ରାଜନୈତିକ ଦଳଙ୍କ ସହ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବୈଠକ : ବୁଥସ୍ତରୀୟ ଏଜେଣ୍ଟ ନିଯୁକ୍ତ କରିବାକୁ ଆହ୍ୱାନ
ଭୁବନେଶ୍ୱର : ମୁଖ୍ୟ ନିର୍ବାଚନ ଅଧିକାରୀ ଆର. ଏସ. ଗୋପାଳନ ବିଭିନ୍ନ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳ ଗୁଡିକ ସହ ବୈଠକ କରିଛନ୍ତି । ଏହି ବୈଠକରେ ରାଜ୍ୟରେ ଅଧିକ ଛଅ ହଜାର ତିନିଶହ ଅଠାବନ ବୁଥ ସୃଷ୍ଟି ଏବଂ ବୁଥ ସ୍ତରୀୟ ଏଜେଣ୍ଟଙ୍କୁ ନିଯୁକ୍ତ ବେଳେ ଆବେଦନ ଫର୍ମରେ ଫଟୋ ଏବଂ ମୋବାଇଲ ନମ୍ବର ନିଶ୍ଚିତ ଦେବାକୁ ପଡିବ ବୋଲି ସେ ଉପସ୍ଥିତ ରାଜନୈତିକ ଦଳ ଗୁଡିକର ସଦସ୍ୟଙ୍କୁ କହିଥିଲେ । ଭୋଟରଙ୍କ ସୁବିଧା ତଥା ଭିଡ କମାଇବା ସକାଶେ ପୂର୍ବରୁ ୧୫୦୦ ଭୋଟରଙ୍କୁ ନେଇ ଗଠନ ହେଉଥିବା ବୁଥ ଏଣିକି ୧୨୦୦ ଭୋଟରରେ ସୀମିତ କରାଯିବ । ଏଥି ନିମନ୍ତେ ଅଧିକ ୬୩୫୮ ବୁଥ ସୃଷ୍ଟି ହେବ । ମତଦାନର ସୁଗମ ପରିଚାଳନା ସୁନିଶ୍ଚିତ କରିବା ପାଇଁ ୧୨୦୦ ରୁ ଅଧିକ ଭୋଟର ଥିବା ମତଦାନ କେନ୍ଦ୍ରଗୁଡ଼ିକୁ ଏହି ପ୍ରକ୍ରିୟାରେ ଯୋଡା ଯିବ । ନିର୍ବାଚନ ପୂର୍ବରୁ ଭୋଟରଙ୍କ ପ୍ରବେଶକୁ ସରଳ କରିବା ଏବଂ ମତଦାନ କେନ୍ଦ୍ରରେ ଭିଡ଼ ହ୍ରାସ କରିବା ପାଇଁ ଏହି ପଦକ୍ଷେପ ନିଆଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି । ବୈଠକରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ମିଶ୍ର, ଉପ ମୁଖ୍ୟ ନିର୍ବାଚନ ଅଧିକାରୀ ଡ ଲକ୍ଷ୍ମୀ ପ୍ରସାଦ ସାହୁ, ଉପ ମୁଖ୍ୟ ନିର୍ବାଚନ ଅଧିକାରୀ ଅନାମିକା ସିଂ ମଧ୍ୟ ଉପସ୍ଥିତ ଥିଲେ ।