ଜେଲରେ ବିଚାରଧିନ କଏଦୀଙ୍କ ମୃତ୍ୟୁ; ପରିବାର ଆଣିଲେ ହତ୍ୟା ଅଭିଯୋଗ


  • ଭୁବନେଶ୍ୱର,ତା ୧୮ା୧୦ : ଝାରପଡ଼ା ଜେଲରେ ବିଚାରଧିନ କଏଦୀ ଭାବେ ରହୁଥିବା ଜଣେ ଯୁବକଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି । ମୃତ କଏଦୀଙ୍କ ନାମ ବିଦ୍ୟାଧର ଗୁରୁ (୪୫) । ତେବେ ବିଦ୍ୟାଧରଙ୍କ ମୃତ୍ୟୁ କେଉଁ କାରଣରୁ ଘଟିଲା ତାହା ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ ଜଣାପଡ଼ିବାକୁ ଥିବା ବେଳେ ତାଙ୍କ ପରିବାର ଲୋକେ କିନ୍ତୁ ଜେଲ କର୍ତ୍ତୃପକ୍ଷ ମାଡ଼ ମାରିବା ଯୋଗୁଁ ବିଦ୍ୟାଧରଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି । ଏପରିକି ସେମାନେ ଶବ ବ୍ୟବଚ୍ଛେଦ କେନ୍ଦ୍ରରେ ପହଞ୍ଚିଥିବା ଲକ୍ଷ୍ମୀସାଗର ଥାନା ପୁଲିସକୁ ଜେଲ କର୍ତ୍ତୃପକ୍ଷଙ୍କ ନାମରେ ଲିଖିତ ଅଭିଯୋଗ ଦେଇଥିବା ଏବଂ ବିଦ୍ୟାଧରଙ୍କ ମୃତ୍ୟୁ ପାଇଁ ଜେଲ କର୍ମଚାରୀମାନେ ହିଁ ଦାୟୀ ବୋଲି ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି ।
    ଏନେଇ ଜେଲ ସୁପରିଟେଣ୍ଡଣ୍ଟ ମନୋରଞ୍ଜନ ପ୍ରତିହାରୀ କହିଛନ୍ତି ଯେ, ବିଦ୍ୟାଧର ଗତ ଅକ୍ଟୋବର ୫ ତାରିଖରେ ଏକ ଗଞ୍ଜେଇ ଚାଲାଣ ମାମଲାରେ ଗିରଫ ହୋଇ ଜେଲ ଆସିଥିଲେ । ଶୁକ୍ରବାର ସକାଳେ ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ସେ ହସ୍ପିଟାଲ ଡାକ୍ତରଖାନାକୁ ନିଜ ୱାର୍ଡରୁ ଚାଲିଚାଲି ଆସୁଥିଲେ । ଏହି ସମୟରେ ସେ ହଠାତ ଜେଲ ପରିସରରେ ପଡ଼ି ଯିବାରୁ ତାଙ୍କ ମୁଣ୍ଡ ମାଡ଼ ହୋଇଯାଇଥିଲା ।ସଙ୍ଗେ ସଙ୍ଗେ ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତୀ କରାଯାଇଥିଲା । ସେଠାରେ କିଛି ସମୟ ଚିକିତ୍ସା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେଣୁ ପରିବାର ଲୋକେ ଯେଉଁ ହତ୍ୟା ଅଭିଯୋଗ କଥା କହୁଛନ୍ତି ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ସୁପରିଟେଣ୍ଡଣ୍ଟ ଶ୍ରୀ ପ୍ରତିହାରୀ ସୂଚନା ଦେଇଛନ୍ତି ।