ପ୍ରେମିକାଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ ପ୍ରେମିକ : ପଥର ଖଣିରୁ ମିଳିଲା ମୃତଦେହ

ଭୁବନେଶ୍ୱର : ୭ ମାସ ତଳେ ରାଜଧାନୀରୁ ନିଖୋଜ ହୋଇଯାଇଥିବା ଘରୋଇ ସହାୟିକା ନିରୁପମା ପରିଡ଼ା ଓରଫ ମିତା (୨୨)ଙ୍କ କଙ୍କାଳ ଖୋର୍ଦ୍ଧା ତାପଙ୍ଗସ୍ଥିତ ପଥର ଖଣି ଭିତରୁ କମିଶନରେଟ୍ ପୋଲିସ ଶୁକ୍ରବାର ଜବତ କରିଛି। ପୁରୁଷ ବନ୍ଧୁ ତାଙ୍କୁ ତଣ୍ଟିଚିପି ହତ୍ୟା କରିବା ପରେ ସେଠାରେ ମୃତଦେହକୁ ଫିଙ୍ଗି ଦେଇଥିବା ସ୍ପଷ୍ଟ ହୋଇଛି। ଅଭିଯୁକ୍ତ ପୁରୁଷବନ୍ଧୁ ନୟାଗଡ଼ ରଣପୁରର ଦେବାଶିଷ ବିଶୋଇଙ୍କୁ ଭରତପୁର ଥାନା ପୋଲିସ ଗିରଫ କରିବା ପରେ ଘଟଣାର ପୂରା ରହସ୍ୟ ପଦାକୁ ଆସିଛି। ସେ ନିରୁପମାଙ୍କୁ କେଉଁଠି ଫିଙ୍ଗିଥିଲେ କହିବା ସହ ଘଟଣାସ୍ଥଳକୁ ଯାଇ ଚିହ୍ନାଇଥିଲେ। ସାଇଣ୍ଟିଫିକ୍ ଟିମ୍, ପରିବାର ଲୋକଙ୍କ ସହ ପୋଲିସ ପଥର ଖଣିର ଏକ ବୁଦାମୂଳରୁ ନିରୁପମାଙ୍କ କଙ୍କାଳ ଠାବ କରିଥିଲା। ତେବେ ହତ୍ୟା ପରେ ଅଭିଯୁକ୍ତ ଦେବାଶିଷ ମୃତଦେହରେ ପଥର ବାନ୍ଧି ଲତାଗୁଡାଇ ବୁଦା ମୂଳକୁ ଫିଙ୍ଗିଦେଇଥିଲେ। ପୋଲିସ ଜବତ କରିଥିବା କଙ୍କାଳକୁ ବ୍ୟବଚ୍ଛେଦ ପାଇଁ ଏମ୍ସ ପଠାଇଛି। ଏନେଇ ଭରତପୁର ଥାନାରେ ଏକ ହତ୍ୟା ମାମଲା (ନଂ.୫୨୭/୨୦୨୫) ରୁଜୁ କରାଯାଇ ଅଭିଯୁକ୍ତ ଦେବାଶିଷଙ୍କୁ ଅଧିକ ଜେରା ଚାଲିଛି। ପ୍ରେମ ସମ୍ପର୍କ ଭିତରେ କୁହୁଳୁଥିବା ସନ୍ଦେହ ତାଙ୍କୁ ନୃଶଂସ ସଜାଇ ଦେଇଥିଲା। ଶନିବାର ଦେବାଶିଷଙ୍କୁ କୋର୍ଟଚାଲାଣ କରାଯିବା ପରେ ଅଧିକ ସୂଚନା ଦିଆଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ଦାୟିତ୍ୱହୀନତା ଓ ଦୁର୍ବଳ ତଦନ୍ତ ପାଇଁ ପୋଲିସକୁ ଦାୟୀ କରିଛନ୍ତି ମୃତ ନିରୁପମାଙ୍କ ପରିବାର ଲୋକ।
ସୂଚନା ଅନୁଯାୟୀ, ନିରୁପମାଙ୍କ ଘର ନୟାଗଡ଼ ଜିଲା ରଣପୁର ଥାନା ଅନ୍ତର୍ଗତ ହରିପୁର ଗାଁରେ। ସେ ପାତ୍ରପଡାରେ ସମରଜିତ୍ ଜେନାଙ୍କ ଘରେ କେୟାର ଟେକର ଭାବେ କାମ କରୁଥିଲେ। ଜାନୁଆରୀ ୨୪ରେ ସମରଜିତ ପରିବାର ଲୋକଙ୍କ ସହ ଭଞ୍ଜନଗରସ୍ଥିତ ପୈତୃକ ଗାଁକୁ ଯାଇଥିଲେ। ପରେ ନିରୁପମା ତାଙ୍କ ଗାଁକୁ ଯିବାକୁ ବସ୍ରେ ଯାଇଥିଲେ। ସେ ମା’ଙ୍କୁ କଲ୍ କରି ଜଣାଇବା ସହ ବାପାଙ୍କୁ ରଣପୁର ବସ୍ଷ୍ଟାଣ୍ଡକୁ ଆସିବାକୁ କହିଥିଲେ। ଅପରାହ୍ନ ୪ଟାରେ ପୁଣି କଲ୍ କରି ଖୋର୍ଦ୍ଧାରେ ପହଞ୍ଚିଣିଲି ବୋଲି କହିଥିଲେ। ହେଲେ ଏହାପରଠାରୁ ତାଙ୍କ କଲ୍ ଆସି ନ ଥିଲା କି ଫୋନ୍ ଲାଗି ନ ଥିଲା। ଏହାପରେ ପରିବାର ଲୋକେ ଘର ମାଲିକ ସମରଜିତଙ୍କୁ ଯୋଗାଯୋଗ କରି ସୂଚନା ନ ପାଇବାରୁ ଖୋଜାଖୋଜି କରି ବିଫଳ ଥିଲେ। ୨୭ ତାରିଖରେ ପରିବାର ଲୋକଙ୍କ ସହ ସମରଜିତ୍ ଭରତପୁର ଥାନାରେ ନିଖୋଜ ଏତଲା ଦେଇଥିଲେ। ପୋଲିସ ଏକ ମିସିଂ ରିପୋର୍ଟ (ଏମ୍ଏମ୍ଆର୍) ନଂ.୮ କରି ଚୁପ୍ ବସିଥିଲା। ପରିବାର ଲୋକେ ଥାନାରୁ ନିରାଶ ହେବା ପରେ ଜୁଲାଇ ୪ରେ ଡିସିପିଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହା ପରେ ମଧ୍ୟ ଥାନା ପୋଲିସ ଅଭିଯୋଗ ଶୁଣି ନ ଥିଲା ବୋଲି ନିରୁପମାଙ୍କ ବାପା ଶରତ ଅଭିଯୋଗ କରିଛନ୍ତି। ପରିବାର ଲୋକ ଦେବାଶିଷଙ୍କ ଉପରେ ସନ୍ଦେହ କରି ଜଣାଇଥିଲେ ମଧ୍ୟ ପୋଲିସ ଦିନ ଗଡ଼ାଇ ଚାଲିଥିଲା। ପରେ ସେମାନେ ଅନ୍ଲାଇନ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଜଣାଇଥିଲେ। ତେବେ ତଦନ୍ତ ବେଳେ ନିରୁପମାଙ୍କ ଡେବିଟ୍ କାର୍ଡରୁ ବହୁଥର ଟଙ୍କା ଉଠାଯାଇଥିବା ପୋଲିସ ଜାଣିବାକୁ ପାଇଥିଲା। ଏଥିରେ ଦେବାଶିଷଙ୍କ ହାତ ଥିବା ସନ୍ଦେହ କରି ତାଙ୍କୁ ଅଧିକ ଜେରା ପରେ ସେ ସତ ମାନିଯାଇଥିଲେ। ଦେବାଶିଷ ଭୁବନେଶ୍ୱରରେ ଇଲେକ୍ଟ୍ରିସିଆନ୍ ଭାବେ କାମ କରନ୍ତି। ତେବେ ନିରୁପମା ଅନ୍ୟ ଜଣଙ୍କ ସହ କଥା ହେଉଥିବାରୁ ସେ ତାଙ୍କୁ ହତ୍ୟା କରିଥିଲେ ବୋଲି ପୋଲିସକୁ କହିଥିବା ଜଣାପଡିଛି।