ରାଜ୍ୟପାଳଙ୍କୁ ଭେଟିଲେ ନ୍ୟାସନାଲ୍ ଡିଫେନ୍ସ କଲେଜ୍ର ଟିମ୍
ଭୁବନେଶ୍ୱର : ନ୍ୟାସନାଲ୍ ଡିଫେନ୍ସ କଲେଜର ୧୭ ଜଣିଆ ପ୍ରତିନିଧିମଣ୍ଡଳୀ ଆଜି ରାଜଭବନରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟିଙ୍କୁ ସାକ୍ଷାତ କରିଛନ୍ତି । ଅଭିଷେକ ହଲ୍ଠାରେ ରାଜ୍ୟପାଳଙ୍କ ସହ ବାର୍ତ୍ତାଳାପ ସମୟରେ ଓଡ଼ିଶାର ଦ୍ରୁତ ପ୍ରଗତିକୁ ପ୍ରତିନିଧିମଣ୍ଡଳୀ ପ୍ରଶଂସା କରିଛନ୍ତି । ଭାରତୀୟ ସ୍ଥଳ ସେନା, ବାୟୁସେନା, ନୌସେନା ଏବଂ ବେସାମରିକ ସେବାର ବରିଷ୍ଠ ଅଧିକାରୀ-ତଥା-ମିତ୍ରରାଷ୍ଟ୍ର ବ୍ରାଜିଲ, ଦକ୍ଷିଣ ଆଫି୍ରକା, ନେପାଳ ଓ ବାଂଲାଦେଶରୁ ଆସିଥିବା ବରିଷ୍ଠ ପଦାଧିକାରୀଙ୍କ ସହ ବାର୍ତ୍ତାଳାପ ସମୟରେ ରାଜ୍ୟପାଳ ଡ. କମ୍ଭମ୍ପାଟି ଓଡ଼ିଶାର ଦ୍ରୁତ ପ୍ରଗତି ସଂପର୍କରେ ସୂଚନା ଦେଇ ଦେଶର ଶ୍ରେଷ୍ଠ ପ୍ରଗତିଶୀଳ ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶା ପରିଗଣିତ ହୋଇଛି ବୋଲି କହିଥିଲେ । ଏତଦ୍ବ୍ୟତୀତ ଓଡ଼ିଶାର ଶାସନ ବ୍ୟବସ୍ଥା, ଉନ୍ନୟନ ନୀତି, ଦକ୍ଷତା ବିକାଶ, ବୈଷୟିକ କୌଶଳ, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରବର୍ତ୍ତିତ ବିଭିନ୍ନ ଉନ୍ନୟନ ଓ କଲ୍ୟାଣ ମୂଳକ ଯୋଜନାର କାର୍ଯ୍ୟାନ୍ୱୟନ କ୍ଷେତ୍ରରେ ଓଡ଼ିଶା ସରକାର ଗ୍ରହଣ କରିଥିବା ପଦକ୍ଷପ ସଂପର୍କରେ ଅବତାରଣା କରି ଦେଶର ସାମଗ୍ରିକ ବିକାଶରେ ରାଜ୍ୟର ଭୂମିକା ସଂପର୍କରେ କହିଥିଲେ । ପ୍ରତି ସଂସ୍ଥାରେ ଦକ୍ଷତା ବିକାଶର ଗୁରୁତ୍ୱ ସହ ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତ ପାଇଁ ଦକ୍ଷ କରିବା ଉପରେ ରାଜ୍ୟପାଳ ଗୁରୁତ୍ୱ ଆରୋପ କରିଥିଲେ ।
ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଏନବିଏସ୍ ରାଜପୁତ ମଧ୍ୟ ପ୍ରତିନିଧି ମଣ୍ଡଳୀଙ୍କ ସହ ବାର୍ତ୍ତାଳାପରେ ସାମିଲ ହୋଇଥିଲେ । ନ୍ୟାସନାଲ ଡିଫେନ୍ସ୍ କଲେଜରୁ ଆସିଥିବା ପ୍ରତିନିଧିମାନେ ଭାରତ ଭ୍ରମଣ ଅବସରରେ ଓଡ଼ିଶା ପରିଦର୍ଶନର ଅନୁଭୂତି ବର୍ଣ୍ଣନା କରିଥିଲେ ଏବଂ ଓଡ଼ିଶାର ଦ୍ରୁତ ପ୍ରଗତି ସହିତ ଓଡ଼ିଶାର ଜନସାଧାରଣ ଏବଂ ତାଙ୍କର ସକରାତ୍ମକ ମନୋଭାବ, ମାନବ ସମ୍ବଳ, ନୀତି ଏବଂ ଶାସନ ବ୍ୟବସ୍ଥାର ଭୂୟସୀ ପ୍ରଶଂସା କରିଥିଲେ ।