ସୁନ୍ଦରପଦାରେ ଫେକ୍‌ କଲ୍‌ ସେଣ୍ଟର ଠାବ ମାମଲା


  • ୩ ଦିନିଆ ରିମାଣ୍ଡରେ ୬ ଅଭିଯୁକ୍ତ; ୩ ଜଣିଆ ଟିମ ଗଲା କୋଲକାତା
     ଭୁବନେଶ୍ୱର, ୧୮ା୧୦ : ଭୁବନେଶ୍ୱର ସୁନ୍ଦରପଦାରେ ଫେକ୍‌ କଲ୍‌ ସେଣ୍ଟର ଠାବ ମାମଲାରେ କମିଶନରେଟ୍‌ ପୁଲିସର ୩ ଜଣିଆ ଟିମ ଗଲା କୋଲକତା । ୬ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡ ପାଇଁ ଆବେଦନ କରାଯାଇଥିବା ବେଳେ ୩ ଦିନିଆ ରିମାଣ୍ଡ ପ୍ରଦାନ କରିଛନ୍ତି କୋର୍ଟ  । ସାରା ଦେଶରେ ଏମାନେ ଠକେଇ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।  ସଫ୍ଟୱେର ପ୍ରଡକ୍ଟ ବା ଆଣ୍ଟି ଭାଇରସ ଅପଲୋଡ୍‌ କରିବାକୁ କହି ଆମେରିକାର କିଛି ଲୋକଙ୍କୁ ମଧ୍ୟ ଏମାନେ ଚୁନା ଲଗାଇଛନ୍ତି । ଗିରଫ ଅଭିଯୁକ୍ତ ମାନେ ବେଶ ଉଚ଼ ଶିକ୍ଷିତ । ତେଣୁ ଏମାନେ କେତେ ଠକିଛନ୍ତି ସେ ନେଇ ସାଇବର ଠକଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ ଯାଞ୍ଚ ଚାଲିଛି ।
     ସୂଚନା ଯୋଗ୍ୟଯେ, ଏୟାରଫିଲ୍ଡ ଥାନା ଅଧିନରେ ଥିବା କାଞ୍ଚନ ଟାୱାର ଆପାର୍ଟମେଣ୍ଟରେ ଦ୍ୱିତୀୟ ମହଲାରେ ଥିବା ୨୦୫ ନମ୍ବର ଫ୍ଲାଟରେ ନକଲି କଲ୍‌ ସେଣ୍ଟର ଚାଲିଥିବା କମିଶନରେଟ ପୁଲିସର ସାଇବର ଟିମ୍‌ କୌଣସି ସୂତ୍ରରୁ ଖବର ପାଇଥିଲା । ପରେ ଆଜି ସାଇବର ଟିମ ହଟାତ୍‌ ଆପାର୍ଟମେଣ୍ଟରେ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ଆପାର୍ଟମେଣ୍ଟରେ ନକଲି କଲ୍‌ ସେଣ୍ଟର ଚାଲିଥିବା ଜଣାପଡିଥିଲା । ଏହି କଲ ସେଣ୍ଟରରେ ଲୋକମାନଙ୍କୁ ଫେକ୍‌ କଲ କରି ବିଭିନ୍ନ ପ୍ରକାର ଭୟଭିତ କରାଇ ଲକ୍ଷ ଲକ୍ଷ ଟଙ୍କା ଚୁନ ଲଗାଉଥିଲେ ପଶ୍ଚିମବଙ୍ଗର ୬ ସାଇବର ଲୁଟେରା । ଏଥିସହ ଆପାର୍ଟମେଣ୍ଟରୁ ସିମ ବକ୍ସ ଭଳି ଦେଖାଯାଉଥିବା କିଛି ଡିଭାଇସ ମଧ୍ୟ ଠାବ କରାଯାଇଛି । ଗିରଫ ଅଭିଯୁକ୍ତମାନେ ବିଭିନ୍ନ ସମୟରେ କଲ ସେଣ୍ଟର ନାମରେ ଜାତୀୟ ଏବଂ ଆର୍ନ୍ତଜାତୀୟ ଲୋକଙ୍କୁ ମେଲ ଓ କଲ କରିଥାନ୍ତି । ବିଭିନ୍ନ କମ୍ପାନୀର ପ୍ରଡକ୍ଟ ନାମରେ ସେମାନଙ୍କୁ ମିଛ ସତ କହିବା ସହ ଉକ୍ତ ପ୍ରଡକ୍ଟ ସହ ଜଡ଼ିତ ହେଲେ ଲୋଭନୀୟ ଅଫର ମିଳିବ ବୋଲି ଗ୍ରାହକଙ୍କୁ କହିଥାନ୍ତି । ପରବର୍ତ୍ତୀ ସମୟରେ ଗ୍ରାହକ ମାନେ ଠକମାନଙ୍କ ସହ ଯୋଗାଯୋଗ କରିବାକୁ ଚାହିଁଲେ ଏକ ଟୋଲ ଫ୍ରି ନମ୍ବର ଅର୍ଥାତ +୧୮୪୫୪୭୮୪୨୩୬ ମଧ୍ୟ ଜାରି କରାଯାଇଥିଲା । ଯେତେବେଳେ ଗ୍ରାହକମାନେ ଠକମାନଙ୍କୁ ଟୋଲ ଫ୍ରି ନମ୍ବରରେ ଫୋନ କରିଥାନ୍ତି ସେହି ସମୟରେ ଉକ୍ତ କଲଟି ସ୍କାଏପି କଲ ଏବଂ ଭିଓଆଇପି କଲକୁ ବଦଳି କରିଦିଅନ୍ତି । ସେତେବେଳେ ସେମାନେ ଦୂରରୁ ସିଷ୍ଟମର କଣ୍ଟୋଲ ଆକ୍ସେସ୍‌ କରି ସେମାନଙ୍କର ସିଷ୍ଟମ ନିୟନ୍ତ୍ରଣ କରିଥାନ୍ତି । ତାପରେ ଗ୍ରାହକ ଆବଶ୍ୟକ ପରିମାଣର ଉପହାର କାର୍ଡ ଡଲାର ଆକାରରେ ପଠାଇବା ପାଇଁ ଦାବି କରନ୍ତି, ସମ୍ପୃକ୍ତ ଯୁବକମାନେ ବିଭିନ୍ନ ପଦ୍ଧତି ମାଧ୍ୟମରେ ହାୱାଲା କାରବାର ଜରିଆରେ ଉକ୍ତ ଡଲାରକୁ ଭାରତୀୟ ମୁଦ୍ରାରେ ରୂପାନ୍ତର କରିବା ସହ ଗ୍ରାହକ ମାନଙ୍କୁ ଏହି ଉପାୟରେ ଠକିଥାନ୍ତି ।