ସୈଫଙ୍କ ଆରୋଗ୍ୟ କାମନା କଲେ ସେଲିବ୍ରିଟି

ବଲିଉଡ ଅଭିନେତା ସୈଫ ଅଲି ଖାନଙ୍କୁ ଛୁରାମାଡ଼ ଘଟଣା । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସୁରକ୍ଷିତ ଥିବା ଡାକ୍ତର ସ୍ପଷ୍ଟ କରିଛନ୍ତି । ହେଲେ କଡା ସୁରକ୍ଷା ସତ୍ତେ୍ୱ ଅଭିନେତାଙ୍କ ଉପରେ ଆକ୍ରମଣକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଫ୍ୟାନ୍ସ ଓ ସେଲିବ୍ରିଟି । ଅନେକ ତାରକା ଏହି ଘଟଣାକୁ ନିନ୍ଦା କରିବା ସହ ଆଇନ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି । ଜୁନିଅର ଏନଟିଆର ଏକ୍ସରେ ପୋଷ୍ଟରେ ଲେଖିଛନ୍ତି, "ସୈଫ ସାରଙ୍କୁ ଆକ୍ରମଣ ବିଷୟରେ ଶୁଣି ମୁଁ ଦୁଃଖିତ। ତାଙ୍କ ସ୍ୱାସ୍ଥ୍ୟର ଶୀଘ୍ର ଆରୋଗ୍ୟ ପାଇଁ ମୁଁ ପ୍ରାର୍ଥନା କରୁଛି। ସେହିପରି ସୈଫଙ୍କ ଆକ୍ରମଣ ଘଟଣାରେ ଅଭିନେତ୍ରୀ ପୂଜା ଭଟ୍ଟ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି । ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନ ଉଠାଇଛନ୍ତି ପୂଜା ଭଟ୍ଟ । ବାନ୍ଦ୍ରାରେ ଆମକୁ ଅଧିକ ପୋଲିସ ଅଧିକାରୀ ଦରକାର । ଆହୁରି ଅନେକ ସେଲିବ୍ରେଟି ମଧ୍ୟ ଏହି ଘଟଣାକୁ ନିନ୍ଦା କରିବା ସହ ସୈଫଙ୍କ ଆରୋଗ୍ୟ କାମନା କରିଛନ୍ତି ।
ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ କେହି ଦୁର୍ବୃତ୍ତ ସୈଫ ଅଲ୍ଲୀ ଖାନଙ୍କ ଘରେ ପଶିଥିଲେ । ସେହି ସମୟରେ ସୈଫ ଆସିବାରୁ ସେ ଛୁରାମାଡ଼ କରିଥିଲା । ସୈଫ ଅଲ୍ଲୀ ଖାନଙ୍କ ଦେହରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ମେରୁଦଣ୍ଡରେ ଲାଗି ରହିଥିବା ଅଢେଇ ଇଞ୍ଚ୍ର ଛୁରିକୁ ଅପରେସନ୍ ପରେ କଢ଼ା ଯାଇଛି । ବାମ ହାତ ଓ ବେକରେ ବି ଗଭୀର ଆଘାତ ଲାଗିଛି । ବେକରେ ଲାଗିଥିବା ଆଘାତର ପ୍ଲାଷ୍ଟିକ ସର୍ଜରୀ କରାଯାଇଛି । ସୈଫ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଓ ବିପଦ ମୁକ୍ତ ଥିବା ଡାକ୍ତର କହିଛନ୍ତି । ସେପଟେ ସୈଫଙ୍କ ଘରକୁ ଦୁର୍ବୃତ୍ତ କେମିତି ପଶିଲେ? ପୋଲିସ ଅନୁସାରେ, ଛୁରାମାଡ଼ କରିଥିବା ଦୁର୍ବୃତ୍ତ ଚୋରି କରିବାକୁ ଆସିଥିଲା । ଘରର ସଦସ୍ୟ ଉଠିଯିବାରୁ ସେ ଖସି ପଳାଇଛି । ପୋଲିସ ମାମଲା ରୁଜୁ କରି ଦୁର୍ବୃତ୍ତଙ୍କୁ ଧରିବା ଲାଗି ଏକାଧିକ ଟିମ୍ ଗଠନ କରିଛି । ପୋଲିସ, ମୁମ୍ବାଇ କ୍ରାଇମବ୍ରାଞ୍ଚ ମଧ୍ୟ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳଛି ।