିଁ ହେଲା । ତାଙ୍କ କଥା ଅନୁସାରେ, ପିଲାଏ ତାଙ୍କ ପରେ ଏ ମହାନ୍‌ ଗ୍ରନ୍ଥ ପ୍ରକାଶ କଲେ । ତାଙ୍କର ଅନେକ ଲେଖା ଏବେ ବି ଅପ୍ରକାଶିତ । ରାଜବନ୍ଦୀ ତାଙ୍କର ସର୍ବୋତ୍ତମ ସୃଷ୍ଟି । କିନ୍ତୁ ବଡ ବିଡ଼ମ୍ବନାର ବିଷୟ ସ୍ୱର୍ଗତ କବି ଭଗବାନ ମିଶ୍ରଙ୍କ କାବ୍ୟ ପ୍ରତିଭା ଆଜି ବି ଅନାଲୋଚିତ । ମାନବ ସମାଜ ପାଇଁ ଏହା ଏକ ଉପଯୋଗୀ କାବ୍ୟ । ତାଙ୍କ ଏ  କାବ୍ୟ କୃତି ଉପରେ ବ୍ୟାପକ ଆଲୋଚନାର ଆବଶ୍ୟକତା ରହିଛି । ତେବେ ଯାଇ ତାହାହିଁ ହେବ ତାଙ୍କ ପ୍ରତି ଏ ଜାତିର ଶ୍ରେଷ୍ଠ ଶ୍ରଦ୍ଧାଞଳି ।