ଆଜି ଦିଲ୍ଲୀରେ କଂଗ୍ରେସ ବୈଠକ
ଭୁବନେଶ୍ୱର: ଆସନ୍ତାକାଲି ଦିଲ୍ଲୀରେ ରାଜ୍ୟ କଂଗ୍ରେସ ସଂକ୍ରାନ୍ତରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ବିଶେଷକରି ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଟିମ୍ ସମ୍ପ୍ରସାରଣ ଓ ଜିଲ୍ଲା ସଭାପତି ଚୟନକୁ ନେଇ ବିଚାରବିମର୍ଷ କରାଯିବ । ଦିଲ୍ଲୀ ବୈଠକ ନେଇ ପିସିସି ସଭାପତି ଶ୍ରୀ ଦାସ ସୂଚନା ଦେଇଛନ୍ତି । ଦିଲ୍ଳୀରୁ ଫେରିବା ପରେ ଜିଲ୍ଲା କଂଗ୍ରେସ ସଭାପତି ଚୟନ କରାଯିବ ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟଯେ, ଭକ୍ତ ପିସିସି ମଙ୍ଗ ଧରିବା ପରେ କଂଗ୍ରେସକୁ ଚଳଚଞ୍ଚଳ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ଅପରପକ୍ଷରେ ଭକ୍ତଙ୍କ କାର୍ଯ୍ୟଧାରାକୁ ନେଇ ଦଳୀୟ ନେତାଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି । ତାଙ୍କ ବିରୋଧରେ ବି ମେଳି ଆରମ୍ଭ ହୋଇଗଲାଣି । ଜିଲ୍ଲା କଂଗ୍ରେସ ସଂଯୋଜକ ନିଯୁକ୍ତିକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା । କେତେକ ବରିଷ୍ଠ ନେତାଙ୍କୁ ସେ ଗୁରୁତ୍ୱ ଦେଉନଥିବା ଅଭିଯୋଗ ପରେ ଏହାକୁ ନେଇ ଦଳରେ ଆଲୋଡ଼ନ ସୃଷ୍ଟି ହୋଇଥିଲା । ତେଣୁ ଦିଲ୍ଲୀରେ ହିଁ ସବୁ ନିଷ୍ପତ୍ତି ନେବାକୁ ଭକ୍ତ ଯୋଜନା କରିଛନ୍ତି । ଯାହାଫଳରେ ଅସନ୍ତୋଷକୁ ପ୍ରଶମିତ କରାଯାଇପାରିବ ବୋଲି ସେ ଅନୁମାନ କରୁଛନ୍ତି ।