ସୁନ୍ଦରଗଡ଼ ମେଡିକାଲ କଲେଜ ଡାକ୍ତରଙ୍କୁ ପ୍ରଶଂସା   : ଛଟପଟ ହେଉଥିଲେ, ବଞ୍ଚାଇଦେଲା ସର୍ଜରୀ ଟିମ୍

ଭୁବନେଶ୍ୱର : ସୁନ୍ଦରଗଡ଼ ସରକାରୀ ମେଡ଼ିକାଲ୍ କଲେଜ ଏବଂ ହସ୍ପିଟାଲ ସର୍ଜରୀ ବିଭାଗର ଡାକ୍ତର ଓ ଟିମ୍ ସମୟୋଚିତ ପଦକ୍ଷେପ ଓ ସଠିକ୍ ଚିକିତ୍ସା କରି ଆଜି ଶତମୁଖରେ ପ୍ରଶଂସା ସାଉଁଟିଛନ୍ତି । ବିଭାଗର ତୁରନ୍ତ ଓ ଉଚ୍ଚମାନର ସେବା ପାଇଁ ଗୁରୁତର ଯନ୍ତ୍ରଣା ଭୋଗୁଥିବା ବ୍ୟକ୍ତି ଉପସମ ପାଇଥିବାରୁ ଏଥିପାଇଁ ବ୍ୟକ୍ତିଙ୍କ ପରିବାରବର୍ଗ ଡାକ୍ତର ଟିମ୍ ଓ ଷ୍ଟାଫ୍ଙ୍କୁ ଏବଂ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।
ସୂଚନାନୁସାରେ ଚଳିତ ମାସ ୧୬ ତାରିଖ ଦିନ ପ୍ରାୟ ରାତି ୯ ଟାରେ କିଞ୍ଜିରିକେଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପାଖାପାଖି ଅଞ୍ଚଳରେ ଜଣେ ୪୦ ବର୍ଷ ବ୍ୟକ୍ତିଙ୍କ ତଳିପେଟରେ ଛୁରୀ ଦ୍ୱାରା ଗଭୀର ଆଘାତ ପାଇଥିଲେ । ତାଙ୍କୁ ଉକ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସୁନ୍ଦରଗଡ଼ ସରକାରୀ ମେଡ଼ିକାଲ୍ କଲେଜ ଏବଂ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା । ତାଙ୍କ ପେଟ ଅନ୍ତନଳୀର କିଛି ଅଂଶ ବାହାରି ଆସିଥିଲା । ଏପରି ପରିସ୍ଥିତି ସହ ଡାକ୍ତର ସମ୍ମୁଖୀନ ହେବା ପରେ ସଂଗେ ସଂଗେ ପରୀକ୍ଷା ନିରୀକ୍ଷା କରାଯାଇ ସେହି ଦିନ ତାଙ୍କର ଅପରେସନ କରାଯାଇଥିଲା । ଆସୋସିଏଟ ପ୍ରଫେସର ଡ଼ା. ରବି ନାରାୟଣ ଗୁରୁ, ସହକାରୀ ପ୍ରଫେସର ଡ଼ା. ଅରବିନ୍ଦ ଝା, ବରିଷ୍ଠ ଆବାସିକ ଡାକ୍ତର ଅଭିଜିତ, ନିଶେତକ ଡ଼ା. ମିନାକ୍ଷୀ ପାଣ୍ଡେ ପ୍ରମୁଖଙ୍କୁ ନେଇ ଗଠିତ ଟିମ୍ ଏହି କଠିନ ଅସ୍ତ୍ରୋପଚାର କରିଥିଲେ । ପ୍ରାୟ ୨ ଘଣ୍ଟା ଧରି ଅପରେସନ ପ୍ରକ୍ରିୟା ଚାଲିବା ପରେ ଶେଷରେ ଏହା ସଫଳ ହୋଇଥିଲା । ଏବେ ତାଙ୍କର ଶାରୀରିକ ଅବସ୍ଥାରେ ଭଲ ଉନ୍ନତି ଘଟୁଛି ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି । ମେଡିକାଲ କଲେଜର ଅତିରିକ୍ତ ଅଧ୍ୟକ୍ଷ ପ୍ରଫେସର ପାଢ଼ୀ କହିଛନ୍ତି ଯେ ବର୍ତ୍ତମାନର ଆରୋଗ୍ୟ ହାର ବଜାୟ ରଖିଲେ ପ୍ରାୟ ୭ ଦିନ ମଧ୍ୟରେ ରୋଗୀଙ୍କୁ ହସପିଟାଲରୁ ଡିସଚାର୍ଜ କରାଯିବ ଏବଂ ଡିସଚାର୍ଜର ୭ ଦିନ ପରେ ତାଙ୍କ ଅବସ୍ଥାରେ ପୁନଃ ନିରୀକ୍ଷଣ କରାଯିବ । ଆଗାମୀ ୧୫ ଦିନ ମଧ୍ୟରେ ସେ ସୁସ୍ଥତା ଲାଭ କରିବେ ବୋଲି ଆମେ ଆଶା କରୁଛୁ । ସୂଚନାଯୋଗ୍ୟ, ସୁନ୍ଦରଗଡ଼ ସରକାରୀ ମେଡ଼ିକାଲ୍ କଲେଜ ସର୍ଜରୀ ବିଭାଗ ଏକ ବର୍ଷ ତଳେ ୨୦୨୪ ଜୁଲାଇ ମାସରେ କାର୍ଯ୍ୟାରମ୍ଭ କରିଥିଲା ।